Achira News Logo
Achira News

16 ବର୍ଷର ବ୍ୟବଧାନ ପରେ ରାଜସ୍ଥାନ ରୟାଲ୍ସକୁ ଫେରିଲେ ରବୀନ୍ଦ୍ର ଜାଡେଜା

Prameya
16 ବର୍ଷର ବ୍ୟବଧାନ ପରେ ରାଜସ୍ଥାନ ରୟାଲ୍ସକୁ ଫେରିଲେ ରବୀନ୍ଦ୍ର ଜାଡେଜା
Full News
Share:

ନୂଆଦିଲ୍ଲୀ,୨୦/୦୩ :ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍-୧୯ ସିଜନରେ କିଛି ଖେଳାଳିଙ୍କୁ ପୁଣି ଥରେ ସେମାନଙ୍କ ପୂର୍ବ ଦଳରେ ଦେଖିବାକୁ ମିଳିବ । ଏହି ତାଲିକାରେ ସବୁଠୁ ଆଗରେ ରହିଛନ୍ତି ରବିନ୍ଦ୍ର ଜାଡ଼େଜା । ୧୬ଟି ଆଇପିଏଲ୍ ସଂସ୍କରଣ ପରେ ସେ ପୁନର୍ବାର ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବାକୁ ଯାଉଛନ୍ତି । ଆଉ କିଛି ଖେଳାଳିଙ୍କୁ ମଧ୍ୟ ସେମାନଙ୍କ ପୁରୁଣା ଫ୍ରାଞ୍ଚାଇଜ ଗତ ମିନି ନିଲାମରେ ଫେରାଇ ଆଣିଛନ୍ତି । ରବିନ୍ଦ୍ର ଜାଡ଼େଜା-ଚେନ୍ନାଇ ସୁପରକିଙ୍ଗ୍ସର ସବୁଠୁ ସଫଳ ବୋଲର ତଥା ଅଲ୍ରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଦୀର୍ଘ ୧୬ ବର୍ଷ ପରେ ରାଜସ୍ଥାନ ରୟାଲ୍ସ ଦଳକୁ ଫେରିଛନ୍ତି । ସେ ୨୦୦୮ ଓ ୨୦୦୯ ସିଜନରେ ରୟାଲ୍ସ ପକ୍ଷରୁ ଖେଳିଥିଲେ । ୨୦୦୮ ପ୍ରଥମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଚାମ୍ପିଅନ ହୋଇଥିଲା । ଏଥିରେ ଜାଡ଼େଜାଙ୍କର ପ୍ରମୁଖ ଅବଦାନ ରହିଥିଲା । ୨୦୧୦ ଓ ୨୦୧୧ ସିଜନରେ ଜାଡ଼େଜା କୋଚି ଟସ୍କର୍ସ କେରଳ ପକ୍ଷରୁ ଖେଳିବା ପରେ ୨୦୧୨ ନିଲାମରେ ଚେନ୍ନାଇ ସୁପରକିଙ୍ଗ୍ସ ତାଙ୍କୁ କିଣିଥିଲା । ସେବେଠୁ ସେ ସୁପରକିଙ୍ଗ୍ସ ଦଳର ସଦସ୍ୟ ଥିଲେ । ମଝିରେ ସୁପରକିଙ୍ଗ୍ସ ଦଳ ନିଲମ୍ବିତ ଥିବାବେଳେ ସେ ୨ବର୍ଷ ପାଇଁ ଗୁଜରାଟ ଲାୟନ୍ସ (୨୦୧୬ ଓ ୨୦୧୭ ସିଜନ) ପକ୍ଷରୁ ଖେଳିଥିଲେ । ଜାଡ଼େଜାଙ୍କ ସମୟରେ ସୁପରକିଙ୍ଗ୍ସ ୨୦୧୮, ୨୦୨୧ ଓ ୨୦୨୩ରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ଏଥର ନିଲାମ ପୂର୍ବରୁ ସୁପରକିଙ୍ଗ୍ସ ଦଳ ଜାଡ଼େଜାଙ୍କୁ ୧୪କୋଟି ଟଙ୍କା ବିନିମୟରେ ଟ୍ରେଡ୍ କରିଥିଲା । କ୍ୱିଣ୍ଟନ ଡି କକ୍-ଦକ୍ଷିଣ ଆଫ୍ରିକା ୱିକେଟ୍ କିପର କ୍ୱିଣ୍ଟନ ଡି କକ୍ ଇତି ମଧ୍ୟରେ ୬ଟି ଫ୍ରାଞ୍ଚାଇଜ ପକ୍ଷରୁ ଖେଳି ସାରିଛନ୍ତି । ମାତ୍ର ମୁମ୍ବାଇ ଇଣ୍ଡିଆନ୍ସରେ ତାଙ୍କ ସ୍ଥାନ ସ୍ୱତନ୍ତ୍ର । ସେ ୨୦୧୯ରୁ ୨୦୨୧ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ । ଏହି ୩ ବର୍ଷ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ୨ଥର (୨୦୧୯ ଓ ୨୦୨୦ ସିଜନରେ) ଚାମ୍ପିଅନ ହୋଇଥିଲା । ଉଭୟ ସିଜନରେ ଡି କକ୍ ୫୦୦ରୁ ଊଦ୍ଧ୍ୱର୍ ରନ ଲେଖାଏଁ ସଂଗ୍ରହ କରିଥିଲେ । ପୁଣି ୪ଟି ସିଜନ ପରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଡି କକ୍‌ଙ୍କ ଉପସ୍ଥିତି ମୁମ୍ବାଇ ଇଣ୍ଡିଆନ୍ସର ଓପନିଂ ବିଭାଗରେ ଏକାଧିକ ବିକଳ୍ପ ସୃଷ୍ଟି କରିଛି । ରୋହିତ ଶର୍ମାଙ୍କ ସହ ଡି କକ୍ ଓପନର ଭାବେ ସିଜନ ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଡି କକ୍ ୨୦୧୩ ସିଜନରେ ସନରାଇଜର୍ସ ହାଇବ୍ରାଦାଦ ପକ୍ଷରୁ ଖେଳିଥିଲେ । ଏହାପରେ ସେ ୨୦୧୪ରୁ ୨୦୧୭ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସଦସ୍ୟ ଥିଲେ । ୨୦୧୮ ସିଜନରେ ସେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳିଥିଲେ । ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୩ ବର୍ଷ ପାଇଁ ଦଳରେ ରଖିବା ପରେ ବିଦାୟ ଦେଇଥିଲା । ୨୦୨୨ରୁ ୨୦୨୪ ମଧ୍ୟରେ ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ପକ୍ଷରୁ ଖେଳିବା ପରେ ଗତ ସିଜନରେ କୋଲକାତା ନାଇଟ ରାଇଡର୍ସ ଦଳରେ ସାମିଲ ହୋଇଥିଲେ । ଏହା ବି ପଢନ୍ତୁ...ଭିଡିଓରେ ସଙ୍କେତ: ଗୋଟିଏ ସିଜିନରେ ସର୍ବାଧିକ ଛକା ମାରିବାର ରେକର୍ଡ ଭାଙ୍ଗିବେ କି କୋହଲି ? ରାହୁଲ ତ୍ରିପାଠୀ-ମହାରାଷ୍ଟ୍ର ପକ୍ଷରୁ ଘରୋଇ କ୍ରିକେଟ୍ ଖେଳୁଥିବା ରାହୁଲ ତ୍ରିପାଠୀ ୪ଟି ସିଜନ ପରେ ପୁଣି ଥରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିବାକୁ ଯାଉଛନ୍ତି । ୨୦୧୭ରେ ସେ ରାଇଜିଂ ପୁନେ ସୁପରଜାଏଣ୍ଟ୍ସ ପକ୍ଷରୁ ଆଇପିଏଲ୍ ପଦାର୍ପଣ କରି ୩୯୧ ରନ ସଂଗ୍ରହ କରିଥିଲେ । ସେହିବର୍ଷ ପୁନେ ସୁପରଜାଏଣ୍ଟ୍ସ ଦଳ ଫାଇନାଲ୍‌ରେ ପ୍ରବେଶ କରିଥିଲା । ୯ବର୍ଷ ମଧ୍ୟରେ ସେ ରାଜସ୍ଥାନ ରୟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳି ସାରିଛନ୍ତି । ୨୦୨୦ ଓ ୨୦୨୧ ସିଜନରେ ରାହୁଲ ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିଥିଲେ । ୨୦୨୧ ସିଜନରେ ସେ ୩୯୭ ରନ ସଂଗ୍ରହ କରି ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ । ଟିମ ସାଇଫର୍ଟ-ନ୍ୟୁଜିଲାଣ୍ଡ ୱିକେଟ୍ କିପର ତଥା ଓପନିଂ ବ୍ୟାଟର ଟିମ ସାଇଫର୍ଟ ସମ୍ପ୍ରତି ଚମତ୍କାର ଫର୍ମରେ ରହିଛନ୍ତି । ସେ ଗତ ଟି-ଟ୍ୱେଣ୍ଟି ବିଶ୍ୱକପରେ ତାଙ୍କ ଦମଦାର ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ ରନର୍ସ ଅପ୍ ହୋଇଥିଲା । ୪ ବର୍ଷ ପରେ ସେ ପୁନର୍ବାର କୋଲକାତା ନାଇଟ୍ ରାଇଡର୍ସ ଦଳକୁ ଫେରିଛନ୍ତି । ପୂର୍ବରୁ ସେ ୨୦୨୧ ସିଜନରେ ନାଇଟ୍ ରାଇଡର୍ସ ପକ୍ଷରୁ ଗୋଟିଏ ମ୍ୟାଚ ଖେଳିଥିଲେ । ୨୦୨୨ରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କିଣିଥିଲା ଓ ୨ଟି ମ୍ୟାଚ ଖେଳାଇଥିଲା । ଏଥର ତାଙ୍କ ଫର୍ମ ନାଇଟ୍ ରାଇଡର୍ସର ଉତ୍ସାହ ବଢ଼ାଇ ଦେଇଛି । ସେ ଏଥର ଓପନର ଭାବେ ଖେଳିବା ନିଶ୍ଚିତ । ଡୋନୋଭାନ ଫେରେରା-ଦକ୍ଷିଣ ଆଫ୍ରିକାର ଅଲ୍ରାଉଣ୍ଡର ଡୋନୋଭାନ ଫେରେରାଙ୍କୁ ୨୦୨୩ରେ ରାଜସ୍ଥାନ ରୟାଲ୍ସ କିଣିଥିଲା । ମାତ୍ର ୨ଟି ସିଜନ ପରେ ତାଙ୍କୁ ବିଦାୟ ଦେଇଥିଲା ଓ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କିଣି ନେଇଥିଲା । ଏଥର ସେ ଟ୍ରେଡିଂ ଜରିଆରେ ପୁନର୍ବାର ରାଜସ୍ଥାନ ରୟାଲ୍ସକୁ ଫେରିଛନ୍ତି । ଫେରେରା ବିସ୍ଫୋରକ ବ୍ୟାଟିଂ କରିବା ସହ ବୋଲିଂ ଓ ୱିକେଟ୍ କିପିଂ କରିବାର କ୍ଷମତା ମଧ୍ୟ ରଖିଛନ୍ତି । ଗତ ଏସଏ-୨୦ରେ ସେ ଧୂଆଁଧାର ବ୍ୟାଟିଂ କରିଥିଲେ । ଏଥର ତାଙ୍କୁ ରାଜସ୍ଥାନ ରୟାଲ୍ସ ଦଳରେ ଖେଳିବାକୁ ସୁଯୋଗ ମିଳିବ । ମୟଙ୍କ ମାର୍କଣ୍ଡେ-ପଞ୍ଜାବର ଅଭିଜ୍ଞ ଲେଗ ସ୍ପିନର ମୟଙ୍କ ମାର୍କଣ୍ଡେ ଇତି ମଧ୍ୟରେ ୪ଟି ଫ୍ରାଞ୍ଚାଇଜ ପକ୍ଷରୁ ଖେଳି ସାରିଛନ୍ତି । ୨୦୧୮ ସିଜନରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପଦାର୍ପଣ କରିଥିଲେ । ୨୦୨୦ ଓ ୨୦୨୧ ସିଜନ ପାଇଁ ତାଙ୍କୁ ରାଜସ୍ଥାନ ରୟାଲ୍ସ ଦଳରେ ସାମିଲ କରିଥିଲେ ହେଁ ବହୁ କମ୍ ମ୍ୟାଚ ଖେଳାଇଥିଲା । ୨୦୨୩ ଓ ୨୦୨୪ ସିଜନରେ ସେ ସନରାଇଜର୍ସ ଓ ୨୦୨୫ ସିଜନରେ ସେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିବା ପରେ ଆଗାମୀ ସିଜନ ପାଇଁ ସେ ପୁନର୍ବାର ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଫେରିଛନ୍ତି ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

16 ବର୍ଷର ବ୍ୟବଧାନ ପରେ ରାଜସ୍ଥାନ ରୟାଲ୍ସକୁ ଫେରିଲେ ରବୀନ୍ଦ୍ର ଜାଡେଜା | Achira News