Achira News Logo
Achira News

ଓଡ଼ିଶାର ଉଜୁଡ଼ା ଜଙ୍ଗଲର ସବୁଜ ଆଚ୍ଛାଦନକୁ ପୁନରୁଦ୍ଧାର କଲେ ଗ୍ରାମବାସୀ

Prameya
ଓଡ଼ିଶାର ଉଜୁଡ଼ା ଜଙ୍ଗଲର ସବୁଜ ଆଚ୍ଛାଦନକୁ ପୁନରୁଦ୍ଧାର କଲେ ଗ୍ରାମବାସୀ
Full News
Share:

ବାରିପଦା, ୧୮।୩(ସଞ୍ଜୟ କୁମାର ଚୌଧୁରୀ): ଉଜୁଡା ଜଙ୍ଗଲର ସବୁଜିମାକୁ ପୁଣି ଥରେ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି ଦୁଇ ଗ୍ରାମବାସୀ । ଶିମିଳିପାଳ ପାଦଦେଶରେ ତଥା ଶିମିଳିପାଳ ୱାଇଲ୍ଡ ଲାଇଫ୍ ଦକ୍ଷିଣ ଡିଭିଜନର ବାରିପଦା ବନାଞ୍ଚଳ ଅନ୍ତର୍ଗତ ଲୁଲୁଙ୍ଗ ରାସ୍ତାର ଡାହାଣ ପାଶ୍ୱର୍(ଉତ୍ତର ଦିଗ)ରେ ତଥା ବାଲିଡିହା ଡ୍ୟାମର ଡାହାଣ ପାଶ୍ୱର୍ (ଦକ୍ଷିଣ)ଦିଗରେ ଏକ ହୁଡି ଉପରେ ରହିଛି ଖସାଡିହା ଜଙ୍ଗଲ । ଜଙ୍ଗଲରେ ମୁଖ୍ୟତଃ ଶାଳଗଛର ସମ୍ଭାର ଦେଖିବାକୁ ମିଳୁଥିଲା ବେଳେ ଅନ୍ୟାନ୍ୟ ପ୍ରଜାତିର ଗଛ ମଧ୍ୟ ରହିଛି । ଘନ ସବୁଜିମାରେ ଭରା ଏହି ଜଙ୍ଗଲ ଏବେ ପ୍ରକୃତି ଓ ପରିବେଶବିତ୍‌ଙ୍କ ପାଇଁ ବେଶ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିବା ବେଳେ କେତେ କେତେ ଜଙ୍ଗଲି ଜୀବଜନ୍ତୁ, ପଶୁପକ୍ଷୀ, ସରୀସୃପ ଏବଂ କୀଟପତଙ୍ଗଙ୍କ ଅଭୟ ଆଶ୍ରୟସ୍ଥଳୀ ପାଲଟିଛି । ବିଶେଷ କରି ପିଠାବଟା ଗେଟ୍ଦେଇ ଶିମିଳିପାଳ ଭିତରେ ପ୍ରବେଶ ପାଇଁ ପର୍ଯ୍ୟଟକ ଯାଉଥିବା ବେଳେ ରଙ୍ଗାମାଟିଆ ପରେ ପରେ ରାସ୍ତାର ଡାହାଣ ପାଶ୍ୱର୍ରେ ଏହି ଜଙ୍ଗଲ ପଡ଼େ । ଏହା ବି ପଢ଼ନ୍ତୁ...​​​​​​​ଷ୍ଟ୍ରବେରି ଚାଷରେ ବାଂଶପାଳ ମହିଳାଙ୍କ କମାଲ: ମାତ୍ର ଦେଢ଼ ହେକ୍ଟରରୁ ଆୟ ୨୨ ଲକ୍ଷ ଟଙ୍କା ! ତେବେ ଆଜି ଏହି ଜଙ୍ଗଲକୁ ଦେଖି ସମସ୍ତେ ଖୁସି ହେଉଥିବା ବେଳେ ଦିନ ଥିଲା ନବେ ଦଶକର ପ୍ରାରମ୍ଭରେ ଜଙ୍ଗଲ ବିଭାଗର ଉଦାସୀନତା ପାଇଁ ଖସାଡିହା ଓ ବାଲିଡିହା ଗ୍ରାମବାସୀ ରାଗରେ ଏହି ଜଙ୍ଗଲକୁ କାଟି ସଫା କରିଦେଇଥିଲେ । କାରଣ ଥିଲା ଏପରି ଏହି ଜଙ୍ଗଲର ସୁରକ୍ଷା ନିମିତ୍ତ ଜଙ୍ଗଲ ବିଭାଗକୁ ବାରମ୍ବାର ଅନୁରୋଧ ପରେ ବି ଜଙ୍ଗଲ ବିଭାଗ ନିଦାବିଷ୍ଣୁ ସାଜିଲା । ଆଖି ଦେଖନ୍ତରେ ଦିନ ଦ୍ୱିପ୍ରହରେ ଜଙ୍ଗଲରୁ ଗଛକଟା ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍ । ଫଳରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ବଢିଚାଲିଲା । ଜଙ୍ଗଲର ବଡବଡ ଶାଳଗଛକୁ ବେଧଡକ ଭାବେ କଟାଗଲା । ସେଥିରେ କେତେକ ସ୍ଥାନୀୟ ଲୋକ ଓ କେତେକ ଭ୍ରଷ୍ଟ ବନକର୍ମଚାରୀଙ୍କ ମଧ୍ୟ ମିଳିତ ଭାଗିଦାରୀ ରହିଥାଏ । ଏ କଥା ସ୍ଥାନୀୟ ଅଞ୍ଚଳବାସୀଙ୍କୁ କାହାକୁ ଅଛପା ନ ଥାଏ । ସମସ୍ତଙ୍କ ଆଖି ଆଗରେ ଜଙ୍ଗଲ ମୂଳପୋଛ ହେବାକୁ ବସିଥଲା । ସ୍ଥାନୀୟ ଗଛକଟାଳି ଓ କାଠମାଫିଆଙ୍କ ସହ ଗ୍ରାମବାସୀଙ୍କର ଏକ ପ୍ରକାର ଛକାପଞ୍ଝା ମାନମନାନ୍ତର ଜାରି ରହିଥିଲା । ଆଉ ବନବିଭାଗ ସବୁଜାଣି ବି ଅନ୍ଧଧ୍ରୃତରାଷ୍ଟ୍ର ସାଜିଥିଲା । ଏଭଳି ସ୍ଥିତିରେ ‘ମୂଳୁମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି’ ନୀତି ଆପଣାଇ ଦୁଇଗାଁର ଗ୍ରାମବାସୀ ଏକାଥରେ ଜଙ୍ଗଲରେ ବାକି ରହିଥିବା ଗଛଗୁଡିକ ଉପରେ ଝପଟି ପଡ଼ିଲେ । କିଏ କୁରାଢିରେ କାଟିଲା ତ କିଏ କରତରେ ଏମିତି ଯିଏ ଯେତେ ପାରିଲା ଗଛ କାଟି ଘରକୁ ନେଇଗଲା । ବାସ୍ ଏଥର ସେହି ଟାଙ୍ଗରା ହୁଡିରେ କେବଳ କେତେକ ବୁଦୁବୁଦୁକିଆ ଗଛ ହିଁ ରହିଲା । ଜଙ୍ଗଲ ପଦା ହୋଇ ଯିବାରୁ ସେଠାରେ ରହୁ ଥିବା ଜୀବଜନ୍ତୁ ସବୁ ପ୍ରାଣବିକଳରେ ଯିଏ ଯୁଆଡ଼େ ପାରିଲେ ପଳେଇଗଲେ । କେତେକ ଜୀବଜନ୍ତୁ ଶିକାରୀ ହାବୁଡରେ ପଡି ପ୍ରାଣ ମଧ୍ୟ ହାରିଲେ । ସମୟ ଗଡ଼ିଚାଲିଲା । ଖସାଡିହାର ସେହି ଅଭିଶପ୍ତ ଟାଙ୍ଗରା ହୁଡି ଶାପମୁକ୍ତ ହୋଇ ପୁଣିଥରେ ଘଞ୍ଚଜଙ୍ଗଲର ସବୁଜିମା ଓ ଜୈବବିବିଧତାକୁ ତା’ କୋଳରେ କୋଳେଇ ନେବାକୁ ସତେ ଯେମିତି ବିଧାତାଙ୍କୁ ପ୍ରାର୍ଥନା କରୁଥିଲା । ତେବେ ପ୍ରାୟ ଏକ ଦଶନ୍ଧିର ବ୍ୟବଧାନ ପରେ ଜଣେ ସଚ୍ଚା ଜଙ୍ଗଲ ଅଧିକାରୀ, ଜଣେ ସଚ୍ଚା ପରିବେଶ ପ୍ରେମୀ ଓ ସ୍ଥାନୀୟ ଲୋକଙ୍କ ଜଙ୍ଗଲ ଓ ପରିବେଶ ପ୍ରତି ପ୍ରତିବଦ୍ଧତା ପାଇଁ ଉଜୁଡ଼ା ଜଙ୍ଗଲର ଚିତ୍ର ପୁଣି ଥରେ ସବୁଜିମାରେ ବଦଳି ଯାଇଥିଲା । ତତ୍କାଳୀନ କନଜରଭେଟର ତଥା ଅବସରପ୍ରାପ୍ତ ପିସିସିଏଫ୍ ଓ ଲୋକାୟୁକ୍ତ ଡଃ ଦେବବ୍ରତ ସ୍ୱାଇଁ କହନ୍ତି, ୨୦୦୩ ମସିହାରେ ଶିମିଳିପାଳର କନଜରଭେଟର ଭାବେ ସେ ଦାୟିତ୍ୱରେ ଥାନ୍ତି । ସେତେବେଳେ କାଠମାଫିଆ ଓ ଶିକାରୀଙ୍କ ପ୍ରାଦୁର୍ଭାବ ଅଧିକ ଥିବାରୁ ସେମାନଙ୍କ ଦାଉରୁ ଶିମିଳିପାଳକୁ ସୁରକ୍ଷା ଦେବା ପାଇଁ ସେ ବରାବର ବାରିପଦାରୁ ଲୁଲୁଙ୍ଗ ରାସ୍ତାରେ ପିଠାବଟା ଗେଟ ଦେଇ ଶିମିଳିପାଳକୁ ଯା’ ଆସ କରନ୍ତି । ସେହି ରାସ୍ତାରେ ଖସା ଡିହା ଜଙ୍ଗଲ ପଡ଼େ । ପୂର୍ବରୁ ତାହା ଏକ ଘଞ୍ଚ ଜଙ୍ଗଲ ଥିବା ବେଳେ ସେତେବେଳେ କେବଳ ନଣ୍ଡା ହୁଡିରେ କେତେକ ବୁଦୁବୁଦୁକିଆ ଗଛ ବ୍ୟତୀତ ଆଉ କିଛି ନଥିଲା । ଜଙ୍ଗଲ ଦୁର୍ଗତି ପଛର କାରଣ ଖୋଜିବାକୁ ଯାଇ ସେ ଜାଣିଲେ ଯେ, ୧୯୯୧/୯୨ ମସିହାରେ ସେହି ଜଙ୍ଗଲକୁ ସୁରକ୍ଷା ଯୋଗାଇ ଆସୁଥିବା ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ମାନମନାନ୍ତର ଯୋଗୁଁ ଜଙ୍ଗଲ ସଂପୂର୍ଣ୍ଣ ଉଜୁଡ଼ିଗଲା । ହଜାର ହଜାର କଟା ଗଛର ଗଣ୍ଡିରୁ ପୁଣିଥରେ ଜଙ୍ଗଲ ସୃଷ୍ଟି ଏହା ପ୍ରକୃତିର ନିୟମ ହୋଇଥିବା ବେଳେ କଅଁଳ କୁଆଁକୁ ସାମାନ୍ୟ ସୁରକ୍ଷା ଯୋଗାଇଦେଲେ ଯାଇ ସିନା ସବୁଜିମା ଭରିଯିବ । ସେଥିପାଇଁ ସମସ୍ତଙ୍କର ସହଯୋଗ ଲୋଡା ବିଚାର କରି ଡଃ ସ୍ୱାଇଁ ସେ ସମୟରେ ସେହି ଅଞ୍ଚଳରେ ୫/୭ଟି ଗ୍ରାମର ଯୁବକ ମାନଙ୍କୁ ନେଇ ଜଙ୍ଗଲ ଓ ଜୀବଜନ୍ତୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟଙ୍କ ସହଯୋଗ ଲୋଡ଼ିଲେ । ଭାନୁମିତ୍ର ଆଚାର୍ଯ୍ୟଙ୍କ ସହ ଉଜୁଡା ଜଙ୍ଗଲର ସ୍ଥିତାବସ୍ଥା ଫେରାଇ ଆଣିବାକୁ ଆଲୋଚନା କଲେ । ଭାନୁବାବୁଙ୍କ ଦ୍ୱାରା ଗଠନ ହୋଇଥିବା ଜଙ୍ଗଲ ସୁରକ୍ଷା ଦଳକୁ ସବୁଜବାହିନୀର ନାମ ଦିଆ ଗଲା । ଯାହାକି ଓଡ଼ିଶାର ପ୍ରଥମ ସବୁଜବାହିନୀ ଥିଲା । ଭାନୁବାବୁଙ୍କ ନେତୃତ୍ୱରେ ଖସାଡିହା ଓ ବାଲିଡିହା ଦୁଇଗ୍ରାମବାସୀଙ୍କୁ ଏକାଠି କରି ଜଙ୍ଗଲ ସୁରକ୍ଷାପାଇଁ ଆଲୋଚନା ଚାଲିଲା । ଦୁଇ ତିନୋଟି ବୈଠକ ପରେ ଗ୍ରାମବାସୀ ଜଙ୍ଗଲ ସୁରକ୍ଷାର ପ୍ରତିଶ୍ରୁତି ଦେଲେ । ଏ ସଂପର୍କରେ ବିଶିଷ୍ଟ ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ କହନ୍ତି, ବାରମ୍ବାର ବୈଠକ ଯୋଗୁଁ ଗ୍ରାମବାସୀଙ୍କ ଭଙ୍ଗାମନ ପୁଣି ଥରେ ଯୋଡିହେଲା । ଖସାଡିହା ଉଜୁଡା ଜଙ୍ଗଲର ସବୁଜିମାକୁ ଫେରାଇଆଣିବାକୁ ସଭିଏଁ ଶପଥ ନେଲେ । ଯେଉଁମାନେ କାଠମାଫିଆଙ୍କ ସହ ସାମିଲଥିଲେ ସେମାନଙ୍କୁ ଜଙ୍ଗଲ ସୁରକ୍ଷାର ଭାର ଦିଆଗଲା । ନିଷ୍ପତ୍ତି ହେଲା ଠେଙ୍ଗା ପାଳି କରି ଜଙ୍ଗଲକୁ ସୁରକ୍ଷା ଦେବେ । ପାଞ୍ଚବର୍ଷ ପାଇଁ ଜଙ୍ଗଲରେ କେହି ଗାଈ ଗୋରୁ ଛେଳି ଚରାଇବେ ନାହିଁ । ଏପରିକି ଜଙ୍ଗଲରେ ପ୍ରବେଶ କରି କେହି ଦାନ୍ତକାଠି ଖଣ୍ଡ ଭାଙ୍ଗିବେନି କି କିମ୍ବା କାଠ କାଟିବେନି । ବରଂ ଜଙ୍ଗଲକୁ ପ୍ରତିମୁହୂର୍ତ୍ତରେ ସୁରକ୍ଷା ଦେବେ । ବାସ୍ ପ୍ରୟାସ ସଫଳ ହେଲା । ଅଧାକଟା ଖଣ୍ଡିଆ ଗଣ୍ଡିରୁ କୁଆଁ ଗୁଡିକ ବଢି ଆକାଶକୁ ଚ୍ୟାଲେଞ୍ଜ ଦେବାକୁ ଚେଷ୍ଟା କଲା । ପାଞ୍ଚ ବର୍ଷ ଭିତରେ ଉଜୁଡା ଜଙ୍ଗଲର ସ୍ୱରୁପ ବଦଳିଗଲା । ଗ୍ରାମବାସୀଙ୍କ ପ୍ରଚେଷ୍ଟା ବନବିଭାଗର ସହଯୋଗ ଯୋଗୁଁ ଦଶନ୍ଧି ପରେ ଖସାଡିହା ହୁଡିରେ ଘଞ୍ଚ ଜଙ୍ଗଲର ସବୁଜିମା ସଭିଙ୍କୁ ଆମନ୍ତ୍ରଣ କରୁଛି ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଓଡ଼ିଶାର ଉଜୁଡ଼ା ଜଙ୍ଗଲର ସବୁଜ ଆଚ୍ଛାଦନକୁ ପୁନରୁଦ୍ଧାର କଲେ ଗ୍ରାମବାସୀ | Achira News