Achira News Logo
Achira News

ନେଭିଗେଟ୍ କରିବା ପ୍ରତିକୂଳ ପରିସ୍ଥିତି ଘରୋଇ ବିମାନ ଏବଂ ପରିବେଶ ସମ୍ବନ୍ଧୀୟ ଚିନ୍ତା

Prameya
ନେଭିଗେଟ୍ କରିବା ପ୍ରତିକୂଳ ପରିସ୍ଥିତି ଘରୋଇ ବିମାନ ଏବଂ ପରିବେଶ ସମ୍ବନ୍ଧୀୟ ଚିନ୍ତା
Full News
Share:

ଦୁଇହଜାର ପଚିଶି ମସିହାକୁ ସମଗ୍ର ବିଶ୍ୱବାସୀ ବିଦାୟ ଦେବା ସହିତ ଦୁଇହଜାର ଛବିଶି ମସିହାକୁ ଅତ୍ୟନ୍ତ ଆନନ୍ଦ ଏବଂ ଉତ୍ସାହର ସହିତ ସ୍ୱାଗତ କରିଛନ୍ତି । ଉତ୍ତର ଗୋଲାର୍ଦ୍ଧରେ ଥିବା ଅଧିକାଂଶ ଦେଶ ପ୍ରବଳ ଶୀତରେ ଥରୁଥିବାବେଳେ, କେଉଁଠି ବରଫ ପଡୁଛି ତ କେଉଁଠି ଘନକୁହୁଡ଼ି ସକାଳର ତତ୍ପରତାକୁ ମନ୍ଥର କରିଦେଉଛି । ଉକ୍ତ କାର୍ଯ୍ୟ ପାଇଁ ନିୟୋଜିତ ଥିବା ହଜାର ହଜାର ସଂଖ୍ୟକ ପାଇଲଟ୍, ବିମାନ କର୍ମଚାରୀ, ଅତ୍ୟନ୍ତ ନିଷ୍ଠାର ସହିତ ସମୟୋଚିତ ପଦକ୍ଷେପ ନେବା ଯୋଗୁଁ ଆମ ଦେଶରେ ଦୈନିକ ଉଡୁଥିବା ଛଅହଜାର ଦୁଇଶହ ଡୋମେଷ୍ଟିକ ବା ଅନ୍ତର୍ଦ୍ଦେଶୀୟ ବିମାନ ନିଜର ସେବା ଯୋଗାଇ ଦେଉଛନ୍ତି । ଫଳରେ ପ୍ରାୟ ନଅଲକ୍ଷ ଯାତ୍ରୀ ନିଜର ଜିନିଷପତ୍ର ଧରି ଇପ୍ସିତ ସ୍ଥାନମାନଙ୍କରେ ପହଞ୍ଚିପାରୁଛନ୍ତି । ବିମାନର ସାମାନ୍ୟ ତ୍ରୁଟିବିଚ୍ୟୁତି କିମ୍ବା ପରିବେଶ ଅନୁକୂଳ ନଥିଲେ ବିମାନସେବା ଯୋଗାଇବା ସମ୍ଭବ ହୁଏନାହିଁ କିମ୍ବା ଅନେକ ଧନଜୀବନ ହାନିହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ପରିବେଶ ପ୍ରତିକୂଳ ଅବସ୍ଥା ମଧ୍ୟରେ ଝଡ଼, ବାତ୍ୟା, ଅତ୍ୟଧିକ ବୃଷ୍ଟିପାତ ସହିତ ଚଳିତ ବର୍ଷ ବେଶ୍ ଦୀର୍ଘଦିନ ଧରି ଲାଗିରହିଥିବା ଘନକୁହୁଡ଼ି ଏବେ ବିମାନ ଏବଂ ରେଳଯାତ୍ରୀଙ୍କ ପାଇଁ ଭୟଙ୍କର ବିପଦ ଆଣିଦେଇଛି । ତେବେ ସାଧାରଣରେ ପ୍ରଶ୍ନ ଉଠେ- ଏଭଳି କୁହୁଡ଼ି ସୃଷ୍ଟିହେବାର କାରଣ କ'ଣ? ବୈଜ୍ଞାନିକମାନଙ୍କ ମତରେ, ବାୟୁମଣ୍ଡଳରେ ଉଡ଼ିବୁଲୁଥିବା ସୂକ୍ଷ୍ମ ଧୂଳିକଣା ସହିତ ଅନ୍ୟାନ୍ୟ କଠିନ ପ୍ରଦୂଷକଗୁଡ଼ିକର ସୂକ୍ଷ୍ମ ଅଂଶ ଚାରିପଟେ ଜଳୀୟବାଷ୍ପ ଶତକଡ଼ା ଶହେ ଭାଗ ଘନୀଭୂତ ହୋଇ ଉକ୍ତ କଣିକାର ଚାରିପଟେ ଘେରି ରହିଲେ, ସେଗୁଡ଼ିକ ଓଜନିଆ ହୋଇ ବାୟୁମଣ୍ଡଳର ନିମ୍ନଭାଗରେ ଭାସିବୁଲନ୍ତି ଯାହାକୁ ଆମେ କୁହୁଡ଼ି କହିଥାଉ । ଯାହାଫଳରେ କି ଭୟଙ୍କର ଦୁର୍ଘଟଣା ହେବାର ଅନେକ ଖବର ଏବେ ଦୈନିକ ଗଣମାଧ୍ୟମରେ ପ୍ରକାଶ ପାଉଛି । ପରିବେଶବିତ୍‌ଙ୍କ ମତରେ, ବାୟୁମଣ୍ଡଳର ପ୍ରଦୂଷକର ହାର ଶତକଡ଼ା ୨.୫ ମଧ୍ୟରେ ରହିବା ସ୍ୱାସ୍ଥ୍ୟ ପାଇଁ ହିତକର ହେବାବେଳେ ଉକ୍ତ ମାତ୍ରାଠାରୁ ଉପରକୁ ଏ.କ୍ୟୁ.ଆଇ. (AQI- Air Quality Index)) ଯିବା ଆଦୌ ସ୍ୱାସ୍ଥ୍ୟପ୍ରଦ ନୁହେଁ । ଯାହା ଏହିବର୍ଷ ଓଡ଼ିଶାର କଟକ, ଭୁବନେଶ୍ୱର, କେଉଁଝର, ତାଳଚେର, ରାଉରକେଲା ଭଳି ସହରରେ ଦେଖାଯାଉଛି । ଭାରତବର୍ଷର ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳର ଅବସ୍ଥା ପ୍ରତିବର୍ଷ ଦୀପାବଳି ପର୍ବ ପାଳନର ପରେ ପରେ ବିଗିଡ଼ିଯାଏ ଏବଂ ପ୍ରାୟ ତିନିମାସ ଯାଏଁ ଘନକୁହୁଡ଼ି ସହିତ ଏୟାର କ୍ୱାଲିଟି ଦିଲ୍ଲୀବାସୀଙ୍କୁ ନୟାନ୍ତ କରିଥାଏ । ସରକାରଙ୍କ ତରଫରୁ ବ୍ୟାଟେରୀଚାଳିତ ଯାନ ଚଳାଇବା ପାଇଁ ପ୍ରୋତ୍ସାହନ ରାଶି ଯୋଗାଇଦେଇ ଦେଶବାସୀଙ୍କୁ ବ୍ୟାଟେରୀ ଗାଡ଼ି କିଣିବାକୁ ଉତ୍ସାହିତ କରାଯାଉଛି । ବିମାନ ସେବାକୁ ବାଦ୍ ଦେଲେ ଆମ ଦେଶର ରେଲ୍ୱେ ନେଟ୍ୱାର୍କ ବା ରେଳ ରାସ୍ତାର ସଂପ୍ରସାରଣ ଏବେ ପୃଥିବୀର ଚତୁର୍ଥ ସ୍ଥାନରେ ପହଞ୍ଚିଯାଇଛି । ରେଳରେ ଯିବାଆସିବା କରୁଥିବା ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ଦୈନିକ ଦୁଇକୋଟି ଚଉଷଠି ଲକ୍ଷରେ ପହଞ୍ଚିଛି । ଏହା ବ୍ୟତୀତ ଦୁଇଶହ ସତାବନଟି ଟ୍ରାମ୍ ବଡ଼ ବଡ଼ ସହରମାନଙ୍କରେ ଅଳ୍ପ ଖର୍ଚ୍ଚରେ ଗମନାଗମନ କରିବାପାଇଁ ନିୟୋଜିତ ହୋଇଛନ୍ତି । ନିର୍ମାଣ କାର୍ଯ୍ୟରେ ହେଳା ନାହିଁ । ଭୂତଳ ପାର୍କିଂଠାରୁ ଆରମ୍ଭକରି ମାଟିତଳେ, ମାଟି ଉପରେ ରାଜରାସ୍ତା । ରେଳରାସ୍ତା ନିର୍ମାଣ ସହିତ ପାହାଡ଼କୁ ଖୋଳି ସୁଡ଼ଙ୍ଗ ମଧ୍ୟରେ ଗମନାଗମନ କରିବା କାମ ଭାରତବର୍ଷର ଦକ୍ଷତାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରୁଛି । ଯୋଗାଯୋଗ ମାଧ୍ୟମରେ ସୁସମ୍ପର୍କ ବଢ଼ିବା ସହିତ ବାଣିଜ୍ୟ ବ୍ୟବସାୟ ଏବଂ ପର୍ଯ୍ୟଟନ ଶିଳ୍ପରେ ଆଖିଦୃଶିଆ ଅଭିବୃଦ୍ଧି ଘଟୁଛି । ଆମ ଦେଶର ଆର୍ଥିକ ଅଭିବୃଦ୍ଧି ମଧ୍ୟ ସେହି ହାରରେ ଜାରି ରହିଛି । ଯାହାର ନିଦର୍ଶନ ସ୍ୱରୂପ ଆମ ଦେଶରେ ଏବେ ଚାଳିଶି କୋଟିରୁ ଅଧିକ ମଟରସାଇକେଲ୍ ଏବଂ ସାତକୋଟିରୁ ଊଦ୍ଧ୍ୱର୍ ସଂଖ୍ୟକ କାର୍ ରାଜରାସ୍ତାରେ ଗତିକରୁଛି । ଶାସନ ବ୍ୟବସ୍ଥାରେ କଠୋରତା ନଥିବାରୁ କିମ୍ବା ଚାଳକମାନଙ୍କର ଖାମଖିଆଲି ମନୋଭାବ ଯୋଗୁଁ ଦୁର୍ଘଟଣାର ହାର ମଧ୍ୟ ପ୍ରତିଦିନ ବଢ଼ି ବଢ଼ି ଚାଲିଛି । ଏହା ବ୍ୟତୀତ ନିଶା ପ୍ରବଣତାରେ ଛନ୍ଦି ହୋଇପଡ଼ୁଥିବା ଯୁବପିଢ଼ିମାନେ ଅଭ୍ୟାସଗତ ନିଶାଡ଼ିରେ ପରିଣତ ହୋଇ ଘର ପରିବାରକୁ ଧ୍ୱଂସକରିବା ସହିତ ଅକାଳରେ ଜୀବନ ହାରୁଛନ୍ତି । ସଦ୍ୟ ପ୍ରକାଶିତ ଏକ ତଥ୍ୟ ଅନୁସାରେ "ୱାର ଅନ୍ ଡ୍ରଗ୍ସ' ନାମକ ଅଭିଯାନକୁ କଠୋର କରିବାକୁ ଯାଇ ସାଉଦି ଆରବର ଉଚ୍ଚ ନ୍ୟାୟଳୟ ତିନିଶହ ଛପନ ଜଣ ନିଶାବେପାରୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି । ଯାହା ପୃଥିବୀର ସର୍ବକାଳୀନ ରେକର୍ଡ଼ରେ ପହଞ୍ଚିଥିବାରୁ ଜାତିସଂଘ ଉଦ୍ବେଗ ପ୍ରକାଶ କରିଛି । ନିଶା କାରବାର କ୍ଷେତ୍ରରେ ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରୁଥିବା ୟୁନାଇଟେଡ ଆରବ ଏମିରେଟସ୍ର ଦୁବାଇ, ଆବୁଧାବି, ସାରଜାହ ଭଳି କେତୋଟି ଶୃଙ୍ଖଳିତ ତଥା ଅତ୍ୟାଧୁନିକ କଳା, କୌଶଳକୁ ଆପଣେଇଥିବା ରାଜ୍ୟକୁ ପାଖରୁ ଦେଖିବାପାଇଁ ସ୍ଥିର କରି ଆମେ ସ୍ୱାମୀ, ସ୍ତ୍ରୀ ଦୁହେଁ ଡିସେମ୍ବର ମାସ ଚବିଶି ତାରିଖ ଦିନ ସନ୍ଧ୍ୟା ଛଅଟା ଦଶମିନିଟ୍ରେ ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ଯାତ୍ରା କଲୁ । କଟକର ବାସିନ୍ଦା ହୋଇଥିବାରୁ ଚଳିତ ବର୍ଷ ପ୍ରଥମଥର ପାଇଁ ଦୂଷିତ ବାୟୁମଣ୍ଡଳ, ବା ଏକ୍ୟୁଆଇ ତିନିଶହକୁ ଟପିବା ପରର ଅବସ୍ଥାକୁ ଆମେ ଅଙ୍ଗେ ନିଭାଇ ବିବ୍ରତ ହୋଇପଡ଼ିଥିଲୁ । ମାତ୍ର ତିରିଶି ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଛୋଟ ରାଜ୍ୟ ଦୁବାଇର ଅତ୍ୟାଧୁନିକ ସାଜସଜ୍ଜା, କୋଠାବାଡ଼ି, ବିଶେଷକରି କଠୋର ଶାସନ ବ୍ୟବସ୍ଥା ସହିତ ଯାତ୍ରୀମାନଙ୍କର ସୁରକ୍ଷା ପ୍ରତି ଅତ୍ୟଧିକ ଧ୍ୟାନ ଦେଉଥିବା ଛୋଟ ରାଜ୍ୟଟିରେ ବାର୍ଷିକ ପ୍ରାୟ ଏକ କୋଟି ଅଶିଲକ୍ଷ ପର୍ଯ୍ୟଟକଙ୍କର ସମାଗମ ହୋଇଥାଏ । କେବଳ ଦୁବାଇ ନୁହେଁ, ତା'ପାଖକୁ ଲାଗିଥିବା ଅନ୍ୟ ଛଅଟି ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ବୁଲି ଦେଖିବାର ପ୍ରୋଗ୍ରାମ ଆମପାଇଁ ଆଗରୁ ସ୍ଥିର ହୋଇଥାଏ । ଦୀର୍ଘ ଚାରିଘଣ୍ଟାର ଉଡ଼ାଣ ମଧ୍ୟରେ ଚିତ୍ରରେ ଦେଖିଥିବା ପୃଥିବୀର ସର୍ବୋଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫାର ସୌନ୍ଦର୍ଯ୍ୟ ସହିତ ସୁନାର ଚମକ ଏବଂ ସୁନେଲି ରଙ୍ଗର ବାଲୁକା ଥିବା ଅଲ୍ ଲାହେଦ୍ ଡେଜର୍ଟ ବା ମରୁଭୂମିର ବିଶାଳତା ମତେ ମୁଗ୍ଧ କରୁଥାଏ । ମରୁଭୂମିର ବିଶାଳତା ସତ୍ତେ୍ୱ ନିକଟସ୍ଥ ସହର ବା ଜନବସତିର ବାୟୁମଣ୍ଡଳ କିଭଳି ସ୍ୱଚ୍ଛ ଥିବ, ଏଭଳି ଅନେକ ପ୍ରଶ୍ନ ମନ ମଧ୍ୟରେ ଉଙ୍କି ମାରୁଥାଏ । ଭାରତୀୟ ସମୟ ରାତ୍ରୀ ଠିକ୍ ଦଶଟାରେ ଦୁବାଇର ବିଶାଳ ବିମାନ ବନ୍ଦରରେ ଆମର ଇଣ୍ଡିଗୋ ବିମାନଟି ପ୍ରାୟ ଦୁଇଶହ ପଚାଶ ଜଣ ଯାତ୍ରୀଙ୍କୁ ଧରି ପହଞ୍ଚିଗଲା । ଆକାଶମାର୍ଗରୁ ଦୁବାଇର ସୁନେଲି ରଙ୍ଗର ଆଲୋକମାଳା ଆମକୁ ମନ୍ତ୍ରମୁଗ୍ଧ କରି ରଖିଥାଏ । ବିମାନ ବନ୍ଦର ମଧ୍ୟରୁ ନିଜର ଜିନିଷପତ୍ରକୁ ନେଇ ପୂର୍ବ ନିର୍ଦ୍ଧାରିତ ଗେଟ୍ ନିକଟରେ ପହଞ୍ଚିବାକୁ ଏକ ଟ୍ରାମ୍ରେ ବେଶ୍ କିଛି ବାଟ ଯିବାକୁ ପଡ଼ିଲା । ଜଣେ ଓଡ଼ିଆ ଗାଇଡ୍‌ଙ୍କ ଜରିଆରେ ଆମେ ହୋଟେଲ "ଭର୍ସାଇଲ୍ସ'ରେ ମାତ୍ର ଅଧଘଣ୍ଟାରେ ପହଞ୍ଚିଗଲୁ । ହୋଟେଲ୍‌ର ଖାଦ୍ୟ ଖାଇବା ସହ ଆରାମଦାୟକ କୋଠରିରେ ଗଭୀର ନିଦ୍ରାରେ ଶୋଇପଡ଼ିଲୁ । ସକାଳ ଦଶଟାରେ ଆଉ ଜଣେ ଗାଇଡ୍ଙ୍କ ସହିତ ଅନ୍ୟ ଏକ ବସ୍ରେ ଆମର ଦୁବାଇ ଭ୍ରମଣ ଆରମ୍ଭ ହୋଇଗଲା । ରାଜରାସ୍ତାରେ ଶହ ଶହ କାର୍ ଏବଂ ବସ୍ର ଧାଁଦୌଡ଼ ସତ୍ତେ୍ୱ ଦୁର୍ଘଟଣାର ଚିହ୍ନବର୍ଣ୍ଣ ନାହିଁ । ବାୟୁମଣ୍ଡଳରେ ପ୍ରଦୂଷକର ମାତ୍ରା ଏକଶହ ଚଉବନ ରହିଥାଏ । ଏହା ସହିତ କୋଠାବାଡ଼ିର ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁ ରହିଥାଏ । ଆମ ଗାଇଡ୍ ବସ୍‌ର ଆଗ ସିଟ୍‌ରେ ବସି ଆମକୁ ଚମକାଇ ଦେବା ଭଳି କଥା କହୁଥାଆନ୍ତି । ଯାହାକୁ ମୁଁ ବାରମ୍ବାର ଶୁଣିବାକୁ ଇଚ୍ଛା କରୁଥାଏ । ଗାଇଡ୍‌ଙ୍କ ବକ୍ତବ୍ୟରେ ସ୍ଥାନ ପାଉଥାଏ ଦୁବାଇରେ ଟ୍ୟାକ୍ସ ବା କର ନିଆଯାଏନାହିଁ । ରାଜରାସ୍ତାରେ ଗାଈଗୋରୁ, କୁକୁର, ବିରାଡ଼ି ଭଳି ଗୃହପାଳିତ ପଶୁ ଯିବା ଆସିବା କରନ୍ତିନାହିଁ । ବରଂ ଫାଇନର ମାତ୍ରା ଖୁବ୍ ଅଧିକ ଥାଏ । କେବଳ ଫାଇନ୍ ଆଦାୟ କରି ରାଜ୍ୟକୁ ଶୃଙ୍ଖଳିତ କରିବା ସହିତ ପୃଥିବୀପୃଷ୍ଠରେ ଏକ ଧନୀ ରାଜ୍ୟର ମାନ୍ୟତା ଲାଭ କରିପାରିଛି । ଏହା ସହିତ ତାଙ୍କ ଦେଶରେ ଇଲେକ୍ସନ ନାହିଁ। ଅର୍ଥାତ୍ ଦେଶବାସୀ ଭୋଟ୍ ଦେଇ ନେତା ଚୟନ କରିବାର ବ୍ୟବସ୍ଥା ନଥିବାରୁ ତାଙ୍କ ରାଜାଙ୍କୁ ସମସ୍ତେ ନେତା ଭାବି ସମ୍ମାନ ଦିଅନ୍ତି, ଏବଂ ରାଜା ମଧ୍ୟ ସାଧାରଣ ଜନତାଙ୍କର ଛୋଟମୋଟ ଅଭିଯୋଗକୁ ମନଦେଇ ଶୁଣନ୍ତି ଏବଂ ତ୍ୱରିତ ନ୍ୟାୟ ପ୍ରଦାନ କରନ୍ତି । ଏହା ବ୍ୟତୀତ ଏଠାରେ ଟ୍ରାଫିକ୍ ପୋଲିସ୍‌ର ଦେଖାଦର୍ଶନ ନଥିବାବେଳେ ପାଟ୍ରୋଲିଂ ବ୍ୟବସ୍ଥାକୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଥାଏ । ଦୁବାଇର ସି.ବି.ଆଇ ସଂସ୍ଥାକୁ ବେଶ୍ ସକ୍ରିୟ କରିବାପାଇଁ ରାଜା ସର୍ବଦା ତତ୍ପର ଥାଆନ୍ତି । ତେଣୁ ଅପରାଧ ଏବଂ ଦୁର୍ନୀତି ଏଠାରେ ଶତକଡ଼ା ଶୂନରେ ରହିଥାଏ । କେବଳ ସେତିକି ନୁହେଁ ଏହି ଛୋଟ ରାଜ୍ୟଟିରେ ଥିବା ହଜାର ହଜାର ସୁଉଚ୍ଚ ହୋଟେଲ୍ର ବର୍ଜ୍ୟଜଳକୁ ପୁନଃ ଚକ୍ରଣ ମାଧ୍ୟମରେ ପରିଷ୍କାର କରି ସରୁ ସରୁ ପାଇପ୍ ଯୋଗେ ବୁନ୍ଦା ଜଳସେଚନ ପଦ୍ଧତିରେ ମରୁଭୂମି ରାଜ୍ୟର ଗଛମାନଙ୍କୁ ଜଳ ଯୋଗାଇ ସବୁଜିମା ସୃଷ୍ଟି କରିବା ସହିତ ପ୍ରଚୁର ଫୁଲ ଫୁଟାଇ ଆମକୁ ଚକିତ କରିଦେଉଥାନ୍ତି। ମୁନିସିପାଲିଟିର ବିନା ଅନୁମତିରେ କୁକୁରଙ୍କୁ ଘରେ ରଖିବା ଆଦୌ ସମ୍ଭବ ନୁହେଁ ବୋଲି ଗାଇଡ୍‌ଙ୍କର ବ୍ୟାଖ୍ୟା ଆମକୁ ଚକିତ କରୁଥାଏ । ଫାଇନ୍‌ର ଦେଶରେ ତେଲର ଭଣ୍ଡାର ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କୁ ଏକାଠି କରି ସତଯେପରି ସବୁତକ ଐଶ୍ୱର୍ଯ୍ୟ ସହିତ ବୁଦ୍ଧିମତ୍ତାକୁ ହାସଲ କରିଚାଲିଛି । ମୁଁ ବସ୍‌ର ଝରକା ପାଖ ସିଟ୍ରେ ବସି ଯଥାସମ୍ଭବ ଭିଡିଓ କରିବା କାମକୁ ଜାରି ରଖିଥାଏ । ମୋ ପଛପଟ ସିଟ୍ରେ ବସି ରାଜରାସ୍ତାକୁ ମନଭରି ଦେଖୁଥିବା ଚିନୁ ନାମକ ଜଣେ ଭଦ୍ର ମହିଳା କହିଉଠିଲେ ଆମ ରାଜ୍ୟରେ ଏତେ ନଦୀ, ପୋଖରୀ, ହ୍ରଦ ଥିବା ସତ୍ତେ୍ୱ ଆମେ କାହିଁକି ଏତେ ପଛୁଆ? ତା'ଛଡ଼ା ଆମ ରାଜଧାନୀର ନାଳନର୍ଦ୍ଦମା କେବେ ମୁହଁ ଲୁଚାଇବେ? ମୁଁ ଚମକି ପଡ଼ିଲି । ସତେ ତ ମଶା, ମାଛିଙ୍କର ଅନ୍ତୁଡ଼ିଶାଳ ସାଜିଥିବା ନାଳନର୍ଦ୍ଦମା କେବେ ମୁହଁ ଲୁଚାଇ ମାଟିତଳକୁ ଯିବେ । କେବେ ଆମର ନର୍ଦ୍ଦମା ଜଳ ପୁନଃଚକ୍ରଣ ହେବ? କେବେ ଆମ ରାଜ୍ୟ ଫାଇନ୍ରେ ଚଳିବ? ମୁଁ କଥାରେ କଥା ଯୋଡ଼ିଲି । ଧୀରେ ଧୀରେ ଆମର ପ୍ରଶ୍ନ ବସ୍ ମଧ୍ୟରେ ଥିବା ସମସ୍ତ ଯାତ୍ରୀଙ୍କୁ ବିଚଳିତ କରିପକାଇଲା । କାହାରି ମୁହଁରେ ଉତ୍ତର ନଥିଲା । ଆମ ସାଥିରେ ଥିବା ବରିଷ୍ଠ ମୁଖ୍ୟଯନ୍ତ୍ରୀ ବସ୍ତିଆବାବୁ ଚଟାପଟ୍ ଉତ୍ତର ଦେଲେ- ଆସନ୍ତା ଜନ୍ମରେ, ଏବେ ନୁହେଁ । ଆମ ଆଖିଆଗରେ ଆଉ ଧୂଳି, ଧୂଆଁ, କୁହୁଡ଼ିର ପରସ୍ତ ନଥିଲା । ବରଂ ଭବିଷ୍ୟତର ରାସ୍ତା ପରିଷ୍କାର ଦେଖାଯାଉଥିଲା

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ନେଭିଗେଟ୍ କରିବା ପ୍ରତିକୂଳ ପରିସ୍ଥିତି ଘରୋଇ ବିମାନ ଏବଂ ପରିବେଶ ସମ୍ବନ୍ଧୀୟ ଚିନ୍ତା | Achira News