Achira News Logo
Achira News

ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିବାର ଆଶଙ୍କା ସହିତ ଭାରତ ତୀବ୍ର ଉତ୍ତାପ ତରଙ୍ଗ ସମ୍ମୁଖୀନ ହେଉଛି

Dharitri
ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିବାର ଆଶଙ୍କା ସହିତ ଭାରତ ତୀବ୍ର ଉତ୍ତାପ ତରଙ୍ଗ ସମ୍ମୁଖୀନ ହେଉଛି
Full News
Share:

ନୂଆଦିଲ୍ଲୀ, ୪ା୫: ଚଳିତ ବର୍ଷର ଗ୍ରୀଷ୍ମଋତୁ ଆରମ୍ଭ ମାତ୍ର। ହେଲେ ଏବେଠାରୁ ଦେଶର ପ୍ରାୟ ପ୍ରତ୍ୟେକ ଭାଗରେ ଯେଭଳି ଗରମ ଅନୁଭୂତ ହେଉଛି ତାହା ସବୁ ବର୍ଷର ରେକର୍ଡକୁ ଟପିଯିବା ଭଳି ମନେ ହେଉଛି। ଏପ୍ରିଲ ମଧ୍ୟଭାଗ ସୁଦ୍ଧା ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଏବଂ ଛତିଶଗଡ଼ ଆଦି ରାଜ୍ୟରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ଛୁଇଁଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ସତର୍କତା ଅନୁସାରେ ଦେଶର ପୂର୍ବ,କେନ୍ଦ୍ର ଏବଂ ଉତ୍ତର ପଶ୍ଚିମ ଭାଗରେ ଚଳିତ ବର୍ଷ ସ୍ବାଭାବିକଠାରୁ ଅଧିକ ଗ୍ରୀଷ୍ମ ପ୍ରବାହ ହେବ। ଏହାଛଡ଼ା ଚଳିତ ବର୍ଷ ଏଲ୍‌-ନିନୋ ପ୍ରଭାବରେ ମୌସୁମୀ ବର୍ଷା କମ୍‌ ହେବାର ଆଶଙ୍କା ରହିଥିବାରୁ ଗରମ ଏବଂ ଗୁଳୁଗୁଳି ଅସହ୍ୟ ହୋଇପଡ଼ିବ ବୋଲି ଆକଳନ କରାଯାଉଛି। ବିଶେଷକରି ସହରାଞ୍ଚଳ ସ୍ଥିତି ଗ୍ରାମାଞ୍ଚଳ ତୁଳନାରେ ଅଧିକ କଠିନ ହୋଇପଡ଼ିବାର ଆଶଙ୍କା ବଢାଇଛି। କାରଣ ସହରାଞ୍ଚଳ ଦେଶର ଅନ୍ୟାନ୍ୟ ଭାଗ ତୁଳନାରେ ୨ ଗୁଣ ଅଧିକ ଉତ୍ତପ୍ତ ହୋଇପଡ଼ୁଛି ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ସ୍ବତନ୍ତ୍ର ଅନୁଧ୍ୟାନରୁ ଜଣାପଡ଼ିଛି। ସହରାଞ୍ଚଳରେ ଗଛବୃକ୍ଷ ନଷ୍ଟ ସହ କୋଠାବାଡ଼ି ସଂଖ୍ୟା ବଢି କଂକ୍ରିଟ୍‌ ଜଙ୍ଗଲ ବୃଦ୍ଧି ହେବା ଦ୍ୱାରା ଅଧିକ ସୂର୍ଯ୍ୟ ଉତ୍ତାପ ବାୟୁମଣ୍ଡଳ ସମେତ ଭୂପୃଷ୍ଠ ଉତ୍ତାପ ବଢାଇ ‘ ଅର୍ବାନ ହିଟ୍‌ ଆଇଲାଣ୍ଡ’(ୟୁଏଚ୍‌ଆଇ) ପ୍ରଭାବ ସୃଷ୍ଟି କରିବା ଦିନ ଓ ରାତିରେ ଉତ୍ତାପ ବୃଦ୍ଧି କରିବାର ମୁଖ୍ୟ କାରଣ ପାଲଟିଛି। ଏହିକ୍ରମରେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଭଳି ବଡ଼ ବଡ଼ ସହର ସମେତ ମଧ୍ୟମ ସହରଗୁଡିକ ଅଧିକ ଉତ୍ତପ୍ତ ହେବାରେ ଲାଗିଛି। ସହରାଞ୍ଚଳରେ ଅସହ୍ୟ ଗରମରୁ ରକ୍ଷା ପାଇବା ଲାଗି ଲୋକମାନେ ଏୟାର କଣ୍ଡିଶନର(ଏସି)ର ବ୍ୟବହାର ବଢାଇ ଚାଲିଛନ୍ତି। ଗରମରୁ ରକ୍ଷା ପାଇବା ଲାଗି ଏସିର ବ୍ୟବହାର ସାରା ବିଶ୍ୱରେ ଭାରତରେ ସବୁଠୁ ଅଧିକ। ୨୦୨୪ରେ ଭାରତୀୟ ବଜାରରେ ୪୦ ନିୟୁତ ଏସି ବିକ୍ରି ହେବା ଘଟଣା ନୂଆ ରେକର୍ଡ ସୃଷ୍ଟି କରିଥିଲାବେଳେ ଏହାମଧ୍ୟରେ ଏହି ସଂଖ୍ୟା ଆହୁରି ଅଧିକ ସ୍ତରରେ ପହଞ୍ଚିଥିବା କଞ୍ଜ୍ୟୁମର୍‌ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ ଆପ୍ଲିଆନ୍ସ୍‌ ମାନୁଫାକ୍‌ଚର ଆସୋସିଏଶନ ପକ୍ଷରୁ କୁହାଯାଇଛି। କିନ୍ତୁ ଭାରତରେ ଏତେ ସଂଖ୍ୟାରେ ଏସି ବ୍ୟବହାର ପରୋକ୍ଷରେ ପରିବେଶ ପାଇଁ ଉତ୍କଟ ସ୍ଥିତି ସୃଷ୍ଟି କରୁଥିବା କୁହାଯାଇଛି। ଏସି ଗରମରୁ ରକ୍ଷା ଦେଉଥିଲେ ହେଁ ଏହାର ପ୍ରଭାବ ବାୟୁମଣ୍ଡଳ ଏବଂ ପୃଥିବୀକୁ ଉତ୍ତପ୍ତ କରିବାରେ ଲାଗିଛି ବୋଲି ଗବେଷକମାନେ କହିଛନ୍ତି।ପ୍ରଥମତଃ ଖରାଦିନେ ବିପୁଳ ସଂଖ୍ୟାରେ ଏସି ଚାଲୁଥିବାରୁ ଅଧିକ ବିଦ୍ୟୁତ୍‌ଶକ୍ତି ଉପଯୋଗ ହୋଇଥାଏ। ଭାରତରେ ମୁଖ୍ୟତଃ କୋଇଲା ଏବଂ ଡିଜେଲ ଭଳି ଜୀବାଶ୍ମ ଇନ୍ଧନରୁ ବିଦ୍ୟୁତ୍‌ ଉତ୍ପନ୍ନ ହେଉଥିବାରୁ ଏହାର ପ୍ରଭାବ ମଧ୍ୟ ବାୟୁମଣ୍ଡଳ ଉପରେ ଅନୁଭୂତ ହୋଇଥାଏ। ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶରେ ପିକ୍‌ ଆଓ୍ବାର ବିଦ୍ୟୁତ୍‌ ଚାହିଦା ୧୮୨.୫ ଗିଗାଓ୍ବାଟ୍‌ ରହିଥିଲାବେଳେ ୨୦୨୪ରେ ଏହା ୨୫୦ ଗିଗାଓ୍ବାଟକୁ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଏହା ୨୭୦ ଗିଗାଓ୍ବାଟ୍‌ରେ ପହଞ୍ଚିବ ବୋଲି ଅନୁମାନ ଲଗାଇ ସରକାର ଏଥିପାଇଁ ପ୍ରସ୍ତୁତି ନେଇଛନ୍ତି। ୨୦୨୩ରେ ଗ୍ରୀଷ୍ମକାଳୀନ ବିଦ୍ୟୁତ୍‌ ଚାହିଦାକୁ ନେଇ ଜୀବାଶ୍ମ ଇନ୍ଧନରୁ ଉତ୍ପନ୍ନ ଶକ୍ତି ୨୮୫୩ ୟୁନିଟ୍‌କୁ ବୃଦ୍ଧି ପାଇଥିଲା। କିନ୍ତୁ ଏହାଦ୍ୱାରା ବାୟୁମଣ୍ଡଳରେ ୨ ନିୟୁତ ଟନ୍‌ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ୍‌ ପ୍ରବେଶ କରିଥିଲା। ଦ୍ୱିତୀୟରେ ‘ସ୍ପ୍ଲିଟ୍‌ ଏସି’ରେ ବ୍ୟବହାର ହେଉଥିବା ରାସାୟନିକ ରେଫ୍ରିଜେରାଣ୍ଟ୍‌ ମଧ୍ୟ ପରିବେଶ ପାଇଁ ଅଧିକ କ୍ଷତିକାରକ ସାବ୍ୟସ୍ତ ହେବାରେ ଲାଗିଛି। ଏହି ରେଫ୍ରିଜେରାଣ୍ଟ ମୁଖ୍ୟତଃ ‘ହାଇଡ୍ରୋଫ୍ଲୋରୋକାର୍ବନ(ଏଚ୍‌ଏଫ୍‌ସି) ଏବଂ ‘ଆର୍‌-୪୧୦ଏ’ ଶ୍ରେଣୀର ହୋଇଥିବାରୁ ଏହା ଅଙ୍ଗାରକାମ୍ଲ ଗ୍ୟାସ୍‌ ତୁଳନାରେ ୨୦୦୦ ଗୁଣ ଅଧିକ ଗ୍ଲୋବାଲ ଓ୍ବାର୍ମିଂର କାରଣ ହେଉଛି। ୨୦୫୦ ସୁଦ୍ଧା ସାରା ବିଶ୍ୱରେ ଯେତିକି ପରିମାଣର ଗ୍ରୀନ୍‌ ହାଉସ୍‌ ଉଦ୍‌ଗିରଣ ହେବ ବୋଲି ଆକଳନ କରାଯାଇଛି ତାହାର ୧୨ ପ୍ରତିଶତରୁ ଅଧିକ କେବଳ ଏହି ଏସି ରେଫ୍ରିଜେରାଣ୍ଟ ଦ୍ୱାରା ହେବ ବୋଲି ଜାତିସଂଘ ପର୍ଯ୍ୟାବରଣ କାର୍ଯ୍ୟକ୍ରମ ଦ୍ୱାରା ଆକଳନ କରାଯାଇଛି। ତେଣୁ ଗରମରୁ ରକ୍ଷା ପାଇବା ଲାଗି ଦିନକୁ ଦିନ ଏସିର ବ୍ୟବହାର ସଂଖ୍ୟ ବଢୁଥିଲାବେଳେ ଏହା ବୈଶ୍ୱିକ ପରିବେଶକୁ ଆହୁରି ଉତ୍ତପ୍ତ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିବାର ଆଶଙ୍କା ସହିତ ଭାରତ ତୀବ୍ର ଉତ୍ତାପ ତରଙ୍ଗ ସମ୍ମୁଖୀନ ହେଉଛି | Achira News