ବ୍ରହ୍ମପୁର/ଗୋପାଳପୁର, ୦୪/୦୫: ଗୋପାଳପୁର ପ୍ଲଟ୍ ବ୍ୟବସାୟୀ ସୁଧୀର କୁମାର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଦୁଇଦିନିଆ ପୁଲିସ ରିମାଣ୍ଡରେ ଥିବା ବୋଲେରୋ ଡ୍ରାଇଭର ଶୁଭମ୍ ନାୟକ ଓ ସହଯୋଗୀ ଶୁଭମ ଗୌଡ଼ ଓରଫ ଗେଡୁ ଜେଲ୍ ଫେରିଛନ୍ତି । ପୁଲିସ ଗତକାଲି ଏମାନଙ୍କୁ ରିମାଣ୍ଡରେ ନେଇ ଜେରା କରିବା ପରେ ଅପହରଣ ସମୟର ସମସ୍ତ ଘଟଣା ଜାଣିବାକୁ ପାଇଛି । ଗତକାଲି ଏହି ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଅପହରଣ ସ୍ଥଳ ବଣଗାଁ ନେଇ ସିନ୍ ରିକ୍ରିଏସନ୍ କରିଥିଲା । ଅଭିଯୁକ୍ତଙ୍କ ବୟାନ ପ୍ରକାରେ ସେମାନେ ଓ ମୁଖ୍ୟ ଅଭିଯୁକ୍ତ କାଳୁ ଚରଣ ପ୍ରଧାନ ଅପହରଣ ସ୍ଥଳ ଗୋପାଳପୁର ଥାନା ବଣଗାଁ ଆସିଥିଲେ । ସୁଧୀରଙ୍କୁ ବଣଗାଁରେ ଅପହରଣ କରିବା ପରେ କାଳୁ ଓ ଶୁଭମ୍ ଗୌଡ଼ ହିଞ୍ଜିଳିକାଟୁରେ ଅଟକିଯାଇଥିଲେ । ଶୁଭମ ନାୟକ ବୋଲେରୋ ଗାଡ଼ିରେ ଅନ୍ୟ ଅଭିଯୁକ୍ତ ଓ ସୁଧୀରଙ୍କୁ ନେଇ ବୁଗୁଡ଼ା ଅଭିମୁଖେ ବାହାରିଥିଲେ । ମଥୁରାରେ ବୋଲେରୋ ରହିଯାଇଥିଲା । ସେଠାରୁ ଅଭିଯୁକ୍ତମାନେ ଆଉ ଗୋଟିଏ ଗାଡ଼ିରେ ସୁଧୀରଙ୍କୁ ନେଇ ପଳାଇଥିବାବେଳେ ଅଭିଯୁକ୍ତ ଶୁଭମ୍ ନାୟକ ବୋଲେରୋ ଧରି ହିଞ୍ଜିଳି ଫେରି ଆସିଥିଲା । ହିଞ୍ଜିଳିକାଟୁରେ ବସି ଅନ୍ୟ ଅଭିଯୁକ୍ତଙ୍କୁ କହୁଥିଲା କାଳୁ । ଏମିତିକି ସୁଧୀରଙ୍କୁ ନିସ୍ତୁକ ମାଡ଼ ମାରିବାକୁ ମଧ୍ୟ ସେ ଅନ୍ୟ ଅଭିଯୁକ୍ତଙ୍କୁ ଫୋନ୍ରେ ଜଣାଉଥିଲେ । ସୂର୍ଯ୍ୟପ୍ରତାପ ସିଂହ ଓ ଅନ୍ୟ ଅଭିଯୁକ୍ତମାନେ ସୁଧୀରଙ୍କୁ ବୁଗୁଡ଼ା ଥାନା ରାମପାଦ ଜଙ୍ଗଲରେ ପିଟି ପିଟି ହତ୍ୟା କରିଥିଲେ । ଅପହରଣଠୁ ସୁଧୀରଙ୍କୁ ହତ୍ୟା କରିବା ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତଙ୍କ ସହ ଫୋନ୍ରେ ଯୋଗାଯୋଗରେ ଥିଲା କାଳୁ । ସୁଧୀରଙ୍କୁ ହତ୍ୟା କରିବା ପରେ ଶବ କୋଉଠି ଫିଙ୍ଗାଯିବା ତାହା ମଧ୍ୟ କାଳୁ ଜଣାଇଥିଲା । ଅଧିକ ପଢ଼ନ୍ତୁ :-ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ମର୍ଡର ମିଷ୍ଟ୍ରି: ଦୁଇଦିନିଆ ରିମାଣ୍ଡରେ ଡ୍ରାଇଭର ଶୁଭମ ଓ ସହଯୋଗୀ, ବଣଗାଁରେ ପୁଣି ସିନ୍ ରିକ୍ରିଏସନ୍ କାଳୁ ଜଣେ ଗ୍ରାଜୁଏଟ୍ । ପାଠ ପଢ଼ା ସରିବା ପରେ ସେ ଆନ୍ଧ୍ରପ୍ରଦେଶରେ ଏକ ଚୁଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲା । ପାଞ୍ଚ ଲକ୍ଷ ଟଙ୍କା ହେରଫେର କରିବା ପରେ ସେଠାରୁ ଚାଲିଆସିଥିଲା । ବ୍ରହ୍ମପୁରରେ ଏକ ଘରୋଇ ବ୍ୟାଙ୍କ୍ (କ୍ରେଡିଟ୍ କାର୍ଡ)ରେ କାମ କରିଥିଲା । ବ୍ୟାଙ୍କ୍ରେ ମଧ୍ୟ ହେରଫେର କରିବା ପରେ ସେଠାରୁ ଛାଡିଦେଇଥିଲା । କାଳୁର ଭାଇ ଜଣେ ସାଇବର ଏକ୍ସପର୍ଟ । ସେ ବହୁ ସାଇବର ଠକେଇରେ ସଂପୃକ୍ତ ଥିବାବେଳେ କାଳୁ ମଧ୍ୟରେ ସେଥିରେ ପଶିଥିଲା । ଦୁଇ ଭାଇ ସାଇବର ଠକେଇ କରିଥିଲେ । ଚାରିମାସ ପୂର୍ବରୁ କାଳୁର ଭାଇକୁ ୟୁପି ପୁଲିସ ଗିରଫ କରିଛି । ସେ ଏବେ ୟୁପି ଜେଲ୍ରେ ଥିବାବେଳେ କାଳୁ ତାକୁ ଦେଖା କରିବାକୁ ଯାଉଥିଲା । ସେଠାରେ ମୋଷ୍ଟ ୱାଣ୍ଟେଡ୍ ସୂର୍ଯ୍ୟପ୍ରତାପ ସିଂହ ସହ ପରିଚୟ ହୋଇଥିଲା । ଉଭୟଙ୍କ ମଧ୍ୟରେ ସଂପର୍କ ବଢ଼ିବା ପରେ କାଳୁ ହିଁ ସୂର୍ଯ୍ୟପ୍ରତାପକୁ ସୁପାରି ଦେଇ ସୁଧୀରଙ୍କୁ ଅପହରଣ କରାଇଥିଲା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ସୁଧୀର ଅପହରଣ ଓ ହତ୍ୟା ମାମଲାରେ ୯ଜଣ ଗିରଫ ହୋଇ ଜେଲ୍ରେ ଅଛନ୍ତି । ଆଉ ୪ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଏହି ଅପରାଧରେ ସେମାନଙ୍କ ଭୂମିକା ଅନେକ ରହିଛି । ସେମାନଙ୍କୁ ଧରିବାକୁ ପୁଲିସ ଜାଲ ବିଛାଇଛି । ବ୍ରହ୍ମପୁର ଏସ୍ପି ଡା.ସରବଣା ବିବେକ ଏମ୍ ପଶ୍ଚିମବଙ୍ଗରୁ ଫେରିବା ପରେ ସ୍ୱତନ୍ତ୍ର ଟିମ୍ ପୁଣି ରାଜ୍ୟ ବାହାରକୁ ଯିବାକୁ ପ୍ରସ୍ତୁତି ହୋଇଛି । ଅପରାଧୀମାନେ ୩ଟି ମାଉଜର ରଖିଥିବାବେଳେ ପୁଲିସ ଗୋଟିଏ ଜବତ କରିଛି । ଆଉ ଦୁଇଟି ମାଉଜର ବୁଗୁଡ଼ା ବାଘୁଆ ଡ୍ୟାମ୍ରେ ଅପରାଧୀ ଫିଙ୍ଗିଦେଇଥିବା ପୁଲିସ ନିକଟରେ ବୟାନ ଦେଇଛନ୍ତି । ପୁଲିସ ଅଗ୍ନିଶମ ବାହିନୀ ସହଯୋଗରେ ଚୁମ୍ବକ ପକାଇ ମାଉଜର ଖୋଜିଥିଲେ ମଧ୍ୟ ମିଳିପାରି ନାହିଁ । ଯଦି ଡ୍ୟାମ୍ରେ ସତରେ ମାଉଜର ପଡିଥାଏ, ତାହେଲେ ମଧ୍ୟ ବିପଦଜନକ ରହିଛି । ପୁଲିସ ଡ୍ୟାମ୍ରେ ମାଉଜର ଖୋଜିବା ଜାରି ରଖିଛି । ସୁଧୀର ଅପହରଣ ଓ ହତ୍ୟା ମାମଲାରେ କେବଳ ତାଙ୍କ ଝିଆରି-ପୁତୁରା ସଂପୃକ୍ତ ଅଛନ୍ତି ନା ଅନ୍ୟ କୌଣସି ସମ୍ପର୍କୀୟଙ୍କ ମଧ୍ୟ ହାତ ରହିଛି ତାହାର ମଧ୍ୟ ଖୋଳତାଡ଼ କରୁଛି ପୁଲିସ ।
ପୋଲିସ୍ ରିମାଣ୍ଡ ଶେଷ କରିବା ପରେ ହତ୍ୟା ସନ୍ଦିଗ୍ଧମାନେ ଜେଲ୍କୁ ଫେରୁଛନ୍ତି
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.