Achira News Logo
Achira News

ପଶ୍ଚିମବଙ୍ଗ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ବିଜେପି ଐତିହାସିକ ବିଜୟ ହାସଲ କରିଛି।

Prameya
ପଶ୍ଚିମବଙ୍ଗ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ବିଜେପି ଐତିହାସିକ ବିଜୟ ହାସଲ କରିଛି।
Full News
Share:

ସଦ୍ୟ ସମାପିତ ପାଞ୍ଚଗୋଟି ରାଜ୍ୟରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ଗତକାଲି ପ୍ରକାଶିତ ହୋଇଥିବା ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ନିର୍ଣ୍ଣାୟକ ମୋଡ଼ କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ, ପ୍ରାୟ ସାତ ଦଶନ୍ଧିର ଘୃଣା, ବିଭାଜନକାରୀ ଏବଂ ହିଂସାତ୍ମକ ରାଜନୀତିକୁ ପଛରେ ପକାଇ ପଶ୍ଚିମ ବଙ୍ଗରେ ଏକ ନୂତନ ରାଜନୀତିର ଶୁଭାରମ୍ଭ ହେବାକୁ ଯାଉଛି । ଦଶ ବର୍ଷ ତଳେ ମାତ୍ର ଦୁଇ ଜଣ ବିଧାୟକଙ୍କ ସହିତ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଆଜି ପଶ୍ଚିମ ବଙ୍ଗରେ ଦୁଇ-ତୃତୀୟାଂଶ ଆସନ ସହିତ ସରକାର ଗଠନ କରିବାକୁ ଯାଉଛି । ଏହା କୌଣସି ରୋମାଞ୍ଚକର ଐତିହାସିକ କାହାଣୀ ଠାରୁ କମ୍ ନୁହେଁ । ନିଦ୍ୱର୍ନ୍ଦ୍ୱରେ କୁହାଯାଇପାରିବ ଯେ, ଏହି ପଟ୍ଟକଥାର ରଚୟିତା ହେଉଛନ୍ତି ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କର ବ୍ୟକ୍ତିଗତ ଛବି, କେନ୍ଦ୍ର ସରକାରଙ୍କ ସୁଶାସନ, ଭାରତୀୟ ଜନତା ପାର୍ଟିର ଶୃଙ୍ଖଳା ଏବଂ କାର୍ଯ୍ୟକର୍ତ୍ତାଙ୍କ ସମର୍ପଣ ଭାବେ ଏହି ବିଜୟପଥକୁ ସୁଗମ କରିଥିଲା । ପଶ୍ଚିମ ବଙ୍ଗର ଏହି ବିପୁଳ ବିଜୟ ନିଶ୍ଚିତ ଭାବେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନର ସୁନାର ବଙ୍ଗଳା ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି । ଅନେକ ସମୀକ୍ଷକ ପଶ୍ଚିମ ବଙ୍ଗର ଏହି ବିଜୟକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । କିନ୍ତୁ, ବ୍ୟକ୍ତିଗତ ଭାବେ ମୁଁ ଏହି ଐତିହାସିକ ବିଜୟକୁ ନେଇ ଆଦୌ ଆଶ୍ଚର୍ଯ୍ୟ ନୁହେଁ । କାରଣ ଏହି ନିର୍ବାଚନ ସମୟରେ ପ୍ରଚାର ପାଇଁ ମୁଁ ଅନେକବାର ପଶ୍ଚିମବଙ୍ଗ ଯାଇଥିଲି ଏବଂ ସେହି ନିର୍ବାଚନୀ ସଭାରେ ଉପସ୍ଥିତ ଜନତା ଜନାର୍ଦ୍ଦନଙ୍କ ପ୍ରତିକ୍ରିୟା ଦେଖି ମୁଁ ନିଶ୍ଚିତ ହୋଇଯାଇଥିଲି ଯେ, ପଶ୍ଚିମବଙ୍ଗରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ । ଏହି ଜନାଦେଶ ଏକ ସାଧାରଣ ନିର୍ବାଚନୀ ଫଳାଫଳ ଠାରୁ ବହୁ ଊଦ୍ଧ୍ୱର୍ରେ । ଏହା ଘୃଣା, ସମ୍ପ୍ରଦାୟବାଦ, ହିଂସା ଏବଂ ଭୟ ଉପରେ ଆଧାରିତ ରାଜନୀତିର ଏକ ନିର୍ଣ୍ଣାୟକ ଏବଂ ଦୃଢ଼ ପ୍ରତ୍ୟାଖ୍ୟାନ । ୨୦୧୧ ମସିହାରେ ଯେଉଁ ମମତା ବାନାର୍ଜୀ "ମାଆ, ମାଟି ଓ ମାନୁଷ'ର ସ୍ଳୋଗାନ ଦେଇ କ୍ଷମତାକୁ ଆସିଥିଲେ, ବହୁ କମ୍ ଦିନରେ ତାହା ଭୁଲିଗଲେ । ଗତ କିଛି ବର୍ଷ ମଧ୍ୟରେ ମହିଳା ସୁରକ୍ଷା ଉପରେ ଏକ ପ୍ରଶ୍ନବାଚୀ ଭାବେ ସୃଷ୍ଟି ହୋଇଥିଲା । ଭାରତୀୟ ରାଜନୀତିରେ ମହିଳାଙ୍କ ଆରକ୍ଷଣକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ସଂସଦରେ ଆଣିଥିବା ନାରୀଶକ୍ତି ବନ୍ଦନ ଅଧିନିୟମକୁ ଯେଉଁପରି ଭାବେ ମମତା ବାନାର୍ଜୀ ବିରୋଧ କରିଥିଲେ, ତାହାର ପ୍ରତିଫଳନ ଏଇ ନିର୍ବାଚନରେ ଦେଖିବାକୁ ମିଳିଛି । ସଂଯୋଗବଶତଃ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ ଏହି ବିଧେୟକକୁ ବିରୋଧ କରିଥିଲେ । ଏହାର ଫଳାଫଳ ତାଙ୍କୁ ଭୋଗିବାକୁ ପଡ଼ିଲା । ଦଳ ସହିତ ନିଜେ ମଧ୍ୟ ପରାଜୟ ବରଣ କଲେ । ଏହି ଜନାଦେଶର ବ୍ୟାପ୍ତି, ବିବିଧତା ଏବଂ ନିର୍ଣ୍ଣାୟକତା ନିର୍ବାଚନୀ ଅଙ୍କଗଣିତ ଠାରୁ ବହୁ ଊଦ୍ଧ୍ୱର୍ରେ । ଏହି ଫଳାଫଳରେ ପ୍ରଧାନମନ୍ତ୍ରୀଙ୍କର ମନ୍ତ୍ର "ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ'ର ଭାବନାକୁ ପ୍ରତିଫଳିତ କରୁଛି । କାରଣ, ଗତ ପ୍ରାୟ ପାଞ୍ଚ ଦଶନ୍ଧି ଧରି ପଶ୍ଚିମ ବଙ୍ଗରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ତୁଷ୍ଟୀକରଣ ଚାଲିଥିଲା ଏବଂ ଅଳ୍ପସଂଖ୍ୟକଙ୍କ ଅଧିକାର ଓ ସୁରକ୍ଷା ଆଳରେ ସଂଖ୍ୟାବହୁଳଙ୍କୁ ଏକପ୍ରକାର ଅବହେଳା କରାଯାଉଥିଲା । ବହୁମତକୁ ବାହୁବଳ, ଭୟ ଓ ଆତଙ୍କରାଜ ବଳରେ ଚାପିବାର ପ୍ରୟାସ ହୋଇଥିଲା, କିନ୍ତୁ ନିର୍ବାଚନ ଆୟୋଗ ତଥା ଭାରତ ସରକାରଙ୍କ ଗୃହ ବିଭାଗର ଦୃଢ଼ ସୁରକ୍ଷା ପ୍ରବନ୍ଧନ ଫଳରେ ରାଜ୍ୟର ଭୋଟରମାନେ ବିନା ଭୟରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ପାଇଥିଲେ । ଏହାର ପ୍ରମାଣ ହେଉଛି ହିଂସାରହିତ ନିର୍ବାଚନ ପରିଚାଳନା । ବୋଧହୁଏ, ପଶ୍ଚିମବଙ୍ଗର ରାଜନୈତିକ ଇତିହାସରେ ଚଳିତ ନିର୍ବାଚନରେ ଜଣେ ହେଲେ ବ୍ୟକ୍ତି ପ୍ରାଣ ହରାଇନଥିଲେ । ଆସାମ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗର ନିର୍ବାଚନ ଫଳାଫଳକୁ କେବଳ ସ୍ଥାନୀୟ ରାଜନୈତିକ ଚଷମା ମାଧ୍ୟମରେ ଦେଖିବା ସମୀଚୀନ ହେବନାହିଁ । କାରଣ, କେବଳ ଏହି ତିନିଟି ରାଜ୍ୟ ନୁହେଁ, ସାରା ଭାରତର ଲୋକେ ବର୍ତ୍ତମାନ ଦେଖୁଛନ୍ତି "ନୂଆ ଭାରତ'କୁ । ଆଜିର ଭାରତ ହେଉଛି ନୂତନ ଭାରତ, ସମ୍ଭାବନାର ଭାରତ । ଏହି ନୂଆ ଭାରତରେ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସର୍ବୋପରି ଯାହା ପ୍ରମାଣିତ ହୋଇଥିଲା "ଅପରେସନ ସିନ୍ଦୂର' ମାଧ୍ୟମରେ । ସେହିପରି, ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଚାଲୁଥିବା ଅଶାନ୍ତମୟ ବାତାବରଣ ଦ୍ୱାରା ସାରା ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସମୟୋଚିତ ପଦକ୍ଷେପ ଫଳରେ ଭାରତରେ ଏହାର ପ୍ରଭାବ ବହୁତ କମ୍ ଅନୁଭୂତ ହେଉଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଦେଶର ଶାସନ ଦାୟିତ୍ୱ ନେବା ପରେ ଗତ ବାର ବର୍ଷରେ ଦେଶରେ ଅଭୂତପୂର୍ବ ବିକାଶ ଦେଖିବାକୁ ମିଳୁଛି । ଦଳମତ ନିର୍ବିଶେଷରେ ପ୍ରତ୍ୟେକ ରାଜ୍ୟକୁ ଏହି ବିକାଶ ଯାତ୍ରାରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ସଦାସର୍ବଦା ଚେଷ୍ଟା କରିଆସିଛନ୍ତି । କିନ୍ତୁ ରାଜନୈତିକ କାରଣ ଯୋଗୁଁ ପଶ୍ଚିମ ବଙ୍ଗ ଏହି ବିକାଶ ଯାତ୍ରାରେ ସାମିଲ ହୋଇନଥିଲା । ଅତ୍ୟନ୍ତ ପରିତାପର ବିଷୟ ଯେ, ଗତ ପାଞ୍ଚ ଦଶକର ବାମପନ୍ଥୀ ଓ ତୃଣମୂଳ ଶାସନ ଫଳରେ ପଶ୍ଚିମବଙ୍ଗ ଅନେକ ବର୍ଷ ପଛକୁ ଚାଲିଗଲା । ଗୋଟିଏ ପରେ ଗୋଟିଏ ଉଦ୍ୟେଗ ବନ୍ଦ ହୋଇ ଅନ୍ୟ ରାଜ୍ୟକୁ ଚାଲିଗଲେ । ସିଙ୍ଗୁର ଆନ୍ଦୋଳନ ଏବଂ ଟାଟା ନାନୋ ପ୍ରକଳ୍ପର ଗୁଜରାଟକୁ ସ୍ଥାନାନ୍ତରଣ, ଏହି ଚିନ୍ତାଧାରାର ପ୍ରକୃଷ୍ଟ ଉଦାହରଣ । ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ "ବିକଶିତ ଭାରତ'ରେ "ପୂର୍ବୋଦୟ'ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ବିଜୟ ପରେ କେବଳ ପଶ୍ଚିମବଙ୍ଗର ବିଜୟ ଅପେକ୍ଷିତ ଥିଲା । ଗତକାଲିର ଐତିହାସିକ ବିଜୟ ଫଳରେ ଅଙ୍ଗ-ବଙ୍ଗ-କଳିଙ୍ଗର ସମାହାରରେ ହେବ ପୂର୍ବୋଦୟ । ଏହି ପୂର୍ବୋଦୟରେ ପୁରୋଧା ହେବ ଓଡ଼ିଶା । ଗତ ପ୍ରାୟ ଦୁଇ ବର୍ଷ ହେବ ଓଡ଼ିଶାରେ ବିକାଶ ଯାତ୍ରା ଜାରି ରହିଛି ଏବଂ ଏହି ବିକାଶ ଯାତ୍ରାରେ କିଛି ଦିନ ପୂର୍ବେ ବିହାର ଏବଂ ବର୍ତ୍ତମାନ ପଶ୍ଚିମବଙ୍ଗ ସାମିଲ ହୋଇଛି । ଏହି ତିନିଟି ପୂର୍ବ ଭାରତୀୟ ରାଜ୍ୟ "ବିକଶିତ ଭାରତ' ନିର୍ମାଣରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଏହି ପରିକଳ୍ପନା ସାକାର କରିଛି ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ଏବଂ ଦୂରଦୃଷ୍ଟି । ବିଗତ ଦୁଇ ବର୍ଷରେ ଓଡ଼ିଶାବାସୀ ଡବଲ ଇଞ୍ଜିନ ସରକାରର ବିକାଶ ଯାତ୍ରାର ସାକ୍ଷୀ ଅଛନ୍ତି । ଡବଲ ଇଞ୍ଜିନ ସରକାରର ଫଳସ୍ୱରୂପ ଅନେକ କେନ୍ଦ୍ରୀୟ ଯୋଜନା ଯେପରିକି ଆୟୁଷ୍ମାନ ଭାରତ, ନୂତନ ଶିକ୍ଷାନୀତି, ୨୦୨୦ ରାଜ୍ୟରେ ତୁରନ୍ତ କାର୍ଯ୍ୟାନ୍ୱୟନ କରାଯାଇଥିଲା, ଯାହା ପୂର୍ବ ସରକାର ଅମଳରେ କେବଳ ରାଜନୈତିକ କାରଣ ଯୋଗୁଁ ଓଡ଼ିଶାର ଜନସାଧାରଣଙ୍କୁ ବଞ୍ଚିତ କରାଯାଇଥିଲା । ରାଜ୍ୟରେ ଆଜି କେନ୍ଦ୍ରୀୟ ସହାୟତା ଯୋଗୁଁ ରେଳ, ରାଜରାସ୍ତା, ଜାତୀୟ ଅନୁଷ୍ଠାନ, ବନ୍ଦର, ବିମାନ ବନ୍ଦର ପରି ଅନେକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏବେ ଡବଲ ଇଞ୍ଜିନ ସରକାରର ସୁଫଳ ପାଇବା ପାଳି ହେଉଛି ପଶ୍ଚିମ ବଙ୍ଗର । ଦଶନ୍ଧି ଦଶନ୍ଧି ଧରି ବନ୍ଦ ହୋଇଥିବା ବିକାଶ, ମୃତପ୍ରାୟ ଉଦ୍ଯୋଗ ଏବଂ ଶିଥିଳ ପଡ଼ିଯାଇଥିବା ଭିତ୍ତିଭୂମିର ପୁନର୍ବିନ୍ୟାସ ହେବ ଆଗାମୀ ଦିନରେ । କେବଳ ପଶ୍ଚିମବଙ୍ଗ ନୁହେଁ, ଭାରତୀୟ ଜନତା ପାର୍ଟିର ସରକାରଙ୍କ ଉପରେ ଆସାମ ଓ ପୁଡୁଚେରିର ଜନତା ଆସ୍ଥା ପ୍ରକଟ କରିଛନ୍ତି । କାରଣ, ଗତ ପାଞ୍ଚବର୍ଷରେ ଏହି ଉଭୟ ରାଜ୍ୟରେ ଅନେକ ବିକାଶ ହୋଇଛି ଏବଂ ସେଠାକାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ "ସବ୍କା ସାଥ୍, ସବ୍କା ବିଶ୍ୱାସ' ମନ୍ତ୍ରରେ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ବିନା ତୁଷ୍ଟୀକରଣରେ ସେବା କରିଆସୁଛନ୍ତି । ତେଣୁ, ଏହି ଭୋଟ ଉଭୟ ରାଜ୍ୟ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥାର ଭୋଟ । ରାଜନୀତିରେ ଅନେକ ନେତା ଆସନ୍ତି, ଇତିହାସ ପୃଷ୍ଠାରେ ହଜିଯାଆନ୍ତି । କିନ୍ତୁ ଅଳ୍ପ କେତେଜଣ ବ୍ୟକ୍ତିତ୍ୱ ନିଜ ଅସାଧାରଣ ପ୍ରତିଭା ଫଳରେ ଜନମାନସରେ ଗଭୀର ରେଖାଙ୍କିତ କରିବାରେ ସଫଳ ହୋଇଥାନ୍ତି । ସେଇଭଳି ଜଣେ ନେତୃତ୍ୱ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜନୈତିକ ଭାବେ ଅଭେଦ୍ୟ, ଅପରାଜେୟ ଆଖ୍ୟାୟିତ ହୋଇଥିବା ପଶ୍ଚିମବଙ୍ଗ ବିଜୟ ପରେ ନରେନ୍ଦ୍ର ମୋଦିଜୀଙ୍କର ନାମ ରାଜନୈତିକ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ତାଙ୍କ ନିର୍ବାଚନୀ ପ୍ରଚାର କେବଳ ଭାଷଣ ମଧ୍ୟରେ ସୀମାବଦ୍ଧ ନଥିଲା । ବରଂ ସାଧାରଣ ଲୋକଙ୍କ ମନକୁ ଛୁଇଁବା ପରି କାର୍ଯ୍ୟ ଯେପରିକି ରାସ୍ତାକଡ଼ରେ ସାଧାରଣ ଲୋକଙ୍କ ଗହଣରେ ଝାଲମୁଢ଼ି ଖାଇବା, ଚା'ପତ୍ର ତୋଳାଳି ମା'ମାନଙ୍କ ମଧ୍ୟରେ ସମୟ ବ୍ୟତୀତ କରିବା, ହୁଗଲୀ ନଦୀରେ ସାଧାରଣ ଲୋକଙ୍କ ପରି ନୌକା ବିହାର କରିବା ଲୋକଙ୍କ ମନରେ ଗଭୀର ରେଖାଙ୍କିତ କରିଥିଲା । ଏହି ନିର୍ବାଚନର ଆଉ ଏକ ଦିଗ ହେଉଛି ପରିବାରବାଦର ଅନ୍ତ । ପଶ୍ଚିମବଙ୍ଗ, ତାମିଲନାଡୁ ତଥା ଆସାମ ପରି ରାଜ୍ୟରେ ପରିବାରବାଦକୁ କ୍ଷମତାରୁ ବାହାର କରିଛନ୍ତି ଭୋଟର। ଏହା ସବୁ ରାଜନୈତିକ ଦଳ ପାଇଁ ଏକ ଶିକ୍ଷା । ପରିବାରବାଦ ରାଜନୀତିର ଅନ୍ତ ସବୁବେଳେ ଦୁଃଖଦ । ମହିଳାବିରୋଧୀ ଏବଂ ପରିବାରବାଦୀ ରାଜନୈତିକ ଦଳ ସଂପୂର୍ଣ୍ଣ ରୂପେ ପ୍ରତ୍ୟାକ୍ଷିତ ହୋଇଛନ୍ତି ଏହି ନିର୍ବାଚନରେ, ଯାହା ଭାରତୀୟ ଗଣତନ୍ତ୍ର ପାଇଁ ନିଶ୍ଚିତ ଭାବେ ଶୁଭଙ୍କର । ଏହି ଐତିହାସିକ ସଫଳତା ପାଇଁ ବ୍ୟକ୍ତିଗତ ଭାବେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଏଥିସହିତ ପ୍ରଧାନମନ୍ତ୍ରୀଙ୍କର ପୂରା ଟିମ୍ ଏବଂ ପଶ୍ଚିମବଙ୍ଗର ସ୍ଥାନୀୟ ନେତୃତ୍ୱ ମଧ୍ୟ ପ୍ରଶଂସାର ପାତ୍ର । ମୋର ଦୃଢ଼ ବିଶ୍ୱାସ ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ପ୍ରଗତି, ସଶକ୍ତିକରଣ ଏବଂ ବିଶ୍ୱସ୍ତରୀୟ ପ୍ରତିଷ୍ଠାର ଏକ ନୂତନ ଶିଖର ସ୍ପର୍ଶ କରିବ । ଏକ ଶକ୍ତିଶାଳୀ, ସର୍ବଜନହିତାୟ ଏବଂ ସମୃଦ୍ଧ ଭାରତର ଆମର ସାମୂହିକ ସ୍ୱପ୍ନକୁ ସାକାର କରିବା ପାଇଁ କେନ୍ଦ୍ର ସରକାରଙ୍କ ସହ ନିବିଡ଼ ସହଭାଗିତାରେ ପୂର୍ବ-ଭାରତର ରାଜ୍ୟସମୂହ ସମ୍ପୂର୍ଣ୍ଣ ଭାବେ ଅଙ୍ଗୀକାରବଦ୍ଧ । ସମସ୍ତଙ୍କ ସହଯୋଗରେ ନିର୍ମିତ ହେବ "ବିକଶିତ ଭାରତ' ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ପଶ୍ଚିମବଙ୍ଗ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ବିଜେପି ଐତିହାସିକ ବିଜୟ ହାସଲ କରିଛି। | Achira News