Achira News Logo
Achira News

ଏପଷ୍ଟାଇନ୍ ଫାଇଲ୍ ସଂଯୋଗର ଗ୍ଲୋବାଲ୍ ୱେବ୍ ଉନ୍ମୋଚନ କରେ ଆନ୍ତର୍ଜାତୀୟ ଉତ୍ତେଜନାର ଏକ ନୂତନ ଯୁଗ?

Prameya
ଏପଷ୍ଟାଇନ୍ ଫାଇଲ୍ ସଂଯୋଗର ଗ୍ଲୋବାଲ୍ ୱେବ୍ ଉନ୍ମୋଚନ କରେ ଆନ୍ତର୍ଜାତୀୟ ଉତ୍ତେଜନାର ଏକ ନୂତନ ଯୁଗ?
Full News
Share:

ନୂଆଦିଲ୍ଲୀ ୦୪/୦୨:‘ଏପ୍‌ଷ୍ଟିନ୍‌ ଫାଇଲ୍ସ’ର ଗୋଟିଏ ପରେ ଗୋଟିଏ ରହସ୍ୟ ଫିଟୁଛି । ଅନେକ ଦେଶର ହାଇପ୍ରୋଫାଇଲ୍ ବ୍ୟକ୍ତିତ୍ୱଙ୍କ ନାଁ ସାମ୍ନାକୁ ଆସୁଛି । ଟ୍ରମ୍ପ୍, ବିଲ୍ ଗେଟ୍ସଙ୍କଠୁ ୟୁରୋପ, ମଧ୍ୟ ପ୍ରାଚ୍ୟ ଏପରିକି ଆଫ୍ରିକା ଓ ଏସିଆର ଅନେକ ଦେଶର ପ୍ରମୁଖ ରାଜନେତା, ଉଦ୍ୟୋଗୀ, କଳାକାର, ଏପରିକି ଶିକ୍ଷାବିତ୍ ଓ ବୈଜ୍ଞାନିକଙ୍କ ପାଖରେ ଏହା ପହଞ୍ଚିଛି । ଏହି କ୍ରମରେ ଦୀର୍ଘ ସମୟ ଧରି ଆମେରିକାର ଶକ୍ତିଶାଳୀ ବ୍ୟକ୍ତି ଥିବା ଜେଫରୀ ଏପ୍‌ଷ୍ଟିନ୍‌ଙ୍କ ସେହି କୁଖ୍ୟାତ ଦ୍ୱୀପର କାହାଣୀ, ଯାହା ତାଙ୍କ ଦୁଷ୍କର୍ମର ଆଡ୍ଡା ଥିଲା ତାକୁ ନେଇ ଆଶ୍ଚର୍ଯ୍ୟଚକିତ ରିପୋର୍ଟ ସାମ୍ନାକୁ ଆସିଛି । ଏବେ ଗ୍ରୀନ୍‌ଲାଣ୍ଡକୁ ନେଇ ଆମେରିକା ଓ ଡେନ୍‌ମାର୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଦୁଇ ଦେଶ ମଧ୍ୟରେ କିଛି ଦ୍ୱୀପର କିଣାବିକାକୁ ନେଇ ଦୀର୍ଘ ଦଶନ୍ଧି ପୂର୍ବେ ଏକ ଚୁକ୍ତି ହୋଇଥିଲା । ପରେ ତନ୍ମଧ୍ୟରୁ ଗୋଟିଏ ଦ୍ୱୀପ ଜେଫରୀ ଏପ୍‌ଷ୍ଟିନ କିଣିଥିଲେ ଏବଂ ତାକୁ ନିଜ କୁଚ୍ଛିତ କାର୍ଯ୍ୟର ଠିକଣା କରିଥିଲେ । ନ୍ୟୁୟର୍କ ପୋଷ୍ଟ୍‌ର ରିପୋର୍ଟ ଅନୁସାରେ, ଆମେରିକା ଡେନ୍‌ମାର୍କଠୁ ଜାଗା କିଣିବା ସମୟରେ ଏପ୍‌ଷ୍ଟିନ୍‌ ଦ୍ୱୀପ କିଣାଯାଇଥିଲା । ୧୯୧୭ର ଡେନ୍‌ମାର୍କ ୱେଷ୍ଟଇଣ୍ଡିଜ୍ ଚୁକ୍ତିନାମା ଅନୁସାରେ, ଆମେରିକା ୨.୫ କୋଟି ଡଲାର (ବର୍ତ୍ତମାନ ହାରାହାରି ୬୩.୩ କୋଟି ଡଲାର) ରେ ଭର୍ଜିନ ଦ୍ୱୀପସମୂହକୁ କିଣିଥିଲା । ସେଥିରେ ପ୍ରାୟ ୬୦ ଦ୍ୱୀପ ଥିଲା । ତନ୍ମଧ୍ୟରୁ ୭୦ ଏକରବିଶିଷ୍ଟ ଲିଟିଲ୍ ସେଣ୍ଟ ଜେମ୍ସ ଦ୍ୱୀପକୁ ଏପ୍‌ଷ୍ଟିନ ୧୯୯୮ରେ କିଣିଥିଲେ, ଯାହା ତାଙ୍କର ମୁଖ୍ୟ ବାସସ୍ଥଳୀ ପାଲଟିଥିଲା । ଏଠାରେ ସେ ନାବାଳିକାଙ୍କ ସହ ଯୌନ ଶୋଷଣ ଭଳି ଘୃଣ୍ୟ ପାର୍ଟି ଆୟୋଜନ କରୁଥିଲେ । ୨୦୧୯ରେ ତାଙ୍କ ମୃତ୍ୟୁ ପରଠୁ ଏହି ଦ୍ୱୀପ ‘ଏପ୍‌ଷ୍ଟିନ ଦ୍ୱୀପ’ ବା ‘ପେଡୋଫାଇଲ ଦ୍ୱୀପ’ ନାମରେ ପରିଚିତ ହୋଇଛି । ଦ୍ୱୀପକୁ ୨୦୦୦ ବିମାନର ହିସାବ ନାହିଁ: ସଦ୍ୟ ରିପୋର୍ଟ ଅନୁସାରେ, ଏପ୍‌ଷ୍ଟିନଙ୍କ ଦ୍ୱୀପକୁ ୨୦୦୦ରୁ ଅଧିକ ଏଭଳି ବିମାନ ଆସିଥିଲା, ଯାହାର ରିପୋର୍ଟ କରାଯାଇ ନ ଥିଲା । ଦ୍ୱୀପକୁ ଆସୁଥିବା ଲୋକଙ୍କ ନାଁ କଦାପି ସାମ୍ନାକୁ ନ ଆସିବା ଲାଗି ଏପରି କରାଯାଇଥିଲା । ଏକ ରିପୋର୍ଟରେ ଏ ବିଷୟ ଏବେ ସାମ୍ନାକୁ ଆସିଛି । ନୂଆ ତଥ୍ୟ ବିଶ୍ଳେଷଣରୁ ଏପ୍‌ଷ୍ଟିନଙ୍କ ଦ୍ୱୀପକୁ ହୋଇଥିବା ୨ ହଜାରରୁ ଅଧିକ ଉଡ଼ାଣ ବିଷୟରେ ଜଣାପଡ଼ିଛି, ଯାହାର ରିପୋର୍ଟ ପୂର୍ବରୁ ନ ଥିଲା । ଜାଲିଙ୍ଗୋ ଡାଟା ରିଫାଇନାରୀ ଦ୍ୱାରା କରାଯାଇଥିବା ଯାଞ୍ଚ୍‌ରୁ ଏପ୍‌ଷ୍ଟିନ୍‌ ଦ୍ୱୀପ ସହ ସଂଶ୍ଳିଷ୍ଟ ସେହି ରହସ୍ୟାବୃତ୍ତ ବିମାନ ଯାତ୍ରାର ତଥ୍ୟ ସାମ୍ନାକୁ ଆସିଛି । ଯାଞ୍ଚ୍‌ରୁ ୧୯୯୫-୨୦୦୭ ମଧ୍ୟରେ ୫,୨୫୩ ଉଡ଼ାଣ ରେକର୍ଡରେ ଏପ୍‌ଷ୍ଟିନ ଦ୍ୱୀପକୁ ୨,୩୪୮ ଅତିରିକ୍ତ ଉଡ଼ାଣର ତଥ୍ୟ ମିଳିଛି । ଏଥିରେ ଦ୍ୱୀପକୁ ଅତିକମ୍‌ରେ ୪,୯୬୬ଟି ରିପୋର୍ଟ ଓ ଅଣ-ରିପୋର୍ଟ ଉଡ଼ାଣ ରେକର୍ଡ ହୋଇଛି । ଦ୍ୱୀପକୁ ବ୍ୟକ୍ତିଗତ ଗନ୍ତବ୍ୟ ସ୍ଥଳ ସହ ଯୋଡୁଥିବା ପୂର୍ବରୁ ଅଜ୍ଞାତ ୧,୦୮୯ ଉଡ଼ାଣ ମାର୍ଗ ବି ଯାଞ୍ଚକର୍ତ୍ତା ଚିହ୍ନଟ କଲେ । ଗବେଷକ ଟିମ୍ ଅନୁସାରେ, ସାର୍ବଜନୀନ ରୂପେ ଉପଲବ୍ଧ ନ୍ୟାୟ ବିଭାଗର ରେକର୍ଡରୁ ଏହି ନିଷ୍କର୍ଷ ସଂକଳିତ କରାଯାଇଥିଲା । ସଠିକତା ସୁନିଶ୍ଚିତ କରିବା ପାଇଁ ୩ ବ୍ୟକ୍ତିଗତ ଉତ୍ସ ଏହାକୁ ସ୍ପଷ୍ଟ କରିଥିଲେ । ତଥ୍ୟ ଏକତ୍ର କରିବା ପରେ ଦ୍ୱୀପକୁ କେତେ ବିମାନ ଆସିଥିଲା ଏବଂ କେଉଁଠୁ ଆସିଥିଲା, ଜାଣିବାରେ ସେମାନେ ସକ୍ଷମ ହେଲେ । ଜାଲିଙ୍ଗୋ ଡାଟା ରିଫାଇନାରୀର ସିଇଓ କହିଛନ୍ତି, ସାର୍ବଜନୀନ ରୂପେ ଜଣାଶୁଣା ୨୦ରୁ ୩୦ ଉଡ଼ାଣ ମାର୍ଗ ତୁଳନାରେ ୧,୦୮୩ ଏଭଳି ଉଡ଼ାଣ ମାର୍ଗ ଥିଲା, ଯାହା ବିଷୟରେ ପୂର୍ବରୁ ସୂଚନା ନ ଥିଲା । ଯେଉଁ ତଥ୍ୟ ସେ ଅଦ୍ୟାବଧି ସାମ୍ନାକୁ ଆଣିଛନ୍ତି, ତା’ର କେବଳ ଗୋଟିଏ ଅଂଶ ଲୋକଙ୍କ ସାମ୍ନାକୁ ଅଣାଯାଇଛି ବୋଲି ସିଇଓ କହିଛନ୍ତି । ୨,୩୪୮ ଜଣ ଏପ୍‌ଷ୍ଟିନ ଦ୍ୱୀପକୁ ଯାଇଥିବା ସେମାନେ ଜାଣିବାକୁ ପାଇଛନ୍ତି । ପୂର୍ବରୁ କେବଳ ୧୫୦-୨୦୦ ଲୋକଙ୍କ ବିଷୟରେ ସେମାନେ ଜାଣିଥିଲେ । ଏଥିରୁ ସ୍ପଷ୍ଟ ଯେ କେବଳ କିଛି ଲୋକ ଦ୍ୱୀପକୁ ଯାଉନଥିଲେ, ସେଠାରେ ଆହୁରି ବହୁତ କିଛି ହେଉଥିଲା । ଏପ୍‌ଷ୍ଟିନ କେବଳ ବିଶ୍ୱର ପ୍ରଭାବଶାଳୀ ଲୋକଙ୍କ ପାଇଁ ଅନୈତିକ କାର୍ଯ୍ୟ ପାଇଁ ଏକ ଆଡ୍ଡା ଖୋଲିନଥିଲେ, ବରଂ ସେଠାକୁ ଯାଉଥିବା ନାମୀଦାମୀ ଲୋକଙ୍କ ପରିଚୟ ଲୁଚାଇବା ପାଇଁ ଉଚ୍ଚ ସ୍ତରରୁ ବ୍ୟକ୍ତିଗତ ବିମାନ, ହେଲିକପ୍ଟର, ପ୍ରାଇଭେଟ୍ ଜେଟ୍ ଓ ଚାର୍ଟର ବିମାନର ରିପୋର୍ଟ ବି କରାଇନଥିଲେ । ସେଥିପାଇଁ କିଏ କେତେବେଳେ ଓ କେଉଁଠୁ ଏହି ଦ୍ୱୀପକୁ ଆସିଲେ ଓ ଗଲେ ଜଣାପଡ଼ିଲା ନାହିଁ । ​​​​​​​ ଆହୁରି ପଢ଼ନ୍ତୁ...ସଙ୍କଟ ଘେରରେ ନରୱେର ରାଜ ପରିବାର: ଏପଷ୍ଟିନ୍ ‘ରେପ୍ ଭିଲା’ରେ ୪ ଦିନ ବିତାଇଥିଲେ ଭାବି ରାଣୀ, ପୁଅ ଉପରେ ବି ଗମ୍ଭୀର ଅଭିଯୋଗ ଜେଫରୀ ଏପ୍‌ଷ୍ଟିନ୍‌ କିଏ? ଜେଫରୀ ଏପ୍‌ଷ୍ଟିନ୍‌ ଆମେରିକାର ଜଣେ ବଡ଼ ଫାଇନାନ୍ସର ଥିଲେ । ତାଙ୍କ ପହଞ୍ଚ ଏମିତି ଥିଲା ଯେ ଟ୍ରମ୍ପ୍, ବିଲ କ୍ଲିଣ୍ଟନ୍, ବ୍ରିଟିଶ ରାଜ ପରିବାର ସଦସ୍ୟଙ୍କ ସମେତ ବିଶ୍ୱର ତମାମ ବଡ଼ ଉଦ୍ୟୋଗପତି, ଧନୀ ବ୍ୟକ୍ତି ବି ତାଙ୍କ ପାଖକୁ ଆସୁଥିଲେ । ଏପ୍‌ଷ୍ଟିନ୍‌ ୨୦୧୧ରେ ନ୍ୟୁୟର୍କ ପୋଷ୍ଟକୁ କହିଥିଲେ, ସେ ଯୌନ ଅପରାଧୀ ନୁହନ୍ତି । କେବଳ ଜଣେ ଅପରାଧୀ । ନାବାଳିକାଙ୍କ ଚୋରା ଚାଲାଣ ଓ ସେମାନଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ତାଙ୍କ ବିରୋଧରେ ମକଦ୍ଦମା ଚାଲିଥିବା ବେଳେ ୨୦୧୯, ଅଗଷ୍ଟ ୧୦ରେ ନ୍ୟୁୟର୍କର ଏକ ଜେଲରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ବିରୋଧରେ ନାବାଳିକାଙ୍କୁ ଯୌନ ଶୋଷଣର ଏକ ବିଶାଳ ନେଟ୍‌ୱର୍କ ଚଳାଇବାର ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ନାବାଳିକାଙ୍କୁ ବେଶ୍ୟାବୃତ୍ତିରେ ଲଗାଇବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିଲେ । ନ୍ୟୁୟର୍କରେ ଜନ୍ମିତ ଓ ବଢ଼ିଥିବା ଏପ୍‌ଷ୍ଟିନ ୭୦ ଦଶକ ମଧ୍ୟ ଭାଗରେ ସହରର ଘରୋଇ ଡାଲ୍‌ଟନ୍‌ ସ୍କୁଲରେ ଗଣିତ ଓ ଭୌତିକ ବିଜ୍ଞାନରେ ଶିକ୍ଷକତା କରୁଥିଲେ । ୧୯୮୨ ସୁଦ୍ଧା ସେ ନିଜର କମ୍ପାନି ଜେ ଏପ୍‌ଷ୍ଟିନ ଖୋଲି ସାରିଥିଲେ । କମ୍ପାନି ଗ୍ରାହକଙ୍କ ୮୦ କୋଟି ପାଉଣ୍ଡରୁ ଅଧିକ ମୂଲ୍ୟର ସମ୍ପତ୍ତିର ପ୍ରବନ୍ଧନ ଜରିଆରେ ଖୁବ୍‌ଶୀଘ୍ର ସଫଳ ହେଲା ଏବଂ ଏପ୍‌ଷ୍ଟିନ ସମ୍ପତ୍ତିକୁ ଖର୍ଚ୍ଚ କରିବା ଆରମ୍ଭ କରିଦେଲେ । ତନ୍ମଧ୍ୟରେ ଫ୍ଲୋରିଡ଼ାରେ ଏକ ଭବ୍ୟ ଘର, ନ୍ୟୁ ମେକ୍ସିକୋରେ ଏକ ଫାର୍ମହାଉସ୍ ଓ ନ୍ୟୁୟର୍କରେ ସବୁଠୁ ବଡ଼ ଘର କିଣିବା ଆଦି ସାମିଲ । ସେ ଧୀରେ ଧୀରେ ପ୍ରସିଦ୍ଧ ବ୍ୟକ୍ତି, କଳାକାର ଓ ରାଜନେତାଙ୍କ ସହ ମିଳାମିଶା ବଢ଼ାଇବାକୁ ଲାଗିଲେ । ଟ୍ରମ୍ପ୍, କ୍ଲିଣ୍ଟନ ଭଳି ବ୍ୟକ୍ତିଙ୍କ ସହ ଥିଲା ବନ୍ଧୁତା ଟ୍ରମ୍ପ୍ ୨୦୦୨ରେ ଏପ୍‌ଷ୍ଟିନ୍‌ଙ୍କ ଉପରେ ନ୍ୟୁୟର୍କ ପତ୍ରିକା ପାଇଁ ଲେଖିଥିବା ଏକ ନିବନ୍ଧରେ କହିଥିଲେ, ମୁଁ ଜେଫ୍ରୀଙ୍କୁ ୧୫ ବର୍ଷ ହେଲା ଜାଣିଛି । ସେ ଅତି ଚମତ୍କାର ବ୍ୟକ୍ତି । ତାଙ୍କ ସହ ସମୟ ବିତାଇବା ମଜାଦାର । ଆହୁରି ମଧ୍ୟ କୁହାଯାଏ, ତାଙ୍କୁ ସୁନ୍ଦରୀ ମହିଳା ସେତିକି ପସନ୍ଦ ଯେତିକି ମୋତେ । ସେମାନଙ୍କ ମଧ୍ୟରେ ଅନେକ କମ୍ ବୟସର । ୨୦୦୨ରେ ଏପ୍‌ଷ୍ଟିନ ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ୍ ଓ କଳାକାର କେଭିନ ସ୍ପେସି ଓ କ୍ରିସ୍ ଟକରଙ୍କୁ ସ୍ୱତନ୍ତ୍ର ରୂପେ ପ୍ରସ୍ତୁତ ଏକ ବ୍ୟକ୍ତିଗତ ଜେଟ୍‌ରେ ଆଫ୍ରିକା ଯାତ୍ରା କରାଇଥିଲେ । ୨୦୦୩ରେ ସେ ତତ୍କାଳୀନ ଫିଲ୍ମ ନିର୍ମାତା ହାର୍ଭେ ୱେନ୍‌ଷ୍ଟିନ୍‌ଙ୍କ ସହ ନ୍ୟୁୟର୍କ ପତ୍ରିକା କିଣିବାର ଅସଫଳ ପ୍ରୟାସ କରିଥିଲେ । ସେହି ବର୍ଷ ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ୩ କୋଟି ଡଲାର ଦାନ କରିଥିଲେ ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଏପଷ୍ଟାଇନ୍ ଫାଇଲ୍ ସଂଯୋଗର ଗ୍ଲୋବାଲ୍ ୱେବ୍ ଉନ୍ମୋଚନ କରେ ଆନ୍ତର୍ଜାତୀୟ ଉତ୍ତେଜନାର ଏକ ନୂତନ ଯୁଗ? | Achira News