ସୁନ୍ଦରଗଡ଼, ୧୮।୩: ୧୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ନିରକ୍ଷରଙ୍କୁ ଶିକ୍ଷିତ କରାଇବା ଲକ୍ଷ୍ୟରେ ଆରମ୍ଭ ହୋଇଛି କେନ୍ଦ୍ରୀୟ ସାକ୍ଷରତା ଯୋଜନା ‘ଉଲ୍ଲାସ’ । ସମାଜରେ ଆଜୀବନ ଶିକ୍ଷା ବ୍ୟବସ୍ଥାକୁ ପ୍ରାତ୍ସୋହିତ କରିବା, ମୌଳିକ ସଂଖ୍ୟାଜ୍ଞାନ, ଜୀବନ ଦକ୍ଷତା ଭଳି ବିଷୟକୁ ଏଥିରେ ଗୁରୁତ୍ୱ ଦିଆଯାଉଛି । ଉତ୍ସାହୀ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ କରିବାକୁ ସ୍ୱେଚ୍ଛାସେବୀ ଶିକ୍ଷକ ନିଯୁକ୍ତ ହୋଇଛନ୍ତି ଯେଉଁମାନେ ସାୟାହ୍ନରେ ଉପନୀତ ବୟସ୍କଙ୍କୁ ସିଲଟ୍, ଖଡ଼ି ଧରାଉଛନ୍ତି । ଓଡ଼ିଶାରେ ସାକ୍ଷରତା ହାର ବୃଦ୍ଧି ନିମନ୍ତେ ହେଉଥିବା ଏହି ପ୍ରୟାସ କିନ୍ତୁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଝୁଣ୍ଟି ପଡ଼ିଛି । ବିନା ପାରିଶ୍ରମିକରେ ଶିକ୍ଷାଦାନ କରିବାକୁ ସ୍ୱେଚ୍ଛାସେବୀ ଶିକ୍ଷକମାନେ କୁନ୍ଥକୁନ୍ଥ ହେଉଛନ୍ତି । ଫଳସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୩୯.୬୫ ପ୍ରତିଶତ ପୂରଣ ହୋଇପାରିଛି । ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ସମାଜରେ ସବୁବର୍ଗର ଲୋକଙ୍କ ପାଇଁ ଆଜୀବନ ଶିକ୍ଷା ନିମନ୍ତେ ସାରା ଦେଶରେ ୨୦୨୨-୨୩ରୁ କାର୍ଯ୍ୟକାରୀ ହୋଇଛି ‘ଉଲ୍ଲାସ’ ଯୋଜନା । ସୁନ୍ଦରଗଡ଼ ଜିଲ୍ଲାରେ ଚଳିତ ଶିକ୍ଷାବର୍ଷରୁ ଦୁଇ ବର୍ଷ ପାଇଁ ଏଭଳି ବହୁମୁଖୀ ଯୋଜନା କାର୍ଯ୍ୟକାରୀ ହୋଇଛି । ଏହା ବି ପଢ଼ନ୍ତୁ...ଅସ୍ତିତ୍ୱ ହରାଇବ ପ୍ରକୃତିର ଉପହାର ଧଳତଙ୍ଗଗଡ଼ ଜଙ୍ଗଲ,ବିପଦରେ ବାରୁହାଁ, ଜଟାଧାର ତଣ୍ଡା ଏହି ସମୟ ଅବଧି ମଧ୍ୟରେ ୧୫ବର୍ଷରୁ ଊର୍ଦ୍ଧ୍ୱ ୧ ଲକ୍ଷ ୭୦ ହଜାର ଶିକ୍ଷାର୍ଥୀଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ହେଲେ ପ୍ରଥମ ବର୍ଷ ଶେଷ ହେବାକୁ ଯାଉଥିବାବେଳେ ମାର୍ଚ୍ଚ ୧୩ ସୁଦ୍ଧା ମାତ୍ର ୬୭,୪୦୪ ଜଣ ଆଶାୟୀ ପଞ୍ଜିକୃତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୧ ହଜାର ୨୮୫ ଜଣଙ୍କ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି । ଅବଶିଷ୍ଟ ୩୬ ହଜାର ୧୧୯ ଜଣ ପଞ୍ଜିକରଣ କରି ପାଠ ପଢ଼ିବାକୁ ଅପେକ୍ଷା କରିଛନ୍ତି । ଅପରପକ୍ଷେ ‘ଉଲ୍ଲାସ’ ଯୋଜନାରେ ୧୭ ହଜାର ସ୍ୱେଚ୍ଛାସେବୀ ଶିକ୍ଷକ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି । ଅଦ୍ୟାବଧି କେବଳ ୫ ହଜାର ୫୯୮ ଜଣ ଏଥିରେ ସାମିଲ ହେବାକୁ ଆଗେଇ ଆସିଛନ୍ତି । ସେଥିରୁ ୩ ହଜାର ୨୨୯ ଜଣ ଶିକ୍ଷାଦାନରେ ନିୟୋଜିତ ଥିବାବେଳେ ୨ ହଜାର ୩୬୯ ଜଣଙ୍କ ସ୍ଥିତି ଜଣାପଡୁନାହିଁ । ନିୟୋଜିତ ସ୍ୱେଚ୍ଛାସେବୀ ଶିକ୍ଷକଙ୍କ ପାଇଁ କୌଣସି ପାରିଶ୍ରମିକ ବ୍ୟବସ୍ଥା ନାହିଁ । ବିନା ଦେୟରେ ସେମାନେ ଶିକ୍ଷାଦାନ ପାଇଁ କୁନ୍ଥକୁନ୍ଥ ହେଉଥିବାରୁ ଏଥିରୁ ଅନୁମାନ କରାଯାଉଛି । ଗତ ମାର୍ଚ୍ଚ ୧୫ରେ ଜିଲ୍ଲାବ୍ୟାପୀ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ହେମଗିର ବ୍ଲକରେ ୧୯୫୦, ଲେଫ୍ରିପଡା ବ୍ଲକରେ ୧୨୯୯, ଟାଙ୍ଗରପାଲି ବ୍ଲକରେ ୨୨୭୦, ସୁନ୍ଦରଗଡ଼ ବ୍ଲକରେ ୫୬୨, ବାଲିଶଙ୍କରା ବ୍ଲକରେ ୨୬୩୬, ସବଡେଗା ବ୍ଲକରେ ୨୨୬୫, ବଡଗାଁ ବ୍ଲକରେ ୧୪୫୬, କୁତ୍ରା ବ୍ଲକରେ ୨୯୯୯, ରାଜଗାଙ୍ଗପୁର ବ୍ଲକରେ ୨୨୩୧, ବିଶ୍ରା ବ୍ଲକରେ ୨୩୦୬, କୁଆଁରମୁଣ୍ଡା ବ୍ଲକରେ ୧୮୫୦, ନୂଆଗାଁ ବ୍ଲକରେ ୧୭୬୪, ଲାଠିକଟା ବ୍ଲକରେ ୧୮୧୨, ଲହୁଣୀପଡ଼ା ବ୍ଲକରେ ୨୪୨୯, ବଣାଇଁ ବ୍ଲକରେ ୧୦୨୬, ଗୁରୁଣ୍ଡିଆ ବ୍ଲକରେ ୧୧୧୪ ଏବଂ କୋଇଡ଼ା ବ୍ଲକରେ ୨୪୧୫ ଜଣ ପରୀକ୍ଷା ଦେଇଛନ୍ତି । ତନ୍ମଧ୍ୟରେ ୧୧ ହଜାର ୧୩୧ ଜଣ ପୁରୁଷ ଏବଂ ୨୧ ହଜାର ୨୪୭ ଜଣ ମହିଳା । ପୁରୁଷଙ୍କ ଅପେକ୍ଷା ମହିଳାମାନେ ସାକ୍ଷରତା କାର୍ଯ୍ୟକ୍ରମରେ ଭାଗ ନେବାକୁ ଉତ୍ସାହିତ ଥିବା ଏଥିରୁ ସ୍ପଷ୍ଟ ହୋଇଛି । ଇତିମଧ୍ୟରେ ଆଉ ଏକ ସମସ୍ୟା ଦୃଷ୍ଟିଗୋଚର ହୋଇଛି । ଏଥିରେ ମୋବାଇଲ୍ ଆପ୍ ମାଧ୍ୟମରେ ପାଠପଢ଼ା ଯାଉଛି । ଶିକ୍ଷଣ ପରେ ସର୍ଭେ ସୂଚୀ ଅନୁଯାୟୀ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା କରାଯାଇଛି । ହେଲେ ଶିକ୍ଷାର୍ଥୀଙ୍କୁ ଖଣ୍ଡିଏ ଲେଖାଏଁ ‘ଉଲ୍ଲାସ’ ବହି ବ୍ୟତୀତ ଅନ୍ୟ କୌଣସି ଶିକ୍ଷା ଉପକରଣ ଯୋଗାଇ ଦିଆଯାଇନାହିଁ । ପାଠପଢ଼ା ମଧ୍ୟ ଅବ୍ୟବସ୍ଥିତ ଢଙ୍ଗରେ ଚାଲିଛି । ସ୍ୱେଚ୍ଛାସେବୀ ଶିକ୍ଷକମାନେ ନିଜ ନିଜ ସୁବିଧା ଦୃଷ୍ଟିରୁ ଘର, କମ୍ୟୁନିଟି ସେଣ୍ଟର, କୋଠଘର ଭଳି ସ୍ଥାନରେ ଶିକ୍ଷାଦାନ କରୁଛନ୍ତି । ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରା ନ ଗଲେ ଏଭଳି ମହତ୍ତ୍ୱାକାଂକ୍ଷୀ ଯୋଜନା ବାଟ ହୁଡ଼ିବ । ଏ ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ଶିକ୍ଷାବି ଦାବି କରିଛନ୍ତି । ସମସ୍ୟା ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସଦାନନ୍ଦ ପ୍ରଧାନ କହିଛନ୍ତି, ତୃତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାରେ ‘ଉଲ୍ଲାସ’ କାର୍ଯ୍ୟକାରୀ ହୋଇଛି । ଶିକ୍ଷାର୍ଥୀଙ୍କୁ ପୁସ୍ତକ ଛଡ଼ା ଅନ୍ୟ କୌଣସି ଶିକ୍ଷା ଉପକରଣ ଯୋଗାଣ ବ୍ୟବସ୍ଥା ନାହିଁ । ତଥାପି ସୀମିତ ସମ୍ବଳ ମଧ୍ୟରେ ଜିଲ୍ଲାରେ କାର୍ଯ୍ୟକ୍ରମ ପ୍ରାୟତଃ ଠିକଠାକ୍ ଚାଲିଛି ।
ନିରକ୍ଷରମାନଙ୍କୁ ଶିକ୍ଷିତ କରିବା ପାଇଁ ସୁନ୍ଦରଗଡ ଜିଲ୍ଲାରେ ଓଡ଼ିଶାର ଉଲ୍ଲାସ ସାକ୍ଷରତା ଯୋଜନାର ଶୁଭାରମ୍ଭ କରାଯାଇଛି।
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.