Achira News Logo
Achira News

ଟି-20 ବିଶ୍ୱକପ୍ 10ମ ସଂସ୍କରଣ ପାଇଁ ଭାରତ ଓ ଶ୍ରୀଲଙ୍କା ମିଳିତ ଆୟୋଜକ

Prameya
ଟି-20 ବିଶ୍ୱକପ୍ 10ମ ସଂସ୍କରଣ ପାଇଁ ଭାରତ ଓ ଶ୍ରୀଲଙ୍କା ମିଳିତ ଆୟୋଜକ
Full News
Share:

ନୂଆଦିଲ୍ଲୀ,୦୩/୦୨;ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଦଶମ ସଂସ୍କରଣ । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏହାର ଆୟୋଜକ ରହିଛନ୍ତି । ମୋଟ୍ ୨୦ଟି ଦଳ ଏଥିରେ ଭାଗ ନେଇଛନ୍ତି । ଫାଇନାଲ ପର୍ଯ୍ୟନ୍ତ ୫୫ଟି ମ୍ୟାଚ ଭାରତରେ ୫ଟି ଏବଂ ଶ୍ରୀଲଙ୍କାରେ ୩ଟି ଷ୍ଟାଡିୟମରେ ଖେଳାଯିବ । ବିଶ୍ୱକପ୍ ପୂର୍ବରୁ ବାଂଲାଦେଶ ବାଦ ପଡ଼ିବା ଏବଂ ପାକିସ୍ତାନ ସରକାର ଗ୍ରୁପ୍ ପର୍ଯ୍ୟାୟରେ ଭାରତ ବିପକ୍ଷ ମ୍ୟାଚ ବୟକଟ୍ କରିବା ବିଷୟ ଘୋଷଣା କରିବା ବିଶ୍ୱକପ୍‌କୁ କିଛି ମାତ୍ରାରେ ବିବାଦୀୟ କରି ଦେଇଛି । ୨୦ ଦଳ, ୫୫ ମ୍ୟାଚ, ୮ ଷ୍ଟାଡିୟମ-ଟି-ଟ୍ୱେଣ୍ଟି ଫଟାଫଟ କ୍ରିକେଟ୍‌ର ଭରପୂର ରୋମାଞ୍ଚ । ପ୍ରତି ୨ ବର୍ଷରେ ଏହି ଫର୍ମାଟରେ ଆୟୋଜିତ ହେଉଛି ବିଶ୍ୱକପ୍ । ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ପ୍ରଥମ ୪ଟି ସଂସ୍କରଣରେ ୧୨ଟି ଲେଖାଏଁ ପ୍ରମୁଖ ଦଳ ଭାଗ ନେଉଥିଲେ । ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ୧୬ଟି ଦଳ ଥିଲେ ଏବଂ ୨୦୨୪ ସଂସ୍କରଣରୁ ଦଳ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ତେଣୁ ଦଶମ ସଂସ୍କରଣରେ ମଧ୍ୟ ୨୦ଟି ଦଳ ଭାଗ ନେଉଛନ୍ତି । ଦଳ ସଂଖ୍ୟା ବଢ଼ୁଥିବାରୁ ଟୁର୍ଣ୍ଣାମେଣ୍ଟର ମ୍ୟାଚ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ୨୦ଟି ଦଳ ଏଥର ଫାଇନାଲ ପର୍ଯ୍ୟନ୍ତ ୫୫ଟି ମ୍ୟାଚ ଖେଳିବେ । ୪ଟି ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଲେଖାଏଁ ଦଳ ସୁପର-୮କୁ ଉନ୍ନୀତ ହେବେ । ସୁପର-୮ରେ ଦୁଇଟି ଗ୍ରୁପ୍ ହେବ ଏବଂ ପ୍ରତ୍ୟେକ ଗ୍ରୁପ୍‌ର ୨ଟି ଦଳ ସେମି ଫାଇନାଲ ଖେଳିବେ । ଏଥରକୁ ମିଶାଇ ଭାରତ ଦ୍ୱିତୀୟ ଥର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆୟୋଜନ କରୁଛି । ଆୟୋଜକ ଭାବରେ ଭାରତ ଓ ଶ୍ରୀଲଙ୍କା ବିଶ୍ୱକପ୍‌ ସିଧାସଳଖ ଯୋଗ୍ୟତା ହାସଲ କରିଥିଲେ । ସେମିତି ୨୦୨୪ ସଂସ୍କରଣର ଶ୍ରେଷ୍ଠ ୭ ଦଳ ଦଶମ ସଂସ୍କରଣକୁ ଟିକେଟ୍ ପାଇଥିଲେ । ଆଇସିସି ଟି-ଟ୍ୱେଣ୍ଟି ମାନ୍ୟତା ଅନୁସାରେ ୩ଟି ଦଳ ଯୋଗ୍ୟ ବିବେଚିତ ହୋଇଥିଲେ । ଅବଶିଷ୍ଟ ୮ଟି ଦଳ ଯୋଗ୍ୟତା ପର୍ଯ୍ୟାୟରୁ ଆସିଥିଲେ । ଇଟାଲୀର ପଦାର୍ପଣ ଯୋଗ୍ୟତା ପର୍ଯ୍ୟାୟରୁ ଯେଉଁ ୮ଟି ଦଳ ବିଶ୍ୱକପ୍ ଟିକେଟ୍ ହାସଲ କରିଛନ୍ତି ସେମାନଙ୍କ ମଧ୍ୟରେ ଇଟାଲୀ ଅନ୍ୟତମ । ପ୍ରଥମ ଥର ଦଳ ଏଥର ବିଶ୍ୱକପ୍ ଖେଳିବ । ଆମେରିକାରୁ କାନାଡ଼ା, ୟୁରୋପରୁ ଇଟାଲୀ ଓ ନେଦରଲାଣ୍ଡସ, ଆଫ୍ରିକାରୁ ନାମିବିୟା ଓ ଜିମ୍ବାୱେ ଏବଂ ଏସିଆରୁ ନେପାଳ, ଓମାନ ଓ ୟୁଏଇ ରହିଛନ୍ତି । ଭେନ୍ୟୁ ଭାରତ ୫, ଶ୍ରୀଲଙ୍କା ୩ ଗତ ଚାମ୍ପିଅନ୍ସ ଟ୍ରଫି ସମୟରେ ଆଇସିସିର ମଧ୍ୟସ୍ଥତାରେ ବିସିସିଆଇ ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମଧ୍ୟରେ ଚୁକ୍ତି ଅନୁସାରେ ଭାରତ ଗସ୍ତରେ ପାକିସ୍ତାନ ଏବଂ ପାକିସ୍ତାନ ଗସ୍ତରେ ଭାରତ ଯିବ ନାହିଁ । ଯଦି ଭାରତ କିମ୍ବା ପାକିସ୍ତାନ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରନ୍ତି, ତେବେ ଦୁଇ ଦଳ ନିରପେକ୍ଷ ଭେନ୍ୟୁରେ ଖେଳିବେ । ସେହି ଆଧାରରେ ବିସିସିଆଇ ଆଉ ଏକାକୀ କୌଣସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିପାରିବ ନାହିଁ । ଏଥର ବିଶ୍ୱକପ୍ ଆୟୋଜନରେ ଶ୍ରୀଲଙ୍କାକୁ ସାଥି କରିବାକୁ ପଡ଼ିଛି । ପାକିସ୍ତାନ ଦଳ ତା’ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ । ଭାରତରେ ୫ଟି ଯଥା-ଅହମ୍ମଦାବାଦ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇ ଏବଂ ଶ୍ରୀଲଙ୍କାରେ କଲମ୍ବୋ ଓ କାଣ୍ଡିରେ ୩ଟି ଷ୍ଟାଡିୟମରେ ଖେଳାଯିବ । ଭାରତ ଡିଫେଣ୍ଡି ଚାମ୍ପିୟନ-୨୦୦୭ରେ ଆୟୋଜିତ ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିଅନ ହୋଇଥିଲା । ପୁଣି ୨୦୨୪ରେ ଦଳ ଦ୍ୱିତୀୟ ଟାଇଟଲ ଜିତିବାରେ ସଫଳ ହୋଇଛି । ଡିଫେଣ୍ଡିଂ ଚାମ୍ପିଅନ ଭାବରେ ଦଳ ଏଥର ଘରୋଇ ଗ୍ରାଉଣ୍ଡରେ ଟାଇଟଲ ବଜାୟ ରଖିବ ବୋଲି ଆଶା କରାଯାଉଛି । ପୂର୍ବରୁ ଇଂଲଣ୍ଡ (୨୦୧୦, ୨୦୨୨) ଏବଂ ୱେଷ୍ଟଇଣ୍ଡିଜ (୨୦୧୨ ଓ ୨୦୧୬) ଦୁଇ ଥର ଲେଖାଏଁ ଚାମ୍ପିଅନ ହୋଇଛନ୍ତି । ଏହା ବି ପଢନ୍ତୁ...ଭାରତ ସହ ନଖେଳିଲେ ପାଣିରେ ପଡ଼ିବ ପାକିସ୍ତାନର ୫୦୦ ମିଲିୟନ ଡଲାର, ପ୍ରତି ୧୦ ସେକେଣ୍ଡରେ ୫୦ ଲକ୍ଷ କ୍ଷତି ପାକିସ୍ତାନର ବୟକଟ୍ -କୌଣସି କାରଣ ନଦର୍ଶାଇ ପାକିସ୍ତାନ ସରକାର ଗତ ରବିବାର ଦିନ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ, ପାକିସ୍ତାନ ଦଳ ବିଶ୍ୱକପ୍ ଖେଳିବା ପାଇଁ ଶ୍ରୀଲଙ୍କା ଯାତ୍ରା କରିବ । କିନ୍ତୁ ଆସନ୍ତା ୧୫ ତାରିଖରେ ଭାରତ ବିପକ୍ଷରେ ଆମ ଦଳ ପଡ଼ିଆକୁ ଓହ୍ଲାଇବ ନାହିଁ । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଯଦିଓ ଏ ବିଷୟରେ ଲିଖିତ ଭାବେ କିଛି ଆଇସିସିକୁ ଜଣାଇ ନାହାନ୍ତି । କିନ୍ତୁ ଆଇସିସି ଏ ବିଷୟରେ ଗଣମାଧ୍ୟମରୁ ସୂଚନା ପାଇ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପାକିସ୍ତାନକୁ ପରାମର୍ଶ ଦେଇଛି । ବାଂଲାଦେଶ ବିଦା -ବିସିସିଆଇ ଆଇପିଏଲରୁ ମୁସ୍ତାଫିଜୁର ରେହମାନଙ୍କୁ ବିଦା କରିବା ପରେ ଭାରତ ଓ ବାଂଲାଦେଶ କ୍ରୀଡ଼ା ସଂପର୍କ ତିକ୍ତ ହୋଇ ପଡ଼ିଥିଲା । ବାଂଲାଦେଶ ସୁରକ୍ଷା କାରଣ ଦର୍ଶାଇ ଭାରତ ଗସ୍ତରେ ଆସିବାକୁ ମନା କରିଦେଇଥିଲା । ଶ୍ରୀଲଙ୍କା କିମ୍ବା ନିରପେକ୍ଷ ଭେନ୍ୟୁରେ ବିଶ୍ୱକପ୍ ଖେଳିବା ବିଷୟରେ ଲିଖିତ ଭାବେ ଆଇସିସିକୁ ଜଣାଇଥିଲା । ବାରମ୍ବାର ଆଲୋଚନା ପରେ ବି ଆଇସିସି ବାଂଲାଦେଶକୁ ବୁଝାଇ ପାରି ନଥିଲା । ଶେଷରେ ବାଂଲାଦେଶ ବିଶ୍ୱକପ୍ରୁ ବାଦ ପଡ଼ିଥିଲା । ଆଇସିସି ସେହି ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କରିଥିଲା ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଟି-20 ବିଶ୍ୱକପ୍ 10ମ ସଂସ୍କରଣ ପାଇଁ ଭାରତ ଓ ଶ୍ରୀଲଙ୍କା ମିଳିତ ଆୟୋଜକ | Achira News