Achira News Logo
Achira News

ଦି ଇନଭିଜିବଲ୍ ଅମ୍ବ୍ରେଲା ଅଲଟ୍ରାଭାୟୋଲେଟ୍ କିରଣରୁ ଆମ ଗ୍ରହକୁ ରକ୍ଷା କରିବା

Dharitri
ଦି ଇନଭିଜିବଲ୍ ଅମ୍ବ୍ରେଲା ଅଲଟ୍ରାଭାୟୋଲେଟ୍ କିରଣରୁ ଆମ ଗ୍ରହକୁ ରକ୍ଷା କରିବା
Full News
Share:

ଚଳିତ ବର୍ଷ ମହାବିଦ୍ୟାଳୟ ପରୀକ୍ଷା କାର୍ଯ୍ୟ ସମାପନ ପରେ ଦିନ ୧୧ ଟାରେ ଜଣେ ବନ୍ଧୁଙ୍କ ସହିତ ମହାବିଦ୍ୟାଳୟ ଫାଟକ ନିକଟକୁ ବାହାରିଥାଉ ଚା’ ପିଇବାକୁ। ସେଦିନ ସୂର୍ଯ୍ୟ କିରଣ ଏତେ ପ୍ରଖର ଥାଏ ଯେ ଆକାଶରୁ ଅଗ୍ନି ବର୍ଷା ହେଲା ପରି ପ୍ରତୀତ ହେଉଥାଏ। ମୋର ବନ୍ଧୁ ପଚାରିଲେ ସୂର୍ଯ୍ୟ ଏବେ ଏତେ ଉତ୍ତପ୍ତ କାହିଁକି? ବୋଧହୁଏ ସୂର୍ଯ୍ୟ କିରଣ ସହିତ ପ୍ରଚୁର ପରିମାଣର ଅତିବାଇଗଣି ରଶ୍ମି (ୟୁ ଭି ରଶ୍ମି) ମିଶିକି ଆସୁଛି!ମୁଁ ଟିକେ ହସିକି କହିଲି- ଏତେ ପରିମାଣର ଅତି ବାଇଗଣି ରଶ୍ମି ପୃଥିବୀ ପୃଷ୍ଠକୁ ଆସିଲେ ଜୀବ ଜଗତ ଧ୍ୱଂସ ହୋଇଯିବ। ଭଗବାନଙ୍କୁ ଧନ୍ୟବାଦ, ପୃଥିବୀର ଅଦୃଶ୍ୟ ଛତା ଆମକୁ ଅତିବାଇଗଣି ରଶ୍ମି କବଳରୁ ରକ୍ଷା କରୁଛି। କିନ୍ତୁ ପରିତାପର ବିଷୟ ଏହିକି ଯେ ମନୁଷ୍ୟ ଯୋଗୁ ଏହି ଅଦୃଶ୍ୟ ଛତା ଧୀରେ ଧୀରେ ପତଳା ହେବାକୁ ଲାଗୁଛି। ଏ କଥା ଶୁଣି ତାଙ୍କ ବେନି ନୟନରେ ଏକ କୌତୂହଳ ଚମକି ଉଠିଲା। ସେ ପୁନରାବୃତ୍ତି କଲେ, ‘ଅଦୃଶ୍ୟ ଛତା?’ମୁଁ କହିଲି, ‘ହଁ,’ ଏହାକୁ ଓଜୋନ ସ୍ତର କୁହାଯାଏ। ଓଜୋନ ପ୍ରକୃତରେ ଅମ୍ଳଜାନର ଏକ ବିଶେଷ ରୂପ। ତାଙ୍କ କୌତୂହଳ ଦେଖି ମୁଁ ବର୍ଣ୍ଣନା ଜାରି ରଖିଲି। ”ଯେତେବେଳେ ସାଧାରଣ ଅମ୍ଳଜାନ ଅତି ବାଇଗଣି ରଶ୍ମି କିମ୍ବା ବୈଦ୍ୟୁତିକ ଶକ୍ତି ସଂସ୍ପର୍ଶରେ ଆସେ, ଏହା ଓଜୋନରେ ପରିବର୍ତ୍ତିତ ହୁଏ – ଯାହା ତିନୋଟି ଅମ୍ଳଜାନ ପରମାଣୁରେ ତିଆରି ଏକ ଅଣୁ। ଆମ ବାୟୁମଣ୍ଡଳର ଉପରିଭାଗରେ ଥିବା ଏହି ଓଜୋନ ସ୍ତର ଷ୍ଟ୍ରାଟୋସ୍ଫିଅରରେ ଏବଂ ପୃଥିବୀ ଚାରିପାଖରେ ଏକ ପତଳା ଆବରଣ ଗଠନ କରିଛି। ତା’ ସହ ଏକ ସୁରକ୍ଷା ଛତା ପରି କାର୍ଯ୍ୟ କରୁଛି, ଯାହା ଆମକୁ କ୍ଷତିକାରକ ଅତିବାଇଗଣି ରଶ୍ମି ପ୍ରଭାରୁ ରକ୍ଷା କରେ।“ ବନ୍ଧୁ ଜଣକ ଧ୍ୟାନ ଦେଇ ମୋ କଥା ଶୁଣୁଥିଲେ। ହଠାତ୍‌ ପ୍ରଶ୍ନ କଲେ ‘ଓଜୋନ କ’ଣ ସବୁବେଳେ ଆମକୁ ସୁରକ୍ଷା ଦିଏ?’ମୁଁ ଉତ୍ତର ଦେଲି, ”ସର୍ବଦା ନୁହେଁ। ପୃଥିବୀ ବାୟୁମଣ୍ଡଳର ନିମ୍ନ ଭାଗରେ ଥିବା ଷ୍ଟ୍ରାପୋସ୍ଫିୟରରେ ଓଜୋନ ଏକ ପ୍ରଦୂଷକ ଭାବରେ କାର୍ଯ୍ୟ କରିପାରେ ଏବଂ ଆମର ଫୁସ୍‌ଫୁସ୍‌କୁ କ୍ଷତି ପହଞ୍ଚାଇପାରେ। କିନ୍ତୁ ଷ୍ଟ୍ରାଟୋସ୍ଫିୟରରେ ରହିଲେ, ଏହା ଆମର ଜୀବନ ରକ୍ଷାକାରୀ ଢାଲ ହୋଇଯାଏ।’ ସେ ଧୀରେ ଧୀରେ ମୁଣ୍ଡ ହଲାଇଲେ। ତେବେ ଏହି ଢାଲ କାହିଁକି ଦୁର୍ବଳ ହେଉଛି ବୋଲି ପ୍ରଶ୍ନ କଲେ। ମୁଁ କହିଲି, ଏହି ବିଶାଳ ବିଶ୍ୱରେ ମାନବ ଏକ କ୍ଷୁଦ୍ର ଜୀବ। ନିଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ନୂତନ ପାଦର୍ଥ ଉଦ୍ଭାବନ କରେ କିନ୍ତୁ ଏହାର ଦୂରଗାମୀ କ୍ଷତିକାରକ ପ୍ରଭାବ ବିଷୟରେ ଅନେକ ସମୟରେ ଅଜ୍ଞ ଥାଏ। କ୍ଲୋରୋଫ୍ଲୋରୋକାର୍ବନ (ସିଏଫ୍‌ସି) ପରି ମାନବ ନିର୍ମିତ ରାସାୟନିକ ପଦାର୍ଥ ସହିତ ସେହିପରି ଏକ ନୂତନ ସମସ୍ୟା ଆରମ୍ଭ ହୋଇଥିଲା। ଏଗୁଡ଼ିକ ରେଫ୍ରିଜରେଟର, ଏୟାର କଣ୍ଡିଶନର ଏବଂ ସ୍ପ୍ରେରେ ବହୁଳ ଭାବରେ ବ୍ୟବହୃତ ହେଉଥିଲା। କାରଣ ଏଗୁଡ଼ିକ ଅଣ-ବିଷାକ୍ତ, ଶସ୍ତା ତଥା ସୁଲଭ ଉପଲବ୍ଧ ଗ୍ୟାସ୍‌। କିନ୍ତୁ ଉପର ବାୟୁମଣ୍ଡଳରେ ପହଞ୍ଚତ୍ଲା ପରେ ଏହା ଏକ ଧ୍ୱଂସକାରୀ ପଦାର୍ଥରେ ପରିଣତ ହୋଇଯିବ ବୋଲି ଏହାର ଉଦ୍ଭାବନ ସମୟରେ ମନୁଷ୍ୟ ସ୍ବପ୍ନରେ ବି କଳ୍ପନା କରି ନ ଥିଲା। ଯେତେବେଳେ ଏଗୁଡ଼ିକ ଷ୍ଟ୍ରାଟୋସ୍ଫିଅରରେ ପହଞ୍ଚତ୍ଥାଏ, ସୂର୍ଯ୍ୟକିରଣ ସେଗୁଡ଼ିକୁ ଭାଙ୍ଗିଦିଏ ଏବଂ କ୍ଲୋରିନ ପରମାଣୁକୁ ମୁକ୍ତ କରିଦିଏ ଓ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ‘କ୍ଲୋରିନ ଫ୍ରି ରେଡିକାଲ୍ସ’ ସୃଷ୍ଟି କରେ।ଏକଥା ଶୁଣି ସେ ଉତ୍ସୁକତାର ସହ ପଚାରିଲେ, ତା’ପରେ? ମୁଁ କହିଲି-ଏହି କ୍ଲୋରିନ ଫ୍ରି ରେଡିକାଲ୍ସ ଓଜୋନ ଅଣୁଗୁଡ଼ିକୁ ଆକ୍ରମଣ କରନ୍ତି ଏବଂ ସେମାନଙ୍କୁ ସାଧାରଣ ଅମ୍ଳଜାନରେ ପରିଣତ କରନ୍ତି। ତେଣୁ ଓଜୋନ ସୁରକ୍ଷା ସ୍ତର ନଷ୍ଟ ହୋଇଯାଏ। ଥଣ୍ଡା ମେରୁ ଅଞ୍ଚଳରେ, ବାୟୁମଣ୍ଡଳରେ ଥିବା କ୍ଷୁଦ୍ର ବରଫ ସ୍ଫଟିକ ଏହି ପ୍ରତିକ୍ରିୟା ପାଇଁ ପୃଷ୍ଠ ପ୍ରଦାନ କରନ୍ତି ଏବଂ ଉପରୋକ୍ତ ପରି ସେମାନଙ୍କୁ ତ୍ୱରାନ୍ବିତ ମଧ୍ୟ କରନ୍ତି। ସେଥିପାଇଁ ବଡ଼ ଓଜୋନ ଗର୍ତ୍ତ ମୁଖ୍ୟତଃ ଆଣ୍ଟାର୍କଟିକା ଏବଂ ଦକ୍ଷିଣ ଗୋଲାର୍ଦ୍ଧର କିଛି ଅଂଶରେ ଦେଖାଯାଏ।ବନ୍ଧୁ ଜଣକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ-ବିଷୁବରେଖା କିମ୍ବା ଉତ୍ତର ମେରୁରେ କାହିଁକି ଓଜୋନ ଗର୍ତ୍ତ ଦେଖା ଯାଏ ନାହିଁ? ”ବିଷୁବରେଖାରେ, ଏପରି ଅତ୍ୟଧିକ ଥଣ୍ଡା ପରିସ୍ଥିତି ଏବଂ ବରଫ ସ୍ଫଟିକ ବିରଳ, ତେଣୁ କ୍ଲୋରିନ ଫ୍ରି ରେଡିକାଲ ଓଜନ ସହିତ ପ୍ରତିକ୍ରିୟା କରିବାକୁ ପୃଷ୍ଠ ପ୍ରାପ୍ତ କରିପାରେ ନାହିଁ“ ବୋଲି ମୁଁ ବୁଝାଇଲି। ତା’ସହ ଉତ୍ତର ମେରୁରେ, ଶକ୍ତିଶାଳୀ ଆର୍କଟିକ ବାୟୁ ପ୍ରବାହ ଏହି ବରଫ ସ୍ଫଟିକଗୁଡ଼ିକୁ ସ୍ଥିର ହେବାରୁ ବାଧା ଦିଏ, ତେଣୁ ପ୍ରତିକ୍ରିୟାଗୁଡ଼ିକ ବହୁତ କମ୍‌ ତୀବ୍ର ହୋଇଥାଏ। ସେଥିପାଇଁ ଦକ୍ଷିଣ ମେରୁ ନିକଟରେ ଥିବା ଆଣ୍ଟାର୍କଟିକା ଉପରେ ଏବଂ ଅଷ୍ଟ୍ରେଲିଆ ନିକଟରେ ଗୁରୁତର ଓଜୋନ ଗର୍ତ୍ତ ସୃଷ୍ଟି ହୋଇଅଛି। ସେ ଚିନ୍ତାଶୀଳ ହୋଇ ପଚାରିଲେ। ଯଦି ଓଜୋନ ସ୍ତର ସଙ୍କୁଚିତ ହେବାକୁ ଲାଗିବ ତେବେ କ’ଣ ହେବ?‘ଅଧିକ କ୍ଷତିକାରକ ୟୁଭି ରଶ୍ମି ପୃଥିବୀରେ ପହଞ୍ଚିବ,’ ମୁଁ କହିଲି। ”ଏହା ଚର୍ମ କର୍କଟ, ଆଖି ସମସ୍ୟା ସୃଷ୍ଟି କରିପାରେ ଏବଂ ଆମର ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିଦେଇ ପାରେ। ଏହା ଫସଲକୁ କ୍ଷତି ପହଞ୍ଚାଇପାରେ, ସାମୁଦ୍ରିକ ଜୀବନକୁ କ୍ଷତି ପହଞ୍ଚାଇପାରେ ଏବଂ ପ୍ଲାଷ୍ଟିକ ଭଳି ସାମଗ୍ରୀକୁ ମଧ୍ୟ ନଷ୍ଟ କରି ସେଥିରୁ ବିଷାକ୍ତ ବାଷ୍ପ ସୃଷ୍ଟି କରିପାରେ।“ ଏହା ଶୁଣି ସେ ଦୀର୍ଘ ନିଃଶ୍ୱାସ ପକାଇଲେ ଓ କିଛି ସମୟ ପାଇଁ, ଆମେ ଦୁହେଁ ବିଶାଳ ଆକାଶ ତଳେ ନୀରବରେ ଠିଆ ହୋଇ ରହିଲୁ। ‘ଆମେ ଏହାକୁ ମରାମତି କରିପାରିବୁ କି?’ ସେ ଶେଷରେ ପଚାରିଲେ। ‘ହଁ, କହି ମୁଁ ହସିଲି। ବିଶ୍ୱ ସିଏଫ୍‌ସି ହ୍ରାସ କରିବା ପାଇଁ ଅନ୍ତର୍ଜାତୀୟ ଚୁକ୍ତିନାମା ମାଧ୍ୟମରେ ପଦକ୍ଷେପ ନେଇସାରିଛି। ଧୀରେ ଧୀରେ, ଓଜୋନ ସ୍ତର ସୁସ୍ଥ ହେଉଛି। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ଏବେ ବି ଆମର ଯତ୍ନ ଆବଶ୍ୟକ।ଆମେ କ’ଣ କରିପାରିବା-ସେ ଉତ୍ସାହର ସହିତ ପଚାରିଲେ। ‘ଆମେ ପରିବେଶ ଅନୁକୂଳ ଉତ୍ପାଦ ବ୍ୟବହାର କରିପାରିବା, ସିଏଫ୍‌ସି ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା, ଶୀତଳୀକରଣ ଉପକରଣଗୁଡ଼ିକୁ ଠିକ୍‌ ଭାବରେ ରକ୍ଷଣାବେକ୍ଷଣ କରିପାରିବା ଏବଂ ସଚେତନତା ପ୍ରସାର କରିପାରିବା। ପ୍ରତ୍ୟେକ ଛୋଟ ଛୋଟ ପ୍ରୟାସ ମଧ୍ୟ ମୂଲ୍ୟବାନ ଅଟେ।’ ବନ୍ଧୁ ଜଣକ ପୁଣି ଉପରକୁ ଚାହିଁଲେ, କିନ୍ତୁ ଏଥର ଦାୟିତ୍ୱ ଭାବନା ସହିତ। ‘ମୁଁ ଆମର ଅଦୃଶ୍ୟ ଛତାକୁ ସୁରକ୍ଷା ଦେବି,’ ସେ କହିଲେ। ତାଙ୍କ ଉତ୍ସାହ ଦେଖି, ମୁଁ ମଧ୍ୟ ଆଶାବାଦୀ ଅନୁଭବ କଲି। ଓଜୋନ କ୍ଷୟର କାହାଣୀ କେବଳ କ୍ଷତି ବିଷୟରେ ପରିପ୍ରକାଶ କରେନି-ଏହା ମଧ୍ୟ ଶିଖିବା, ଦାୟିତ୍ୱଏବଂ ପୁନରୁଦ୍ଧାର ବିଷୟରେ ଅବଗତ କରାଏ। ପ୍ରକୃତି ପ୍ରତିଦିନ ନୀରବରେ ଆମକୁ ରକ୍ଷା କରେ। ବର୍ତ୍ତମାନ, ପ୍ରକୃତିକୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ – କାରଣ ଓଜୋନ ସ୍ତରକୁ ରକ୍ଷା କରିବା ଅର୍ଥ ଆଜି ଏବଂ ଆଗାମୀ ପିଢ଼ି ପାଇଁ ଜୀବନକୁ ରକ୍ଷା କରିବା। ଦେବାଶିଷ ମହାନ୍ତି-ବରିଷ୍ଠ ପ୍ରାଧ୍ୟାପକ, ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ,ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱରମୋ: ୯୮୬୧୩୯୧୧୯୦

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ଦି ଇନଭିଜିବଲ୍ ଅମ୍ବ୍ରେଲା ଅଲଟ୍ରାଭାୟୋଲେଟ୍ କିରଣରୁ ଆମ ଗ୍ରହକୁ ରକ୍ଷା କରିବା | Achira News