ନୂଆଦିଲ୍ଲୀ ୦୫/୦୫:ଆସାମରେ ପୁଣି ବିଜେପିର ବିପୁଳ ବିଜୟ ହୋଇଛି । ୨୦୧୬, ୨୦୨୧ ପରେ ୨୦୨୬ରେ ରାଜ୍ୟରେ ହ୍ୟାଟ୍ରିକ୍ ମାରିଛି ବିଜେପି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଦୃଢ଼ ନେତୃତ୍ୱ ଏବଂ ଆକ୍ରାମକ ଭାଷଣ ଶୈଳୀ ଦଳ ପାଇଁ ବେଶ୍ ଫାଇଦା ଦେଇଛି । ତେବେ ପ୍ରଥମ ଥର ଲାଗି ଆସାମରେ ପଦ୍ମ ଫୁଟାଇବା ପାଇଁ ହିମନ୍ତ ମୁଖ୍ୟ ଭୂମିକା ନିର୍ବାହ କରିନାହାନ୍ତି । ୨୦୧୬ରୁ ହିଁ ତାଙ୍କର ଏହି ଅଭିଯାନ ଜାରି ରହିଛି । ତାଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ୨୦୨୧ରେ ପ୍ରଥମ ସୁଯୋଗ ମିଳିଥିଲା । ଏଥର ବି ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ଆଶା କରାଯାଉଛି । ହିମନ୍ତଙ୍କ ରାଜନୈତିକ ଯାତ୍ରା ବେଶ୍ ରୋଚକପୂର୍ଣ୍ଣ । କଂଗ୍ରେସ ଛାଡ଼ି ସେ ବିଜେପିକୁ ଆସିଥିଲେ । ୨୦୧୧ରେ କଂଗ୍ରେସରେ ତାଙ୍କର ଦବ୍ଦବା କମିଥିଲା । ସେ କିଛି ଯୁବ ବିଧାୟକଙ୍କର ଗୋଷ୍ଠୀ ବନାଇ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନ ବଳାଇଥିଲେ । ଅନ୍ୟପଟେ ତରୁଣ ଗୋଗୋଇ ପୁଅ ଗୌରବ ଗୋଗୋଇଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ବନାଇବାକୁ ଲାଗିପଡ଼ିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ଉପୁଜିଥିଲା । ଶେଷରେ ୨୦୧୪ ଜୁଲାଇରେ ହିମନ୍ତ କଂଗ୍ରେସର ୭୯ ବିଧାୟକଙ୍କ ମଧ୍ୟରୁ ୫୨ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିଲେ । ୨୦୧୫ରେ ଆସାମ ନିର୍ବାଚନର ରଣନୀତି ଓ ନେତୃତ୍ୱ ପ୍ରସଙ୍ଗକୁ ନେଇ ସେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । ତେବେ ରାହୁଲ ତାଙ୍କୁ ନଜରଅନ୍ଦାଜ କରିଥିବା ସେ ବିଭିନ୍ନ ସ୍ଥାନରେ କହିଥିଲେ । ଏହାପରେ କଂଗ୍ରେସର ତତ୍କାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ବି ଚିଠି ଲେଖିଥିଲେ । ନିରାଶ ହେବା ପରେ ୨୦୧୪ ଜୁଲାଇରେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ୨୦୧୫ରେ ବିଧାନସଭା ସଦସ୍ୟତା ଛାଡ଼ିଥିଲେ । ୨୦୧୫ ଅଗଷ୍ଟ ୨୩ରେ ସେ ନୂଆଦିଲ୍ଲୀରେ ଅମିତ ଶାହଙ୍କ ବାସଭବନରେ ପହଞ୍ଚି ବିଜେପିରେ ସାମିଲ ହୋଇଥିଲେ । ୨୦୧୬ରେ ଆସାମ ବିଧାନସଭା ନିର୍ବାଚନରେ ହିମନ୍ତ ଜଣେ ପ୍ରମୁଖ ରଣନୀତିକାର ଭୂମିକା ନିର୍ବାହ କରିଥିଲେ । ଏହାଦ୍ୱାରା ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହୋଇଥିଲା । ସର୍ବାନନ୍ଦ ସୋନୋୱାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ହିମନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମିଳିଥିଲା । ୨୦୨୧ ନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ସାଜି ହିମନ୍ତ ନିଜ ଦୃଢ଼ ନେତୃତ୍ୱର ଭରପୂର ପରିଚୟ ଦେଇଥିଲେ । ନିଜ ପାରମ୍ପରିକ ଜାଲୁକବାରୀ ଆସନରୁ ୧ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଲଗାତର ଦ୍ୱିତୀୟଥର ବିଜେପି ସରକାର ଗଠନ ହେବା ପରେ ଦଳ ସୋନୋୱାଲଙ୍କ ସ୍ଥାନରେ ହିମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା । ୨୦୨୧ ମେ ୧୦ରେ ସେ ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ହିମନ୍ତଙ୍କ ଭୂମିକା ଆସାମ ଯାଏ ସୀମିତ ନୁହେଁ ବିଜେପି ପାଇଁ ହିମନ୍ତଙ୍କ ମହତ୍ତ୍ୱ କେତେ ଅଧିକ, ତାହା ତାଙ୍କ ଅନ୍ଦାଜରୁ ଜଣାପଡ଼େ । ତାଙ୍କ ଭୂମିକା କେବଳ ଆସାମ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ସେ ରାଷ୍ଟ୍ରୀୟ ସ୍ତରରେ ଦିଲ୍ଲୀ ହାଇକମାଣ୍ଡ ଏବଂ ଅମିତ ଶାହଙ୍କର ସବୁଠୁ ଭରସାଯୋଗ୍ୟ ନେତା ସାବ୍ୟସ୍ତ ହୋଇଛନ୍ତି । ସେ ଦଳ ପାଇଁ ପୃଥକ ପୃଥକ ରାଜ୍ୟରେ ପ୍ରଚାର ତନ୍ତ୍ରକୁ ନେଇ ନିର୍ବାଚନୀ ପ୍ରସ୍ତୁତି ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଛନ୍ତି । ଉଦାହରଣ ଭାବେ ମହାରାଷ୍ଟ୍ରକୁ ନିଆଯାଇପାରେ । ମହା ବିକାଶ ଅଘାଡ଼ି ସରକାର ଭାଙ୍ଗିବା ବେଳେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଗୌହାଟୀ ରିସର୍ଟରେ ସୁରକ୍ଷିତ ଭାବେ ରଖାଯିବାର ପୂରା ଘଟଣା ପଛରେ ହିମନ୍ତଙ୍କ ହାତ ଥିଲା । ଏହାଛଡ଼ା ପଞ୍ଜାବର ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହର ସହଯୋଗୀଙ୍କୁ ଆସାମର ଦିବ୍ରୁଗଡ଼ ଜେଲରେ ରଖିବା ହେଉ ଅଥବା ବିରୋଧୀ ନେତା ଯଥା ପୱନ ଖେଡ଼ା ଓ ଜିଗ୍ନେଶ ମେୱାନିଙ୍କ ଉପରେ ପୁଲିସ ତରଫରୁ ତତ୍କାଳ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ହେଉ, ସବୁଥିରେ ହିମନ୍ତଙ୍କ ଉପରେ ବିଜେପି ନେତୃତ୍ୱଙ୍କ ଭରସା ସ୍ପଷ୍ଟ ଦେଖାଯାଏ । କଟ୍ଟର ହିନ୍ଦୁତ୍ୱର ଛବି କଂଗ୍ରେସର ପୃଷ୍ଠଭୂମି ହେବା ସତ୍ତେ୍ୱ ହିମନ୍ତ ବିଜେପିର କଟ୍ଟର ହିନ୍ଦୁତ୍ୱ ରାଜନୀତିକୁ ସମ୍ପୂର୍ଣ୍ଣ ଭାବେ ଆପଣାଇଛନ୍ତି । ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଏ ବାବଦରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ସେ ଗୋହତ୍ୟା ବିରୋଧୀ ଆଇନ ଗୃହୀତ କରାଇଛନ୍ତି । ରାଜ୍ୟ ତରଫରୁ ବିତ୍ତପୋଷିତ ମଦ୍ରାସାଗୁଡ଼ିକୁ ସାଧାରଣ ବିଦ୍ୟାଳୟରେ ପରିଣତ କରିଥିଲେ । ଏହି ଆକ୍ରାମକ ଛବି ସହ ସେ ସ୍ଥାନୀୟ ଜନତାଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ଭାବମୂର୍ତ୍ତି ଛିଡ଼ା କରାଇଥିଲେ । ଆସାମର ଯୁବପିଢ଼ି ଏବଂ ମହିଳା ତାଙ୍କୁ ସ୍ନେହରେ ମାମା (ମାମୁ) ଏବଂ ଦାଦା (ବଡ଼ଭାଇ) କହି ସମ୍ବୋଧନ କରନ୍ତି । ଜନତାଙ୍କ ଗହଣକୁ ଯାଇ ନାଚିବା, ଗୀତ ଗାଇବା ଏବଂ ଲୋକଙ୍କ ପାଖରେ ସରକାରୀ ଯୋଜନାର ଲାଭ ସିଧାସଳଖ ପହଞ୍ଚାଇବାରେ ସେ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି । ଅଧିକ ପଢ଼ନ୍ତୁ :-ଏହି ଗୋଟିଏ ସିଟ୍ରେ ଅଟକିଛି ନିଶ୍ୱାସ; ୨୪ ଘଣ୍ଟା ପରେ ବି ସରିନି ଗଣତି, ଜାଣନ୍ତୁ କାହା ପଲ୍ଲା ଭାରି ?
ଆସାମରେ ତୃତୀୟ ଥର ପାଇଁ ବିପୁଳ ବିଜୟ ହାସଲ କଲା ବିଜେପି, ହିମାନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.