Achira News Logo
Achira News

ପୁନର୍ବାସ ସହାୟତା ଅଭାବରୁ ବରଗଡ ଜବରଦଖଲ ଉଚ୍ଛେଦ ଅଭିଯାନ ଜାରି

Dharitri
ପୁନର୍ବାସ ସହାୟତା ଅଭାବରୁ ବରଗଡ ଜବରଦଖଲ ଉଚ୍ଛେଦ ଅଭିଯାନ ଜାରି
Full News
Share:

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତା ପ୍ରଶସ୍ତୀକରଣ, ଡ୍ରେନ୍‌ ନିର୍ମାଣ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ଆଖି ଆଗରେ ରଖି ଏଭଳି ଉଚ୍ଛେଦ ଚାଲିଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ଅନ୍ୟପଟେ ଉଚ୍ଛେଦରେ ପ୍ରଭାବିତ ହେଉଥିବା ଲୋକଙ୍କୁ ଥଇଥାନ କରାଯାଉ ନାହିଁ। ନିକଟ ଭବିଷ୍ୟତରେ ସେମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରଭାବିତ ଲୋକଙ୍କୁ ପ୍ରଶାସନିକ ଅଧିକାରୀମାନେ ଆଶ୍ୱାସନା ଦେଉଛନ୍ତି। ମାତ୍ର ପ୍ରଭାବିତ ଲୋକେ ତାକୁ ସହଜରେ ବିଶ୍ୱାସକୁ ନେଉ ନାହାନ୍ତି ଏବଂ ଉଚ୍ଛେଦ ପୂର୍ବରୁ ଥଇଥାନ କରିବାକୁ ଦାବି କରିଛନ୍ତି। ଏଭଳି ଦାବି ନେଇ ଗୁରୁବାର ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧୪ ଅଧୀନ କେନାଲ ପଡ଼ାର ଶତାଧିକ ମହିଳା, ପୁରୁଷ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଥିଲେ ଏବଂ ଉଚ୍ଛେଦ ପୂର୍ବରୁ ସେମାନଙ୍କୁ ଥଇଥାନ କରିବା ପାଇଁ ଗୁହାରି କରିଥିଲେ।ସୂଚନା ଅନୁଯାୟୀ, କେନାଲ ପଡ଼ାରେ ଜବରଦଖଲ ଉଚ୍ଛେଦ ହେବା ନେଇ ଗୁରୁବାର ସ୍ଥାନୀୟ ପୌର ପରିଷଦ ଗୁରୁବାର ଡାକବାଜି ଯନ୍ତ୍ରରେ ସୂଚନା ଦେଇଥିଲା। ୫ଦିନ ମଧ୍ୟରେ ଜବରଦଖଲରେ ଘରଦ୍ୱାର କରିଥିବା ଲୋକଙ୍କୁ ସେସବୁ ଖାଲି କରିବା ପାଇଁ ସୂଚନା ଦିଆଯାଇଥିଲା। ଏହି ସୂଚନା ପାଇବା ପରେ ପଡ଼ାବାସୀ ଚିନ୍ତିତ ହୋଇ ପଡ଼ିଛନ୍ତି। ଉକ୍ତ ପଡ଼ାରେ ରହୁଥିବା ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳେ କୁଲି, ମଜୁରି କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି। ସେଠାରେ ଦୀର୍ଘବର୍ଷ ପୂର୍ବରୁ ଘରଦ୍ୱାର କରି ନିଜ ପିଲାଛୁଆଙ୍କୁ ସ୍ଥାନୀୟ ସ୍କୁଲ, କଲେଜରେ ପଢ଼ାଉ ଥିବାବେଳେ ପ୍ରତି ନିର୍ବାଚନରେ ଭାଗ ନେଇ ମତାଧିକାର ମଧ୍ୟ ସାବ୍ୟସ୍ତ କରି ଆସୁଛନ୍ତି। ସେହିପରି ପରିବାରରେ ଅନେକ ବୃଦ୍ଧାବୃଦ୍ଧ ମଧ୍ୟ ରହିଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ଉଚ୍ଛେଦ କରାଗଲେ ସେମାନେ ନିଜର ପଢୁଆ ପିଲା, ଶିଶୁ ଏବଂ ପରିବାରର ବୃଦ୍ଧାବୃଦ୍ଧଙ୍କୁ ନେଇ କେଉଁଠି ଆଶ୍ରୟ ନେବେ ବୋଲି ପଡ଼ାବାସୀ ପ୍ରଶ୍ନ କରିଛନ୍ତି।ଅପରପକ୍ଷେ ସହର ମଧ୍ୟରେ ରହିଥିବା ଭଟଲି ଛକ ଏବଂ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରୁ ଲମ୍ବା ବିଲ୍‌ଡିଂ ଦେଇ ଅମ୍ବାପାଲିକୁ ସଂଯୋଗ କରୁଥିବା ରାସ୍ତାରେ ଦୀର୍ଘଦିନରୁ ଟ୍ରାଫିକ ସମସ୍ୟା ଲାଗି ରହିଥିବାବେଳେ ସେଠାକାର ଜବରଦଖଲକୁ ଏପର୍ଯ୍ୟନ୍ତ ଉଚ୍ଛେଦ କରାଯାଇ ପାରି ନାହିଁ। ଏହାକୁ ନେଇ ଉଚ୍ଛେଦ ପ୍ରକ୍ରିୟାରେ ପାତରଅନ୍ତର ନୀତି ଅବଲମ୍ବନ କରାଯାଉଥିବା ଲୋକେ ଅଭିଯୋଗ କରୁଛନ୍ତି। ପ୍ରକାଶଥାଉ କି, ଲେଙ୍ଗୁ ମିଶ୍ର ଛକଠାରୁ ଲମ୍ବା ବିଲ୍‌ଡିଂ ଦେଇ ଅମ୍ବାପାଲିକୁ ସଂଯୋଗ କରୁଥିବା ରାସ୍ତା ଜବରଦଖଲ ଉଚ୍ଛେଦ ମାମଲା ନ୍ୟାୟାଳୟରେ ବିଚାରାଧୀନ ରହିଛି। ତେବେ ପୂର୍ବରୁ ଏହି ସ୍ଥାନରେ ଜବରଦଖଲ ଉଚ୍ଛେଦ ସପକ୍ଷରେ ପୂର୍ବରୁ ନ୍ୟାୟାଳୟ ରାୟ ଦେଇଥିଲେ। ମାତ୍ର ଉଚ୍ଛେଦ ପ୍ରକ୍ରିୟାକୁ ନାନା ଆଳରେ ବିଳମ୍ବ କରାଯିବାରୁ ପ୍ରଭାବିତ ଲୋକେ ପୁଣି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଫଳରେ ଏହି ସ୍ଥାନରେ ଉଚ୍ଛେଦ ଅଟକି ରହିଥିବାବେଳେ ବିଚାର ପ୍ରକ୍ରିୟା ସରି ନ ଥିବାରୁ ସମୟ ଗଡ଼ି ଚାଲିଛି।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ପୁନର୍ବାସ ସହାୟତା ଅଭାବରୁ ବରଗଡ ଜବରଦଖଲ ଉଚ୍ଛେଦ ଅଭିଯାନ ଜାରି | Achira News