ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ଶ୍ରେଷ୍ଠ ସ୍ଥାନ ଦିଆଯାଇଛି । କୁହାଯାଏ, "ଗୁରୁ ବିନା ଜ୍ଞାନ ନାହିଁ’ । ଆଧୁନିକ ସମାଜରେ ଆମେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅବହେଳା କରି ଏକ ଶକ୍ତିଶାଳୀ ରାଷ୍ଟ୍ରର ସ୍ୱପ୍ନ ଦେଖୁଛୁ, ଯାହା ଏକ ବିଡ଼ମ୍ବନା ମାତ୍ର । ଆଜି ଆମ ପ୍ରାଥମିକ ଶିକ୍ଷାବ୍ୟବସ୍ଥା କେଉଁଠି ନା କେଉଁଠି ଅବହେଳିତ । ଯଦି ଆମେ ଭାରତକୁ ଏକ ଦୁର୍ନୀତିମୁକ୍ତ ଏବଂ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଢ଼ିବାକୁ ଚାହୁଁ, ତେବେ ଶିକ୍ଷକ ନିଯୁକ୍ତି ଏବଂ ସେମାନଙ୍କ ସାମାଜିକ-ଆର୍ଥିକ ମାନଦଣ୍ଡରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ଅପରିହାର୍ଯ୍ୟ । ଦେଶର ଅତି ଉଚ୍ଚ ମେଧାସମ୍ପନ୍ନ ବା ‘‘Creamy Layer’ ଯେଉଁମାନେ ପରୀକ୍ଷାରେ ସର୍ବାଧିକ ନମ୍ବର ରଖନ୍ତି ସେମାନଙ୍କ ପ୍ରଥମ ପସନ୍ଦ ହେଉଛି IIT, IIM or UPSC, ସେମାନଙ୍କ ମଧ୍ୟରୁ କୌଣସି ଛାତ୍ର ପ୍ରାଥମିକ ବା ମାଧ୍ୟମିକ ଶିକ୍ଷକତାକୁ ନିଜର ପ୍ରଥମ ପସନ୍ଦ ଭାବେ ବାଛନ୍ତି ନାହିଁ । ଏମିତିକି ଆଇଆଇଟି ଓ ଆଇଆଇଏମ ଭଳି ସମ୍ମାନଜନକ ଶିକ୍ଷା ପରିସମାପ୍ତି ପରେ ମଧ୍ୟ ସେମାନେ ଆଇଏଏସ ପାଇଁ ଲାଳାୟିତ ହୁଅନ୍ତି । ଆଜିକାଲି ଏହିମାନଙ୍କ ମଧ୍ୟରୁ ସଂଖ୍ୟାଧିକ ଆଇଏଏସ ଏବଂ ଆଇପିଏସ ଚାକିରି ପାଇଁ ପ୍ରଲୋଭିତ ହେଉଛନ୍ତି । ଯଦିଓ ଶିକ୍ଷକତା ଏକ ସମ୍ମାନଜନକ ପେସା, ତଥାପି ଆର୍ଥିକ ପ୍ରଲୋଭନ ଓ ସାମାଜିକ ପ୍ରତିଷ୍ଠା ଅଭାବରୁ ଦେଶର "ସର୍ବଶ୍ରେଷ୍ଠ ମସ୍ତିଷ୍କ’ ଏହି କ୍ଷେତ୍ରକୁ ଆସିବାକୁ ସଙ୍କୋଚ କରୁଛନ୍ତି । ଫଳସ୍ୱରୂପ, ଦେଶର "ସର୍ବଶ୍ରେଷ୍ଠ ମସ୍ତିଷ୍କ’ ମୂଳଦୁଆ ଗଢ଼ିବା ପରିବର୍ତ୍ତେ ଶାସନ କଳ ଚଳାଇବାରେ ବ୍ୟସ୍ତ ରହୁଛନ୍ତି ।ଅପରପକ୍ଷରେ ଜଣେ ପ୍ରାଶାସନିକ ଅଧିକାରୀ (ବ୍ୟୁରୋକ୍ରାଟ) ସରକାରଙ୍କ ଶାସନ କଳର ଅଭିନ୍ନ ଅଙ୍ଗ । ସରକାର ବଦଳିଲେ ମଧ୍ୟ ଏହି ଅଧିକାରୀମାନେ ନିଜ ସ୍ଥାନରେ ରହି ଦେଶର ଶାସନ ବ୍ୟବସ୍ଥାକୁ ଚଳାଇଥାନ୍ତି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭାରତୀୟ ପ୍ରାଶାସନିକ ସେବାକୁ ‘Steel Frame of India’ କହିଥିଲେ । ନେତା ବା ମନ୍ତ୍ରୀମାନେ ଯେଉଁ ନୀତି ଓ ଯୋଜନା ପ୍ରଣୟନ କରନ୍ତି, ତାହା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ବ୍ୟୁରୋକ୍ରାଟ୍ମାନେ ରାସ୍ତା ତିଆରି କରନ୍ତି । ଏହି ଯୋଜନାକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ବ୍ୟୁରୋକ୍ରାଟ୍ମାନଙ୍କର । ସେମାନେ ହେଉଛନ୍ତି ଗଣତନ୍ତ୍ରର ସ୍ଥାୟୀ ସ୍ତମ୍ଭ । ଉଦାହରଣ ସ୍ୱରୂପ, ବିଭିନ୍ନ ଅଞ୍ଚଳରେ ରାସ୍ତାକାମ ପାଇଁ ଅର୍ଥ ମଞ୍ଜୁର ହେବାପରେ ତାହାକୁ ଠିକ୍ଭାବେ କାର୍ଯ୍ୟକାରୀ କରିବା ବି.ଡି.ଓ. କିମ୍ବା ଜିଲ୍ଲାପାଳଙ୍କ କାମ । ଆହୁରି ମଧ୍ୟ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ ସହିତ ସରକାରଙ୍କ ପାଖକୁ ଆସୁଥିବା ଟ୍ୟାକ୍ସ ବା ଅର୍ଥ ଯେପରି ସଠିକ୍ ଭାବେ ବ୍ୟୟ ହେବ ଏବଂ ଏଥିରେ ଯେପରି କୌଣସି ଦୁର୍ନୀତି ନହେବ, ତାହା ଦେଖିବା ମଧ୍ୟ ଏହି ଅଧିକାରୀମାନଙ୍କର କାମ । ଆଜି ବିକଶିତ ଭାରତ ପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଛି ଦୁର୍ନୀତି । ଆଜି ଭାରତରେ ପ୍ରତିଟି ସାମ୍ବିଧାନିକ ବ୍ୟବସ୍ଥା ଭିତରେ ଦୁର୍ନୀତି କାୟା ବିସ୍ତାର କରିସାରିଛି । ଦୁର୍ନୀତିର ମୂଳୋତ୍ପାଟନ କରିବା ଉତ୍ତରଦାୟିତ୍ୱ ହେଉଛି ଭାରତର ସର୍ବଶ୍ରେଷ୍ଠ ମସ୍ତିଷ୍କ ଥିବା ଏହି ଅଧିକାରୀମାନଙ୍କର । କିନ୍ତୁ ପ୍ରଶ୍ନ ଉଠେ, ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଏହି ସର୍ବଶ୍ରେଷ୍ଠ ମେଧାସମ୍ପନ୍ନ ଅଧିକାରୀମାନେ ଦୁର୍ନୀତି ରୋକିବାରେ ସଫଳ ହୋଇଛନ୍ତି କି? ଦୁର୍ନୀତି ଆଜି ପ୍ରତ୍ୟେକ ସାମ୍ବିଧାନିକ ବ୍ୟବସ୍ଥା ଭିତରେ କାୟା ବିସ୍ତାର କରିସାରିଛି । ଏହାର ମୂଳୋତ୍ପାଟନ କେବଳ କଠୋର ଆଇନ ଦ୍ୱାରା ନୁହେଁ, ବରଂ ଶୈଶବରୁ ଦିଆଯାଉଥିବା ନୈତିକ ସଂସ୍କାର ଦ୍ୱାରା ସମ୍ଭବ । ତେଣୁ ସମୟ ଆସିଛି ଏକ ନୂତନ ବ୍ୟବସ୍ଥାର ପରିକଳ୍ପନା କରିବା । ଶିକ୍ଷକଙ୍କ ବିନା ଦେଶ ନୈତିକତାଶୂନ୍ୟ ଏବଂ ଅଦକ୍ଷ ହୋଇଯିବ । ଜଣେ "ଉତ୍କୃଷ୍ଟ ସିଭିଲ୍ ସର୍ଭେଣ୍ଟ‘ ହେବାପାଇଁ ପ୍ରଥମେ ଜଣେ "ଉତ୍କୃଷ୍ଟ ଶିକ୍ଷକ’ଙ୍କ ମାର୍ଗଦର୍ଶନ ଆବଶ୍ୟକ । ତେବେ ଉତ୍କୃଷ୍ଟ ଶିକ୍ଷକଙ୍କୁ ପ୍ରାଥମିକତା ଦେବା ଉଚିତ, କାରଣ ସେମାନେ ହିଁ ଦେଶର ଚେର । ଯଦି ଚେର ଶକ୍ତ ରହେ, ତେବେ ଶାଖା ସ୍ୱରୂପ ପ୍ରଶାସନିକ ବ୍ୟବସ୍ଥା ନିଶ୍ଚିତ ଭାବେ ସୁଦୃଢ଼ ହେବ । କୁହାଯାଏ, ଜଣେ ଶିକ୍ଷକ ହାରିଗଲେ ଗୋଟିଏ ପିଢ଼ି ହାରିଯାଏ, କିନ୍ତୁ ଜଣେ ପ୍ରଶାସକ ହାରିଗଲେ ଗୋଟିଏ ନୀତି ହାରିଯାଏ । ଶିକ୍ଷକ ହେଉଛନ୍ତି ‘ସର୍ଜକ', ସେ ଏକ ନୂତନ ମନସ୍ତତ୍ତ୍ୱ ଓ ଭବିଷ୍ୟତ ତିଆରି କରନ୍ତି । ଯଦି ଜଣେ ଶିକ୍ଷକ ଉତ୍କୃଷ୍ଟ ହୁଅନ୍ତି, ତେବେ ଦେଶର କୌଣସି ନାଗରିକ ଦୁର୍ନୀତି କରିବେ ନାହିଁ କିମ୍ବା ଆଇନ ଭାଙ୍ଗିବେ ନାହିଁ । ଏହି ସନ୍ଦର୍ଭରେ ଆମେ ଦୁଇଟି ଭିନ୍ନ ବିଶ୍ୱସ୍ତରୀୟ ଉଦାହରଣକୁ ଦେଖିପାରିବା- ଗୋଟିଏ ହେଉଛି ଜାପାନ, ଯିଏ ଶିକ୍ଷକଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି ଏବଂ ଅନ୍ୟଟି ଭାରତ, ଯେଉଁଠାରେ ପ୍ରଶାସନିକ ବ୍ୟବସ୍ଥା ଦେଶର ମେରୁଦଣ୍ଡ ଭାବେ କାର୍ଯ୍ୟ କରିଆସୁଛି । ଫଳସ୍ୱରୂପ ଆଜି ଭାରତ ଏକ ଦୁର୍ନୀତିଗସ୍ତ ଦେଶ ଭାବେ ଜଣାଶୁଣା ଏବଂ ଜାପାନ ଆଜି ଏକ ଶୃଙ୍ଖଳିତ ଓ ଦୁର୍ନୀତିମୁକ୍ତ ରାଷ୍ଟ୍ର ଭାବେ ପରିଚିତ । ଜାପାନରେ ଏକ ପ୍ରବାଦ ଅଛି "ଜଣେ ଶିକ୍ଷକଙ୍କ ପାଖରେ ଜଣେ ସମ୍ରାଟଙ୍କ ଭଳି ସମ୍ମାନ ଥାଏ, କିନ୍ତୁ ସେ ଜଣେ ସାଧାରଣ ନାଗରିକଙ୍କ ଭଳି ଦାୟିତ୍ୱବାନ’ । ଜାପାନରେ ଜଣେ ଶିକ୍ଷକଙ୍କୁ ସମାଜରେ ସବୁଠାରୁ ଉଚ୍ଚ ସମ୍ମାନ ଦିଆଯାଏ । ସେଠାରେ ଶିକ୍ଷକମାନଙ୍କୁ କୌଣସି ସରକାରୀ କାର୍ଯ୍ୟାଳୟରେ ଲାଇନରେ ଠିଆହେବାକୁ ପଡ଼େନାହିଁ ଏବଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିଥାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜାପାନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । କିନ୍ତୁ ସେମାନେ ପ୍ରଥମେ ନିଜର ଶିକ୍ଷାବ୍ୟବସ୍ଥା ଓ ଶିକ୍ଷକମାନଙ୍କ ଉପରେ ପୁଞ୍ଜି ବିନିଯୋଗ କଲେ । ଏହାର ଫଳସ୍ୱରୂପ, ଆଜି ଜାପାନର ପ୍ରତିଟି ନାଗରିକ ଶୃଙ୍ଖଳିତ, ପରିଶ୍ରମୀ ଏବଂ ବୈଷୟିକ ଜ୍ଞାନକୌଶଳରେ ସମୃଦ୍ଧ । ଜାପାନ ପ୍ରମାଣ କରିଛି, ଯଦି ଶିକ୍ଷକ ଉତ୍କୃଷ୍ଟ ହୁଅନ୍ତି ତେବେ ଦେଶର ନାଗରିକମାନେ ନିଜେ ନିଜେ ଏତେ ସଚେତନ ହୋଇଯାନ୍ତି ଯେ, ସେଠାରେ ବଡ଼ ଧରଣର ପୋଲିସ୍ ବା କଠୋର ପ୍ରଶାସନର ଆବଶ୍ୟକତା ପଡ଼େନାହିଁ । ପ୍ରାଥମିକ ଶିକ୍ଷା ହେଉଛି ଜଣେ ଶିଶୁର ଚରିତ୍ର ଗଠନର ପ୍ରକୃତ ସମୟ । ଯଦି ଜଣେ ଆଇ.ଏ.ଏସ. ଅଧିକାରୀ ଚୟନ ପାଇଁ ଦେଶର ସବୁଠାରୁ କଠିନ ପରୀକ୍ଷା (ୟୁପିଏସ୍ସି) କରାଯାଉଛି, ତେବେ ସେହି ଅଧିକାରୀଙ୍କୁ ଗଢ଼ୁଥିବା ଶିକ୍ଷକଙ୍କ ପାଇଁ ମଧ୍ୟ ସମାନ କିମ୍ବା ତା'ଠାରୁ ଅଧିକ କଠୋର ମାନଦଣ୍ଡ ରହିବା ଉଚିତ । ଯେତେବେଳେ ନିଯୁକ୍ତି ପ୍ରକ୍ରିୟା ଅତ୍ୟନ୍ତ କଠୋର ହେବ, ସେତେବେଳେ କେବଳ ପ୍ରକୃତ ଯୋଗ୍ୟ ଏବଂ ମେଧାବୀ ବ୍ୟକ୍ତିମାନେ ହିଁ ଶିକ୍ଷାଦାନ କ୍ଷେତ୍ରକୁ ଆସିବାକୁ ପ୍ରତିଯୋଗିତା କରିବେ । କେବଳ ପାଠ୍ୟପୁସ୍ତକ ଜ୍ଞାନ ନୁହେଁ, ବରଂ ଶିକ୍ଷକଙ୍କ ନୈତିକତା, ମାନସିକ ସ୍ଥିତି ଏବଂ ସମାଜ ପ୍ରତି ଥିବା ଦୃଷ୍ଟିକୋଣକୁ ପରଖିବା ପାଇଁ ଉଚ୍ଚସ୍ତରୀୟ ସାକ୍ଷାତକାର ବ୍ୟବସ୍ଥା ରହିବା ଆବଶ୍ୟକ । ଜଣେ ଶିକ୍ଷକଙ୍କ ଦରମା ଆଇ.ଏ.ଏସ. ଅଧିକାରୀଙ୍କ ଠାରୁ ଅଧିକ ହେବା ଦ୍ୱାରା ସମାଜରେ ଦୁଇଟି ବଡ଼ ପରିବର୍ତ୍ତନ ଆସିବ: ବର୍ତ୍ତମାନ ଅନେକ ମେଧାବୀ ଯୁବକ କେବଳ ଅର୍ଥ ଏବଂ କ୍ଷମତା ପାଇଁ ପ୍ରଶାସନିକ ସେବା ବା କର୍ପୋରେଟ ଜଗତକୁ ଯାଉଛନ୍ତି । ଯଦି ଶିକ୍ଷକତା କ୍ଷେତ୍ରରେ ଅଧିକ ସୁବିଧା ଓ ସମ୍ମାନ ମିଳିବ, ତେବେ ଦେଶର ଶ୍ରେଷ୍ଠ ମସ୍ତିଷ୍କମାନେ ଶିକ୍ଷକ ହେବାକୁ ନିଶ୍ଚୟ ପସନ୍ଦ କରିବେ । ଯେତେବେଳେ ଜଣେ ଶିକ୍ଷକ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଓ ସମ୍ମାନିତ ହେବେ, ସେତେବେଳେ ସେ ସମ୍ପୂର୍ଣ୍ଣ ନିଷ୍ଠାର ସହ ନୈତିକ ଶିକ୍ଷା ପ୍ରଦାନ କରିବେ । ଗୋଟିଏ ପିଢ଼ି ଯଦି ଜଣେ ଆଦର୍ଶ ଶିକ୍ଷକଙ୍କଠାରୁ ନୈତିକତା ଶିଖିବ, ତେବେ ଭବିଷ୍ୟତରେ ସେମାନେ ଦୁର୍ନୀତିଗ୍ରସ୍ତ ଅଧିକାରୀ ବା ନେତା ହେବେନାହିଁ ଏବଂ ଏହାଦ୍ୱାରା ଭାରତରୁ ଦୁର୍ନୀତିର ମୂଳୋତ୍ପାଟନ ହେବ । ଦୁର୍ନୀତି କେବଳ ଆଇନ ଦ୍ୱାରା ବନ୍ଦ କରାଯାଇପାରିବ ନାହିଁ, ଏହା କେବଳ ସଂସ୍କାର ଦ୍ୱାରା ସମ୍ଭବ । ପ୍ରାଥମିକ ଶିକ୍ଷକ ଯଦି ଜଣେ ‘High-profile’ ଗୁରୁ ହୁଅନ୍ତି, ତେବେ ତାଙ୍କର ପ୍ରଭାବ ଶିଶୁର ମନସ୍ତତ୍ତ୍ୱ ଉପରେ ଗଭୀର ଭାବେ ପଡ଼ିବ । ସମାଜରେ ଶିକ୍ଷକଙ୍କ ସ୍ଥାନ ଶୀର୍ଷରେ ରହିଲେ ଶିକ୍ଷାବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ କମିବ ଏବଂ ଏକ ସୁସ୍ଥ ଶିକ୍ଷାୟତନ ସୃଷ୍ଟିହେବ । ତେଣୁ ଯଦି ଶିକ୍ଷକଙ୍କ ଦରମା ଓ ସମ୍ମାନ ଆଇ.ଏ.ଏସ୍. ସ୍ତରକୁ ଯାଏ, ତେବେ ହୁଏତ ଦେଶର ଶୀର୍ଷ ମେଧାବୀ ଛାତ୍ରଛାତ୍ରୀମାନେ ମଧ୍ୟ ଶିକ୍ଷକତାକୁ ନିଜର ପ୍ରଥମ କ୍ୟାରିୟର ଭାବେ ବାଛିବେ । ନିକଟରେ ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ବମପାଟି କହିଛନ୍ତି "ଶିକ୍ଷା ସଂସ୍କାର କେବଳ ନୀତି ଦସ୍ତାବିଜ ମାଧ୍ୟମରେ ହାସଲ ହୋଇନଥାଏ । ପ୍ରକୃତ ପରିବର୍ତ୍ତନ କେବଳ ଶିକ୍ଷକଙ୍କୁ ଆବଶ୍ୟକୀୟ ଦକ୍ଷତା, ମାନଦଣ୍ଡ ଓ ବୃତ୍ତିଗତ ସହାୟତା ପ୍ରଦାନ ଦ୍ୱାରା ସମ୍ଭବ ହୋଇଥାଏ' । ଶିକ୍ଷକମାନେ ସଶକ୍ତ ହେଲେ ହିଁ ପ୍ରକୃତ ପରିବର୍ତ୍ତନ ସମ୍ଭବ ହୋଇପାରିବ । ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ମନୋଭାବ, ଜିଜ୍ଞାସା ଓ ଦାୟିତ୍ୱବୋଧ ଗଢ଼ିତୋଳି ଦେଶର ଭବିଷ୍ୟତ ନିର୍ମାଣ କରିଥାନ୍ତି । ଭାରତରେ ପ୍ରାଚୀନ ଗୁରୁ-ଶିଷ୍ୟ ପରମ୍ପରା ଜ୍ଞାନ, ମୂଲ୍ୟବୋଧ ଓ ଚରିତ୍ର ଗଠନ କରିବାରେ ଶିକ୍ଷକଙ୍କ ଭୂମିକା ହିଁ ଅତୁଳନୀୟ । ସମୟ ଆସିଛି, ଆଜି ବିଶ୍ୱ ଦ୍ରୁତଗତିରେ ପରିବର୍ତ୍ତନଶୀଳ ହେଉଥିବାବେଳେ, ଭାରତର ଶିକ୍ଷାବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ନିହାତି ଆବଶ୍ୟକ । ଯେହେତୁ ଜାପାନ ଓ ଫିନଲାଣ୍ଡ ଭଳି ଦେଶରେ ଶିକ୍ଷକମାନଙ୍କୁ ସର୍ବୋଚ୍ଚ ସମ୍ମାନ ଓ ଉତ୍ତମ ସୁବିଧା ସୁଯୋଗ ଦିଆଯାଉଥିବାରୁ ସେଠାକାର ଶିକ୍ଷା ଓ ସାମାଜିକ ବ୍ୟବସ୍ଥା ଅତି ଉନ୍ନତ । ଭାରତରେ ମଧ୍ୟ ପ୍ରାଥମିକ ଶିକ୍ଷକଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଉଚ୍ଚ ମାନ୍ୟତା ଦେଲେ ହିଁ ଆମେ ଏକ "ବିଶ୍ୱଗୁରୁ’ ଭାରତର ପରିକଳ୍ପନାକୁ ସାକାର କରିପାରିବା ସହିତ ଭାରତକୁ ଏକ ଦୁର୍ନୀତିମୁକ୍ତ ଦେଶରେ ପରିଣତ କରିପାରିବା ।
ଭାରତର ଅବହେଳିତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ର ନିର୍ମାଣରେ ପ୍ରତିବନ୍ଧକ
Prameya•

Full News
Share:
Disclaimer: This content has not been generated, created or edited by Achira News.
Publisher: Prameya
Want to join the conversation?
Download our mobile app to comment, share your thoughts, and interact with other readers.