ସଂସଦରେ ମୋଦି ସରକାରଙ୍କର ଦ୍ୱାଦଶ ବର୍ଷରେ ଦେଶର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲଗାତାର ନବମ ଥର ପାଇଁ ଦେଶର ବଜେଟ୍ ଉପସ୍ଥାପନ କରିଛନ୍ତି । ନୂତନ ସଂସଦ ଭବନ ସେଣ୍ଟ୍ରାଲ ଭିସ୍ତାରୁ ଏହା ହେଉଛି ଦେଶର ପ୍ରଥମ ବଜେଟ୍ । ନିର୍ମଳା ସୀତାରମଣଙ୍କର ବଜେଟ୍ରେ ଆଗାମୀ ଆର୍ଥିକ ବର୍ଷ ପାଇଁ ଦେଶର ଅର୍ଥନୀତି ଓ ସାଧାରଣ ଜନତାଙ୍କ ରୋଜଗାର ଓ ଜୀବନ ଧାରଣର ମାନରେ ଉନ୍ନତିର ବାର୍ତ୍ତାକୁ ଟିକିନିଖି କରି ବୁଝିବାକୁ ଚେଷ୍ଟା କରିଛି । ଆମ ଦେଶର ବିଭିନ୍ନ ବିରୋଧୀ ରାଜନୈତିକ ଦଳମାନଙ୍କର ଆଭିମୁଖ୍ୟକୁ ମଧ୍ୟ ଭଲଭାବେ ବୁଝିବାକୁ ଚେଷ୍ଟା କରିଛି । ଏହି ରାଷ୍ଟ୍ରୀୟ ବଜେଟ୍ରେ ଆମ ରାଜ୍ୟ ଓଡ଼ିଶା ପାଇଁ କି କି ଯୋଜନା, କାର୍ଯ୍ୟକ୍ରମ ତଥା ସୁଯୋଗ ଓ ଆହ୍ୱାନ ଅଛି ଏହା ଉପରେ ଲମ୍ବା ସମୟ ଧରି ବିଶେଷଜ୍ଞ, ସାଧାରଣ ଲୋକଙ୍କ ସହ ଆଲୋଚନା କରିଛି । ତିନି ଦଶନ୍ଧିର ମୋର ରାଜନୈତିକ ଯାତ୍ରା ଓ ଅନୁଭବ ଆଧାରରେ ମୁଁ ନିଜେ ଦେଶ, ବିଶେଷକରି ଓଡ଼ିଶାର ବିକାଶ ପରିପ୍ରେକ୍ଷୀରେ ତର୍ଜମା କରିବାକୁ ଚେଷ୍ଟା କରିଛି । ଏହି ନିବନ୍ଧ ମାଧ୍ୟମରେ ଆମ ରାଜ୍ୟର ଛାତ୍ର, ଯୁବକ, ମହିଳା, କୃଷକ, ଗରିବଙ୍କ ସମେତ ଶିଳ୍ପ, ବାଣିଜ୍ୟ, ସଂସ୍କୃତି ନେଇ କାମ କରୁଥିବା ଓ ଆଗ୍ରହ ରଖିଥିବା ଜନସାଧାରଣଙ୍କ ସହ ଭାବର ଆଦାନ ପ୍ରଦାନ କରିବା ମୋର ଇଚ୍ଛା । ଆପଣମାନେ ସାମାଜିକ ଗଣମାଧ୍ୟମ ଏବଂ ବିଭିନ୍ନ ସରକାରୀ ଯୋଗାଯୋଗ ମାଧ୍ୟମରେ ମୋ ପାଇଁ ଆପଣମାନଙ୍କ ମନ୍ତବ୍ୟ ଦେବାପାଇଁ ଅନୁରୋଧ କରୁଛି । ମୋର ଦୃଢ଼ ବିଶ୍ୱାସ, ଆମେ ଖାଲି ନିର୍ବାଚିତ ସରକାର ଚଳାଉନୁ, ଆମେ ଲୋକଙ୍କ ସରକାର ଚଳାଉଛୁ । ସେଥିପାଇଁ ଆପଣମାନେ ମୋତେ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି କହୁଛନ୍ତି । ଖାଲି ଶବ୍ଦରେ ନୁହେଁ, ମୋର ନିତିଦିନିଆ କାମରେ ପ୍ରତିମୁହୂର୍ତ୍ତରେ ଆପଣଙ୍କ ଲୋକଙ୍କ ମୁଖ୍ୟମନ୍ତ୍ରୀ ସମ୍ବୋଧନର ସମ୍ମାନ ରକ୍ଷା କରିବାର ପ୍ରତିଶ୍ରୁତି ସହ ମୋର ମୂଳ ବିଷୟକୁ ଆସୁଛି । ଯେତେବେଳେ ଦେଶର ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ ଶେଷ କରୁଥିଲେ, ମୋ ମନରେ ଏହି ବଜେଟ୍କୁ ଅଳ୍ପ ବାକ୍ୟରେ କେମିତି ବର୍ଣ୍ଣନା କରାଯାଇପାରିବ ପ୍ରଶ୍ନ ଉଙ୍କିମାରୁଥିଲା। ମୋତେ ବ୍ୟକ୍ତିଗତ ଭାବରେ ଲାଗିଲା ଗୋଟିଏ ଆର୍ଥିକ ବର୍ଷପାଇଁ ଅସ୍ପଷ୍ଟତା ବଦଳରେ ସ୍ପଷ୍ଟ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇଛି । ହୁଏତ ଗୋଟିଏ ଆର୍ଥିକ ବର୍ଷରେ ଲେଖାଯୋଖା ଅଛି । ମାତ୍ର ୨୦୪୭ ସୁଦ୍ଧା ବିକଶିତ ଭାରତର ରୋଡମ୍ୟାପ୍ ସହ ଏହି ଯାତ୍ରାକୁ ଆହୁରି ଗତି ଦେବାପାଇଁ ଏ ବଜେଟ୍ ଉଦ୍ଦିଷ୍ଟ । ୨୦୩୬ ମସିହାରେ ଆମ ରାଜ୍ୟ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟଭାବେ ଗଠିତ ହେବାର ୧୦୦ବର୍ଷରେ ପହଞ୍ଚିବ । ମାନେ, ଆଉ ୧୦ବର୍ଷରେ ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବାର ଅନେକ ସୁଯୋଗ ଓ ସମ୍ଭାବନାର ସମ୍ଭାରକୁ ଏହି ବଜେଟ୍ରେ ରଖାଯାଇଛି । ମୋଦିଜୀଙ୍କ ଦୃଢ଼ ନେତୃତ୍ୱରେ ଦେଶ ପ୍ରଗତିର ଚରମ ଶୀର୍ଷରେ ପହଞ୍ଚିବ । ତାଙ୍କ ମାର୍ଗଦର୍ଶନରେ ୨୦୩୬ର ବିକଶିତ ଓଡ଼ିଶା ଓ ୨୦୪୭ରେ ବିକଶିତ ଭାରତର ନିର୍ମାଣରେ ବଡ଼ ଭୂମିକା ନେବ । ଏଥିପାଇଁ ଏହି ବଜେଟ୍ ତାର କ୍ଷେତ୍ର ପ୍ରସ୍ତୁତି କରିଛି ବୋଲି ମୋର ସ୍ପଷ୍ଟ ମତ । ମୋର ଓଡ଼ିଶାର ଭାଇ ଓ ଭଉଣୀମାନେ! ଆମ ଦେଶ ଭାରତ ଆଜି ଦିନରେ ମୋଦିଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ କାରଣରୁ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇପାରିଛି । ଯେଉଁ ବ୍ରିଟିଶ ଶାସନ ଆମକୁ ଶତାବ୍ଦୀ-ଶତାବ୍ଦୀ ପର୍ଯ୍ୟନ୍ତ ଗୋଲାମ କରିଥିଲା, ସେହି ଦେଶ ଇଂଲଣ୍ଡକୁ ପଛକୁ ଠେଲି ଆମେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇଛୁ । ଚତୁର୍ଥ ସ୍ଥାନରେ ପହଞ୍ଚିବାର ଆମର ସାଙ୍କେତିକ ପକ୍ଷକୁ ବୁଝନ୍ତୁ । ଏହାଦ୍ୱାରା ଦେଶର ଯୁବଶକ୍ତିର ଆତ୍ମବିଶ୍ୱାସ ବୃଦ୍ଧି ଉପରେ ମନସ୍ତାତ୍ତ୍ୱିକ ପ୍ରଭାବକୁ ବି ଅନୁଭବ କରନ୍ତୁ । ଖୁବ୍ଶୀଘ୍ର ପୃଥିବୀର ତୃତୀୟ ବୃହତ୍ତମ ଏବଂ ୨୦୪୭ ସୁଦ୍ଧା ବିଶ୍ୱର ଶ୍ରେଷ୍ଠ ଅର୍ଥନୀତି ହେବାର ମନୋବଳକୁ ଓଡ଼ିଆ ଭାବରେ ଆସନ୍ତୁ, ଆମେ ଆହୁରି ଦୃଢ଼ କରିବା । ପ୍ରାଚୁର୍ଯ୍ୟ ଭିତରେ ଓଡ଼ିଶା କାହିଁକି ଗରିବ, ଏ ହୀନମନ୍ୟତାରୁ ଓଡ଼ିଆ ଜାତିକୁ ଉପରକୁ ଉଠାଇବାର ସମୟ ଆସିଛି । ଅମାପ ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି, ପ୍ରଚୁର ଜଳ ସମ୍ପଦ, ଜଙ୍ଗଲ ସମ୍ପଦ, ଆଦିବାସୀ ଜନସଂଖ୍ୟା ସହିତ ପରିଶ୍ରମୀ ଓ ବୁଦ୍ଧିମାନ ଓଡ଼ିଆ ଜାତି ପାଇଁ ଏହି ବଜେଟ୍ ହେଉଛି ୨୦୩୬ ପର୍ଯ୍ୟନ୍ତ ଆଗାମୀ ୧୦ବର୍ଷ ପାଇଁ ଏବଂ ୨୦୪୭ ପର୍ଯ୍ୟନ୍ତ ଆଗାମୀ ୨୧ବର୍ଷ ପାଇଁ ଏକ ସ୍ପଷ୍ଟ ରୋଡ୍ମ୍ୟାପ । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଏହି ବଜେଟରେ ପରିସଂଖ୍ୟାନ ନେଇ ତର୍କ ବିତର୍କ ତ ଚାଲିଛି । ମାତ୍ର ଏହି ବଜେଟ୍ରେ ଆମ ରାଜ୍ୟ ଓଡ଼ିଶାର ସଂକଳ୍ପକୁ ରାଜ୍ୟର ବିକାଶର ଗତିକୁ ଆହୁରି ଗତିଶୀଳ କରିବା ପାଇଁ ମାନନୀୟ ମୋଦିଜୀ ଓ ସୀତାରମଣଜୀଙ୍କ ଦୂରଦର୍ଶୀ ଯୋଜନା ଉପରେ ଏହି ସୀମିତ ସ୍ଥାନରେ ଚୁମ୍ବକରେ କିଛି ଲେଖିବା ସହ ଏହା ଉପରେ ଆପଣମାନେ ବିସ୍ତୃତ ତର୍କ-ବିତର୍କ ଓ ଆଲୋଚନା କରିବାକୁ ଆହ୍ୱାନ ଜଣାଉଛି । ଓଡ଼ିଶା ପାଇଁ ମୋଦିଜୀଙ୍କ "ରେୟାର୍ ଆର୍ଥ କରିଡର୍' ଆମ ପ୍ରାକୃତିକ ସମ୍ପଦ, ପରିଶ୍ରମୀ ଏବଂ ବୁଦ୍ଧିମାନ ଓଡ଼ିଆଙ୍କ ସୃଜନଶୀଳତାରେ ଖାଲି ଓଡ଼ିଶାର ନୁହେଁ ବରଂ ଦେଶର ବିକାଶରେ ଏକ ପ୍ରମୁଖ ଭୂମିକା ନେବ । ଏହାର ସଫଳତା ଦେଶର ହାଇଟେକ୍ ତଥା ଭବିଷ୍ୟତ ବିକାଶର ମାପଦଣ୍ଡ ଇଲେକ୍ଟ୍ରିକ୍ ଯାନବାହନ, ପବନଚାଳିତ ଟର୍ବାଇନ୍, ସେମିକଣ୍ଡକ୍ଟର ଏବଂ ବହୁ ଆଧୁନିକ ପ୍ରଯୁକ୍ତିବିଦ୍ୟାସମ୍ପନ୍ନ ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତି ପାଇଁ ଆମ ରାଜ୍ୟର ଉତ୍ପାଦ ଏକ ପ୍ରମୁଖ ଭୂମିକା ନେବ । ଏଥିପାଇଁ ଏଥରର କେନ୍ଦ୍ରୀୟ ବଜେଟ୍ ସମ୍ପୂର୍ଣ୍ଣ ଭ୍ୟାଲୁ ଚେନ୍କୁ ମାନେ ଖଣି, ଖଣିଜ ସମ୍ପଦ, ଏହାର ପ୍ରକ୍ରିୟାକରଣ ଏବଂ ଫିନିସ୍ଡ ଉତ୍ପାଦ ପାଇଁ ଯୋଜନା ଓ ଅର୍ଥ ବିନିଯୋଗ କରିବା ଉପରେ ଗୁରୁତ୍ୱ ଦେଇଛି । ଖଣିଜ ତଥା ଡାଉନଷ୍ଟ୍ରିମ୍ ଶିଳ୍ପରେ ଓଡ଼ିଶାସାରା ଦେଶର ପେଣ୍ଠସ୍ଥଳୀ ହେବାରେ ସହାୟକ ହେବ । ବଜେଟ୍ରେ ଓଡ଼ିଶା ପାଇଁ ଏହି ବ୍ୟବସ୍ଥା ରାଜ୍ୟର ବହୁତ ବଡ଼ ପୁଞ୍ଜିନିବେଶ ପାଇଁ ସୁଯୋଗ ସୃଷ୍ଟି କରିବ । ଉଚ୍ଚ ମୂଲ୍ୟଯୁକ୍ତ ଉତ୍ପାଦନ, ଗବେଷଣା ଏବଂ ମାନୁଫେକ୍ଚରିଂ ପ୍ଲାଣ୍ଟରେ ଓଡ଼ିଶାକୁ ଦେଶର କେନ୍ଦ୍ରସ୍ଥଳ କରିବା ପାଇଁ ଏହି ବଜେଟ୍ ଆମ ଓଡ଼ିଆମାନଙ୍କ ପାଇଁ ସୁଯାଗ ଆଣିଦେଇଛି । ଖଣି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ, ପ୍ରକ୍ରିୟାକରଣ ଏବଂ ଉଚ୍ଚ ମୂଲ୍ୟଯୁକ୍ତ ଉତ୍ପାଦ ଓଡ଼ିଶାର ପରିଚୟ ହୋଇପାରିବ । ଆମ ରାଜ୍ୟ ଓଡ଼ିଶା ସହ କେରଳ, ଆନ୍ଧ୍ର ଓ ତାମିଲନାଡ଼ୁ ରାଜ୍ୟମାନେ ମଧ୍ୟ ଏହି ଯୋଜନାରେ ସାମିଲ ଅଛନ୍ତି । ଆମ ଉପକୂଳ ଅଞ୍ଚଳର ମୋନାଜାଇଟଯୁକ୍ତ ବାଲିର ସଦୁପଯୋଗ କରି ଚୀନ ଉପରେ ଆମ ଦେଶର ଆମଦାନୀକୁ ବହୁମାତ୍ରାରେ କମାଯାଇପାରିବ । ଆମେ ସମୃଦ୍ଧ ହେବା ଏବଂ ଆମ ରାଜ୍ୟ ଦେଶ ସମୃଦ୍ଧିରେ ବଡ଼ ଭୂମିକା ନେବ । ଏହା ତ ଆମ ଓଡ଼ିଆମାନଙ୍କର ୨୦୩୬ ଏବଂ ୨୦୪୭ ପାଇଁ ସ୍ୱପ୍ନ! ଏ ବଜେଟ୍ ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିବ । ଭିତ୍ତିଭୂମି, ବିଶେଷଭାବରେ ରେଳ ଲାଇନ, ରାସ୍ତା ନେଟୱାର୍କ ତଥା ପ୍ରଦୂଷଣରହିତ ଜଳପଥ । ମାନେ, ସବୁଜ ଲଜିଷ୍ଟିକ୍ସ କ୍ଷେତ୍ରରେ ଏ ବଜେଟ୍ ବଡ଼ ସୁଯୋଗ ଆଣିଦେଉଛି ବୋଲି ବଜେଟ୍ ଭାଷଣ ଶୁଣୁ ଶୁଣୁ ମୋତେ ଅନୁଭବ ହୋଇଥିଲା । ଏଥର ରେଳ ବଜେଟ୍ କ୍ଷେତ୍ରରେ ଆମ ରାଜ୍ୟ ପାଇଁ ପାଖାପାଖି ୧୦,୯୨୮କୋଟି ବ୍ୟୟ ବରାଦର ଆକଳନ କରାଯାଇଛି । ୨୦୨୫-୨୬ ବଜେଟରେ ୧୦,୫୯୯ ଏବଂ ୨୦୨୪-୨୫ ବଜେଟରେ ଏହା ୧୦,୫୩୬କୋଟି ଥିଲା । ୨୦୧୪ ପୂର୍ବରୁ ୮୦୦କୋଟି ଆମ ପାଇଁ ସ୍ୱପ୍ନ ଥିଲା । ଏହି ବଜେଟ୍ରେ ୫ନଂ ଜାତୀୟ ଜଳପଥର ବିକାଶ ଆମ ଗ୍ରୀନ ଅର୍ଥନୀତିର ଆଧାର ହେବ । ଆମର କୋଇଲା ଏବଂ ଖଣିଜ ଓ ଶିଳ୍ପ ହବ୍ ତାଳଚେର, ଅନୁଗୁଳ, କଳିଙ୍ଗ ନଗର, ପାରାଦୀପ ଏବଂ ଧାମରା ଆଦିକୁ ଆମର ନଦୀମାନଙ୍କ ସହ ଯୋଡ଼ିବ । ନଦୀ ଓ ଜଳ ସମ୍ପଦରେ ପୂର୍ଣ୍ଣ ଓଡ଼ିଶା କାହିଁକି ଗରିବ, ଏ ପ୍ରଶ୍ନ ପଚାରିବାକୁ ଆଉ ପଡ଼ିବନାହିଁ, ବରଂ ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରିବାର ମାଧ୍ୟମ ହେବ । ପୂର୍ବ- ପଶ୍ଚିମ ସମର୍ପିତ ମାଲବୁହା କରିଡର୍ ପଶ୍ଚିମବଙ୍ଗର ଡାଙ୍କୁଣିରୁ ଗୁଜରାଟର ସୁରଟରେ ପହଞ୍ଚିବ । ଓଡ଼ିଶା ଦେଇ ଯାଉଥିବା ଏହି କରିଡର୍ ଆମର ଶିଳ୍ପ ବିକାଶକୁ ରାଷ୍ଟ୍ରୀୟ ଅର୍ଥନୀତି ସହ ଯୋଡ଼ିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରେ ସାରା ବିଶ୍ୱରେ ଓଡ଼ିଶା ପାଇଁ ପଚିଚୟ ହୋଇଛି ଆମର ଅତିଥି "ଅଲିଭ୍ ରିଡଲେ କଇଁଛ' । ଆମର ଉପକୂଳର ଗହୀରମଥା ଏବଂ ଋଷିକୂଲ୍ୟା ମୁହାଣ ମୋଦିଜୀଙ୍କ ବଜେଟ "ଟର୍ଟଲ ଟ୍ରେଲ୍ସ' ଓଡ଼ିଶାକୁ ବିଶ୍ୱ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟନ ମାନଚିତ୍ରରେ ଏପରି ଏକ ସ୍ଥାନ ଦେବ, ଯାହା ଭାରତର କୌଣସି ଉପକୂଳ ରାଜ୍ୟର ଭାଗ୍ୟରେ ସମ୍ଭବ ନୁହେଁ । ଆମ ସମୁଦ୍ର ଆମର ଆର୍ଥିକ ଉପଯୋଗରେ କାହିଁକି ଆସୁନି, ଏ ପ୍ରଶ୍ନ ଉଠାଇବାର ଆଉ ସୁଯୋଗ ରହିବନି । ମୋଦିଙ୍କ ‘ଟର୍ଟଲ ଟ୍ରେଲ୍ସ' ଆମ ଉପକୂଳ ପାଇଁ ଅନନ୍ୟ ସୁଯୋଗ ଆଣିବ । ମୋର ମନେଅଛି, ୨୦୧୬ ମସିହାରେ ମୋଦିଜୀ ଇଣ୍ଡିଆନ୍ ଅଏଲ୍ ରିଫାଇନାରୀ ଉଦ୍ଘାଟନ ସମୟରେ କହିଥିଲେ, ଏହା ପାରାଦୀପ ନୁହେଁ ଏହା ହେବ ଓଡ଼ିଆ ଯୁବଶକ୍ତିର ବିକାଶ ଦୀପ । ପାରାଦୀପକୁ କେନ୍ଦ୍ରକରି ପୂରା ଆମ ଓଡ଼ିଶାର ଶିଳ୍ପାୟନ ଏବଂ ବିକାଶର ସ୍ୱପ୍ନ ଦେଖାଇଥିଲେ । ଏବେ ବଜେଟ୍ରେ କେମିକାଲ୍ସ ପାର୍କ ଉପରେ ଗୁରୁତ୍ୱ ପାରାଦୀପରେ ବିକଶିତ ପେଟ୍ରୋକେମିକାଲ ଇକୋସିଷ୍ଟମରେ ବଡ଼ ପୁଞ୍ଜି ଯୋଡ଼ିହେବାର ସୁଯୋଗ ତିଆରି କରିଛି ଏହି ବଜେଟ୍ । ଦେଶର ଇଲେକଟ୍ରୋନିକ୍ସ କ୍ଷେତ୍ରରେ ଦ୍ରୁତ ବିକାଶ ପାଇଁ ବଡ଼ ବଜେଟ୍ ବ୍ୟବସ୍ଥା ଓଡ଼ିଶାରେ ସିଲିକନ୍ ଏବଂ ସେମିକଣ୍ଡକ୍ଟର୍ ଶିଳ୍ପକ୍ଷେତ୍ରରେ ବଡ଼ ବିକାଶର ସୁଯୋଗ ସୃଷ୍ଟିକରିବ । ଇଲେକଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଏବଂ ମାନୁଫାକ୍ଚରିଂ ଏ ବଜେଟ୍ରେ ଗୁରୁତ୍ୱ ପାଇଛି । ମୋର ଦୃଢ଼ ବିଶ୍ୱାସ, ବିଶ୍ୱର ବଡ଼ ଶିଳ୍ପ ଅନୁଷ୍ଠାନମାନଙ୍କର ଓଡ଼ିଶା ଉପରେ ଭରସା ଏହି ସମ୍ଭାବନାକୁ ଆହୁରି ବଢ଼ାଇବ । ମୁଁ ନିଜେ ବିଶ୍ୱର ବିଭିନ୍ନ ଦେଶ ଏବଂ ଆମ ଦେଶର ବଡ଼ ବଡ଼ ସହରକୁ ଯାଇ ପୁଞ୍ଜିପତିମାନଙ୍କ ସହ ବ୍ୟକ୍ତିଗତ କଥା ହେଉଛି । ଉତ୍କର୍ଷ ଓଡ଼ିଶା ବ୍ୟାପକ ସଫଳ ହୋଇଥିଲା । ପ୍ରବାସୀ ଭାରତୀୟ ଦିବସରେ ବିଶ୍ୱର ଭାରତୀୟ ଶିଳ୍ପପତିମାନେ ଓଡ଼ିଶା ଆସି ମୋଦି ଗ୍ୟାରେଣ୍ଟିରେ "ୟହି ସମୟ ହେ, ସହି ସମୟ ହେ' ଆହ୍ୱାନରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କାମ କରୁଛନ୍ତି । ଏହି ବଜେଟ୍ ଆମର ଆଶାକୁ ଆହୁରି ବଢ଼ାଇଛି । ମୁଁ ଆହୁରି ନୂଆ ନୂଆ ପୁଞ୍ଜି ନିବେଶକାରୀଙ୍କୁ ଏହି ସୁଯୋଗରେ ଆମନ୍ତ୍ରଣ କରି ଆମ ଯୁବପିଢ଼ି ପାଇଁ ରୋଜଗାର ସୁଯୋଗ ସୃଷ୍ଟିକରିବା ପାଇଁ ଯୋଜନା ଓ ପରିଶ୍ରମର ସହ କାମ କରିବି । ଏହି ବଜେଟ୍ରେ ରାଜ୍ୟମାନଙ୍କୁ ସୁଧମୁକ୍ତ ଦୀର୍ଘମିଆଦୀ ଋଣ ପାଇଁ ୧.୮୫ ଟ୍ରିଲିଅନ ଅର୍ଥବ୍ୟବସ୍ଥା କରାଯାଇଛି । ମୋଦିଜୀଙ୍କ ପ୍ରାଥମିକତା ପୂର୍ବ-ଭାରତ ହୋଇଥିବାରୁ ଆମେ ଆମର ଦୀର୍ଘମିଆଦି ଭିତ୍ତିଭୂମି ପାଇଁ ଏହାର ସଦୁପଯୋଗ କରିବାପାଇଁ ବଡ଼ ସୁଯୋଗ ସୃଷ୍ଟିହେବ । ନିବନ୍ଧରେ ଶବ୍ଦର ସୀମା ଅଛି । ଅନେକ କଥା ଆପଣଙ୍କ ସହ ଆଲୋଚନା କରିବାର ଇଚ୍ଛା ଅଛି । ଏହି ବଜେଟ୍ ଦେଶର ସାମାଜିକ ସୁରକ୍ଷା ଓ ସାଧାରଣବର୍ଗ ଯଥା ଯୁବକ, ମହିଳା, କୃଷକ ଓ ଆଦିବାସୀ ବିଶେଷ ଭାବରେ ଗରିବଙ୍କ ରୋଜଗାର ବଢ଼ାଇବା ପାଇଁ ଭିନ୍ନ ଭିନ୍ନ ସୁଯୋଗ ସୃଷ୍ଟି କରିଛି । ପ୍ରକୃତପକ୍ଷେ ଏହି ବଜେଟ୍ ମୋଦିଜୀଙ୍କର ସ୍ଳୋଗାନ "ସବ୍କା ସାଥ୍- ସବ୍କା ବିକାଶ'କୁ କ୍ରିୟାନ୍ୱୟନ କରିବାପାଇଁ ସୁଯୋଗ ସୃଷ୍ଟିକରିଛି । ମୋଦିଜୀଙ୍କ ନେତୃତ୍ୱରେ ଆମ ଶାସନର ମୂଳ ଆଧାର ଜନଭାଗିଦାରୀ । ବିକାଶକୁ ମୋଦିଜୀ ଜନଆନ୍ଦୋଳନର ରୂପ ଦେଇଛନ୍ତି । ଆସନ୍ତୁ, ଏହି ରାଷ୍ଟ୍ରୀୟ ସ୍ରୋତରେ ଆମେ ଓଡ଼ିଆମାନେ ବଡ଼ ଭୂମିକା ନେବା ।
ନିର୍ମଳା ସୀତାରାମନଙ୍କ ବଜେଟ୍ ଓଡ଼ିଶାର ବିକାଶ ପାଇଁ ଏକ ବ୍ୟାପକ ବିଶ୍ଳେଷଣ
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.