Achira News Logo
Achira News

ଇରାନର ସାମରିକ ଲକ୍ଷ୍ୟ ଉପରେ ଆମେରିକା ଓ ଇସ୍ରାଏଲର ବିମାନ ଆକ୍ରମଣ

Prameya
ଇରାନର ସାମରିକ ଲକ୍ଷ୍ୟ ଉପରେ ଆମେରିକା ଓ ଇସ୍ରାଏଲର ବିମାନ ଆକ୍ରମଣ
Full News
Share:

ତେଲ୍‌ ଆଭିଭ/ତେହରାନ, ୧୯/୦୩ : ଇରାନ ନିଜ ଜିଦ୍‌ରେ ଅଟଳ ରହିଥିବା ବେଳେ ଆମେରିକା ଓ ଇସ୍ରାଏଲ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛନ୍ତି। ଇରାନ ଉପରେ ସେମାନେ ବଙ୍କର ବଷ୍ଟର ଓ କ୍ଲଷ୍ଟର ବୋମା ମାଡ଼ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ଏଥିରେ ଦେଶର କମାଣ୍ଡ ସେଣ୍ଟର, ମିସାଇଲ ଆଡ୍ଡା କ୍ଷତିଗ୍ରସ୍ତ ହୋଇଛି । ଇରାନୀ ସେନା ଘାଟି ଉପରେ ଆମେରିକା ୨୨୦୦ କିଲୋଗ୍ରାମର ବଙ୍କର ବଷ୍ଟର ବୋମା ମାଡ଼ କରିଛି । ଇସ୍ରାଏଲ ଏବେ ଇରାନର ଶକ୍ତି କେନ୍ଦ୍ର ଉପରେ ହମଲା ଆରମ୍ଭ କରିଦେଇଛି । ଅଲ୍‌ ଜଜିରା ରିପୋର୍ଟ ମୁତାବକ, ଇସ୍ରାଏଲର ଯୁଦ୍ଧ ବିମାନ ଦକ୍ଷିଣ ଇରାନର ବୁଶେହର ପ୍ରଦେଶରେ ଥିବା ପ୍ରମୁଖ ଗ୍ୟାସ ଭିତ୍ତିଭୂମି ଉପରେ ଏୟାରଷ୍ଟ୍ରାଇକ୍‌ କରିଛି । ଏହା ପୂର୍ବରୁ ବୁଶେହର ଅଞ୍ଚଳରେ ଥିବା ପରମାଣୁ ଢାଞ୍ଚା ନିକଟରେ ଆକ୍ରମଣର ଖବର ଆସିଥିଲା । ଇସ୍ରାଏଲ ଡିଫେନ୍ସ ଫୋର୍ସେସ (ଆଇଡିଏଫ୍‌)ର ଅନ୍ତର୍ଜାତୀୟ ମୁଖପାତ୍ର ନଦଭ ଶୋଶାନୀ କହିଛନ୍ତି, ଇରାନ ନିଜର ସମସ୍ତ ବଳ ଲଗାଇ ଦେଇଛି । କିନ୍ତୁ ତାହାକୁ ସୀମିତ କରି ଦିଆଯାଉଛି । ଇରାନର ଲୋରିସ୍ତାନ ପ୍ରଦେଶରେ ଆକ୍ରମଣ ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ୫୬ ଜଣ ଆହତ ହୋଇଛନ୍ତି । ଦକ୍ଷିଣପଶ୍ଚିମ ଇରାନରେ ଥିବା ଏକ ପ୍ରାକୃତିକ ଗ୍ୟାସ ପ୍ଲାଣ୍ଟ ଉପରେ ଇସ୍ରାଏଲ ଆକ୍ରମଣ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଞ୍ଜୁରି ପରେ ଏହି ହମ୍‌ଲା ହୋଇଛି। ସାଉଥ ପାର୍ସ ଗ୍ୟାସ୍‌ କ୍ଷେତ୍ର (ସାଉଥ ପାର୍ସ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ)ରେ ଥିବା ଏକାଧିକ ପ୍ଲାଣ୍ଟ ପ୍ରଭାବିତ ହୋଇଥିବା ଇରାନର ସରକାରୀ ଚ୍ୟାନେଲ୍‌ ତାସ୍‌ନିମ୍‌ ନ୍ୟୁଜ ଏଜେନ୍ସି କହିଛି। ପ୍ରଥମ ଥର ପାଇଁ ଇସ୍ରାଏଲ୍‌ ଇରାନର କୌଣସି ପ୍ରାକୃତିକ ଗ୍ୟାସ ବ୍ୟବସ୍ଥାକୁ ଟାର୍ଗେଟ୍‌ ବନାଇଛି। ଅସାଲୁୟେହ ସହରର ତୈଳଗ୍ୟାସ ବ୍ୟବସ୍ଥା ଉପରେ ମଧ୍ୟ ଏୟାରଷ୍ଟ୍ରାଇକ୍‌ ହୋଇଛି । ଏହାର ଜବାବରେ ଇରାନ ପୁଣି ଆକ୍ରମଣ ଜୋରଦାର କରିଛି। ୟୁଏଇ, କାତାର ଓ ସାଉଦି ଆରବର ତୈଳ ଓ ଗ୍ୟାସ ଡିପୋଠାରୁ ଦୂରେଇ ରହିବା ପାଇଁ ଏହା ଲୋକଙ୍କୁ କହିଛି। ଲେବାନନ ରାଜଧାନୀ ବିରୁଟରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ କରିବା ଯୋଗୁ ହିଜବୁଲ୍ଲା ସହ ଜଡ଼ିତ ଟିଭି ଚ୍ୟାନେଲ ଅଲ୍‌-ମନାରର ରାଜନୈତିକ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ମହମ୍ମଦ ଶାରୀ ଏବଂ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଛି। ଲେବାନନର ଅନ୍ୟ ଅଞ୍ଚଳରେ ହୋଇଥିବା ସଦ୍ୟ ଆକ୍ରମଣରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ୪୧ ଜଣ ଆହତ ହୋଇଛି। ଲେବାନନର ବେସାମରିକ ପ୍ରତିରକ୍ଷାର ୧୧ ସଦସ୍ୟ ଆହତ ହୋଇଛନ୍ତି। ବାଗ୍‌ଦାଦରେ ଆମେରିକା ଦୂତାବାସ ଉପରେ ହୋଇଥିବା ଆକ୍ରମଣରୁ ରକ୍ଷା ନିମନ୍ତେ ଏକ ସ୍ୱତନ୍ତ୍ର ମେସିନ ଲଗାଯାଇଛି । ଏହାକୁ ସି-ରାମ୍‌ (କାଉଣ୍ଟର-ରକେଟ, ଆର୍ଟିଲରି, ମୋର୍ଟାର) ବ୍ୟବସ୍ଥା କୁହାଯାଉଛି। ଯେତେବେଳେ କୌଣସି ରକେଟ କିମ୍ବା ଡ୍ରୋନ ଦୂତାବାସ ଆଡ଼କୁ ଆସିବ, ଏହି ମେସିନ ତାହାକୁ ବାୟୁରେ ହିଁ ଗୁଳି ମାଡ଼ କରି ଖସାଇ ଦେବ। ଏହି ଖବରଟିକୁ ପଢନ୍ତୁ-ଲାରିଜାନି ଓ ସୁଲେମାନିଙ୍କ ପରେ ଇସ୍ମାଇଲ ଖାତିବଙ୍କୁ ମାରିଲା ଇସ୍ରାଏଲ, ନେତାନ୍ୟାହୁ କହିଲେ- ‘ପଞ୍ଚ୍ କାର୍ଡ’ରୁ ଲିଭାଇ ଦେଲୁ ୩ ନାଁ

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଇରାନର ସାମରିକ ଲକ୍ଷ୍ୟ ଉପରେ ଆମେରିକା ଓ ଇସ୍ରାଏଲର ବିମାନ ଆକ୍ରମଣ | Achira News