Achira News Logo
Achira News

ଟିକସ ବାବଦ କେନ୍ଦ୍ରୀୟ ଅଂଶ ଭାବେ ଓଡ଼ିଶାକୁ ମିଳିବ 69,105 କୋଟି ଟଙ୍କା

Prameya
ଟିକସ ବାବଦ କେନ୍ଦ୍ରୀୟ ଅଂଶ ଭାବେ ଓଡ଼ିଶାକୁ ମିଳିବ 69,105 କୋଟି ଟଙ୍କା
Full News
Share:

ଭୁବନେଶ୍ୱର, ୦୨/୦୨: କେନ୍ଦ୍ରୀୟ ଟିକସ ଭାଗ ବାବଦରେ ଓଡ଼ିଶାକୁ ପ୍ରାୟ ୬୯ ହଜାର ୧୦୫ କୋଟି ଟଙ୍କା ମିଳିବ । ଚଳିତ ଆର୍ଥିକ ବର୍ଷ ତୁଳନାରେ ଏହା ପ୍ରାୟ ୬ ହଜାର କୋଟି ଅଧିକ । ହେଲେ କେନ୍ଦ୍ରୀୟ ଅନୁଦାନ ବଢ଼ିବ କି ଖସିବ ସନ୍ଦେହରେ ଅଛି । ବଜେଟ୍ ପ୍ରସ୍ତାବ ଅନୁସାରେ ଟିକସ ଭାଗ ବାବଦରେ ରାଜ୍ୟଗୁଡ଼ିକୁ ମୋଟ ୧୫ ଲକ୍ଷ ୨୬ ହଜାର ୨୫୫ କୋଟି ମିଳିଛି । ପଞ୍ଚଦଶ ଅର୍ଥ କମିସନଙ୍କ ଧାର୍ଯ୍ୟ ହାରରେ ଓଡ଼ିଶାକୁ ଏହାର ୪.୫୨୮% (୬୯,୧୦୫ କୋଟି) ମିଳିବ । ଅର୍ଥମନ୍ତ୍ରୀ କହିଛନ୍ତି, ଷୋଡ଼ଶ ଅର୍ଥ କମିସନଙ୍କ ସୁପାରିସ ସରକାର ଗ୍ରହଣ କରିଛନ୍ତି ଓ ତଦନୁଯାୟୀ ରାଜ୍ୟଗୁଡ଼ିକୁ ଆସନ୍ତା ୫ ବର୍ଷ ପାଇଁ ସମ୍ବଳ ହସ୍ତାନ୍ତର କରାଯିବ । ଯଦିଓ ମୋଟ ଭାଗ ୪୧% ରହିଛି, ଓଡ଼ିଶାର ଏଥିରୁ କେତେ ପ୍ରତିଶତ ପାଇବ ତାହା ଜଣାପଡ଼ି ନାହିଁ । ଓଡ଼ିଶାର ହାର ୪.୫୨୮%ରୁ ଅଧିକ ହେଲେ ରାଜ୍ୟକୁ ଟିକସ ଭାଗ ଅଧିକ ମିଳିବା ସମ୍ଭାବନା ରହିଛି । ସଂସଦରେ କମିସନଙ୍କ ରିପୋର୍ଟ ଉପସ୍ଥାପନ ହେବା ପରେ ଚିତ୍ର ସ୍ପଷ୍ଟ ହେବ । ଚଳିତ ଆର୍ଥିକ ବର୍ଷ (୨୦୨୫- ୨୬) କିନ୍ତୁ ବଜେଟ ଆକଳନ ତୁଳନାରେ ଓଡ଼ିଶାକୁ ଟିକସ ଭାଗ ବାବଦରେ ୧୩୩୦ କୋଟି ଟଙ୍କା କମ୍ ମିଳିବ । କାରଣ ଆକଳନ ତୁଳନାରେ ଆୟ ପ୍ରାୟ ୨୯ ହଜାର ୪୭୩ ଟଙ୍କା କମ୍ ହୋଇଛି । ଆକଳନ କରାଯାଇଥିଲା ୧୪ ଲକ୍ଷ ୨୨ ହଜାର ୪୪୪ କୋଟି ଟଙ୍କା ମୋଟ ଟିକସ ଭାଗ ହେବ । ସଂଶୋଧିତଆକଳନରେ ଏହା ୧୩ ଲକ୍ଷ ୯୨ ହଜାର ୯୭୧ କୋଟି ଟଙ୍କାକୁ ଖସି ଯାଇଛି । ଏହାକୁ ହିସାବ କରାଗଲେ ଓଡ଼ିଶା ଏ ବାବଦରେ ଏ ବର୍ଷ ମୋଟ ୬୩ ହଜାର ୭୩ କୋଟି ଟଙ୍କା ପାଇବ । ସରକାର ଆକଳନ କରିଥିଲେ ୬୪ ହଜାର ୪୦୮ କୋଟି ଟଙ୍କା । କେନ୍ଦ୍ରୀୟ ଅନୁଦାନ ବାବଦରେ ଚଳିତ ଆର୍ଥିକ ବର୍ଷ ୪୧ ହଜାର ୫୯୧ କୋଟି ମିଳିବ ବୋଲି ଓଡ଼ିଶା ସରକାର ଆକଳନ କରିଥିଲେ । ହେଲେ ଡିସେମ୍ବର ମାସ ସୁଦ୍ଧା ମିଳିଛି ମାତ୍ର ୯ ହଜାର ୮୨୪ କୋଟି ଟଙ୍କା, ଯାହା ମୋଟ ଆକଳନର ପାଖାପାଖି ୨୪ ପ୍ରତିଶତ । ଆଜିର ବଜେଟ୍ ଓ ଅର୍ଥ କମିଶନଙ୍କ ନୂଆ ସୁପାରିଶ ଆଧାରରେ କେନ୍ଦ୍ରୀୟ ଅନୁଦାନ କେତେ ଅଧିକ ମିଳିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଟିକସ ବାବଦ କେନ୍ଦ୍ରୀୟ ଅଂଶ ଭାବେ ଓଡ଼ିଶାକୁ ମିଳିବ 69,105 କୋଟି ଟଙ୍କା | Achira News