Achira News Logo
Achira News

ଭାରତର ବଜେଟ୍ 2023: ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଶିକ୍ଷା କ୍ଷେତ୍ର ପାଇଁ ରେକର୍ଡ ଆବଣ୍ଟନ

Prameya
ଭାରତର ବଜେଟ୍ 2023: ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଶିକ୍ଷା କ୍ଷେତ୍ର ପାଇଁ ରେକର୍ଡ ଆବଣ୍ଟନ
Full News
Share:

ନୂଆଦିଲ୍ଲୀ ୦୨/୦୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ୯ମ ବଜେଟ ଉପସ୍ଥାପନରେ ଶିକ୍ଷା କ୍ଷେତ୍ର ପାଇଁ ୧,୩୯,୨୮୯.୪୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯାହା କି ଗତ ଆର୍ଥିକ ବର୍ଷ ବଜେଟ ତୁଳନାରେ ୮.୨୭% ଅଧିକ । ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପାଇଁ ବଜେଟରେ ୮୩,୫୬୧.୪୧ କୋଟି ଟଙ୍କା ରହିଛି । ୨୦୨୫-୨୬ ବଜେଟରେ ଏହି ଅର୍ଥ ୭୮,୫୭୨ କୋଟି ରହିଥିଲା । ଉଚ୍ଚ ଶିକ୍ଷା ବିଭାଗ ଲାଗି ମଧ୍ୟ ପୂର୍ବ ବର୍ଷ ତୁଳନାରେ ୧୧.୨୮% ଅଧିକ ବ୍ୟୟବରାଦ କରାଯାଇଛି । ୨୦୨୫-୨୬ ବଜେଟରେ ଏହା ୫୦,୦୭୮ କୋଟି ଟଙ୍କା ଥିବାବେଳେ ଆଜିର ବଜେଟରେ ଅର୍ଥମନ୍ତ୍ରୀ ତାହାକୁ ୫୫,୭୨୪.୫୪ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଉଚ୍ଚ ଶିକ୍ଷାରେ ନିବେଶକୁ ଫୋକସ କରାଯିବା ଦ୍ୱାରା ଦେଶର ଅର୍ଥବ୍ୟବସ୍ଥାକୁ ଗତି ମିଳିବ ବୋଲି ଅର୍ଥମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏହା ଦ୍ୱାରା କେବଳ ରୋଜଗାର ସୃଷ୍ଟି ହେବନାହିଁ ବରଂ ଭାରତର ପରିଚୟ ଏକ ମଜଭୁତ ସର୍ଭିସ୍-ହବ୍ ଭାବେ ସୃଷ୍ଟି ହେବ । ବଜେଟ ୨୦୨୬-୨୭ରେ ସରକାର ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, ଶିକ୍ଷା, ଚାକିରି ଏବଂ ଉଦ୍ୟମିତାକୁ ଏକ ସଙ୍ଗରେ ଯୋଡ଼ି ଭାରତକୁ ୨୦୪୭ ସୁଦ୍ଧା ବିକଶିତ ଏବଂ ଆତ୍ମନିର୍ଭର ବନାଯାଇପାରିବ । ଆହୁରି ପଢ଼ନ୍ତୁ :-ଓଡ଼ିଶାକୁ ଭାଗରେ ଅଧିକ କେନ୍ଦ୍ରୀୟ ଟିକସ: ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିସ୍କୁ ଅପେକ୍ଷା, କେନ୍ଦ୍ରୀୟ ଅନୁଦାନ ବି ବଢ଼ିବା ଆଶା ବଜେଟରେ ଉଚ୍ଚ ଶିକ୍ଷାରେ ଗବେଷଣା, ଡିଜିଟାଲ ଭିତ୍ତିଭୂମି, ଡାକ୍ତରୀ ଶିକ୍ଷା, ଏଆଇ-ସକ୍ଷମ ଶିକ୍ଷାକୁ ଅଧିକ ଫୋକସ୍ କରାଯାଇଛି । ଏହା ଫେଲୋସିପ୍ ଏବଂ ଏଆଇ-କେନ୍ଦ୍ରୀତ ପଦକ୍ଷେପ ମାଧ୍ୟମରେ ନୂତନ ଗବେଷଣା ସୁଯୋଗ ପ୍ରଦାନ କରିବ, ମେଡିକାଲ କଲେଜ କ୍ୟାମ୍ପ୍ସର ଭିତ୍ତିଭୂମି ଉନ୍ନତ କରିବ । ଏଥିସହ ନିଯୁକ୍ତି, ନବସୃଜନ, ଲାବେରେଟୋରୀ, ସ୍ୱାସ୍ଥ୍ୟସେବା କ୍ଷେତ୍ର ଏବଂ ଶିଳ୍ପ ସହଭାଗିତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ପ୍ରତି ଜିଲ୍ଲାରେ ଛାତ୍ରୀନିବାସ ବଜେଟରେ ସରକାରଙ୍କ ଫୋକସ୍ ଉଚ୍ଚ ଶିକ୍ଷା ଏବଂ ରୋଜଗାରକୁ ଏକ ସହ ଯୋଡ଼ିବା ଉପରେ ରହିଛି । ଏଥିପାଇଁ ‘ଏଜୁକେସନ ଟୁ ଏମ୍ପ୍ଲଏମେଣ୍ଟ ଆଣ୍ଡ ଏଣ୍ଟରପ୍ରାଇଜେସ୍’ ହାଇ-ପାୱାର ସ୍ଥାୟୀ କମିଟି ଗଠନ ଲାଗି ଘୋଷଣା କରାଯାଇଛି । ଉଚ୍ଚ ଶିକ୍ଷାରେ ‘ଷ୍ଟେମ୍’ (ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମାଥ୍ମେଟିକ୍ସ) ସଂସ୍ଥାରେ ପାଠପଢ଼ା ଏବଂ ଲ୍ୟାବ୍ କାମର ଲମ୍ବା ଅବଧି ବିଶେଷକରି ଛାତ୍ରୀମାନଙ୍କ ପାଇଁ ଅନେକ ଆହ୍ୱାନ ସୃଷ୍ଟି କରିଥାଏ । ତେଣୁ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ ବା କ୍ୟାପିଟଲ ସପୋର୍ଟ ଜରିଆରେ ପ୍ରତ୍ୟେକ ଜିଲ୍ଲାରେ ଛାତ୍ରୀମାନଙ୍କ ପାଇଁ ଏକ ହଷ୍ଟେଲ ବନାଯିବ । ଏହା ଦ୍ୱାରା ଦୂର ଦୂରାନ୍ତରରୁ ଆସୁଥିବା ଛାତ୍ରୀମାନଙ୍କୁ ସୁରକ୍ଷିତ ଏବଂ ସୁବିଧାଜନକ ରହଣୀସ୍ଥଳୀ ମିଳିପାରିବ । ଶିକ୍ଷା କ୍ଷେତ୍ରରେ ବଡ଼ ସ୍ତରରେ ନିବେଶ କରାଯିବ । ଦେଶରେ ରୋଜଗାର ଦେଉଥିବା ନୂଆ ଶିକ୍ଷଣ ସଂସ୍ଥା ଖୋଲାଯିବ । ବନିବ ୫ ୟୁନିଭର୍ସିଟି ଟାଉନସିପ୍ ବଡ଼ ଶିଳ୍ପାଞ୍ଚଳ ଏବଂ ଲଜିଷ୍ଟିକ୍ କରିଡର ନିକଟରେ ୫ଟି ୟୁନିଭର୍ସିଟି ଟାଉନସିପ୍ ବନାଯିବାକୁ ଘୋଷଣା ହୋଇଛି । ପ୍ରସ୍ତାବିତ ୟୁନିଭର୍ସିଟି ଟାଉନସିପ୍ ଇଣ୍ଟିଗ୍ରେଟେଡ୍ ଏକାଡେମିକ୍ ହବ୍ ଭାବେ କାମ କରିବେ । ଏଥିରେ ଅନେକ ୟୁନିଭର୍ସିଟି, କଲେଜ, ରିସର୍ଚ୍ଚ ଅନୁଷ୍ଠାନ, ସ୍କିଲ ସେଣ୍ଟର ଏବଂ ରେସିଡେନ୍ସିଆଲ୍ କମ୍ପେ୍ଲକ୍ସ ରହିବ । କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟଗୁଡ଼ିକ ବଡ଼ ଇଣ୍ଡଷ୍ଟ୍ରିଆଲ ଏବଂ ଲଜିଷ୍ଟିକ୍ସ କରିଡର ନିକଟରେ ଏହି ୟୁନିଭର୍ସିଟି ଟାଉନ୍ଶିପ୍ ବନାଇବେ । ଏହାଦ୍ୱାରା ପାଠପଢ଼ା ଏବଂ ଶିଳ୍ପକୁ ଗୋଟିଏ ଇକୋସିଷ୍ଟମକୁ ଅଣାଯାଇପାରିବ । ଯାହା ଫଳରେ ଛାତ୍ରଛାତ୍ରୀ ପାଠପଢ଼ା ସମୟରେ ଶିଳ୍ପ ସହ ପରିଚିତ ହୋଇପାରିବେ ଏବଂ ସେଠାରେ ସେମାନଙ୍କୁ ଇଣ୍ଟର୍ନସିପ୍ ଓ ଚାକିରି ସୁଯୋଗ ଦିଆଯାଇ ସେମାନଙ୍କୁ ‘କର୍ପୋରେଟ୍ ମିତ୍ର’ ବନାଯିବ । ଆହୁରି ପଢ଼ନ୍ତୁ :-ବଜେଟ୍ ପରେ ପୁରୁଣା ଏବଂ ନୂତନ ଟିକସ ବ୍ୟବସ୍ଥା କ’ଣ ? ଆପଣଙ୍କ ପାଇଁ କେଉଁଟି ଅଧିକ ଲାଭଦାୟକ ଜାଣନ୍ତୁ… ଆଇଆଇଟି, ଆଇଆଇଏସ୍‌ସିରେ ୧୦,୦୦୦ ଟେକ୍ ଫେଲୋସିପ୍ ‘ଏଜୁକେସନ ଟୁ ଏମ୍ପ୍ଲଏମେଣ୍ଟ ଆଣ୍ଡ ଏଣ୍ଟରପ୍ରାଇଜ୍’ ହାଇ-ପାୱାର ସ୍ଥାୟୀ କମିଟି ରୋଜଗାର ଏବଂ ନିଯୁକ୍ତି ଉପରେ ଏଆଇର ପ୍ରଭାବର ଆକଳନ କରିବ । ଦେଶରେ ସେବା କ୍ଷେତ୍ରରେ ବିକାଶ, ରୋଜଗାର ଏବଂ ରପ୍ତାନୀ ବଢ଼ାଇବା ଦିଗରେ ଏହି କମିଟି କାମ କରିବ । ଏଥିସହ ବିକାଶ, ରୋଜଗାର ଏବଂ ରପ୍ତାନୀର ସବୁଠୁ ଅଧିକ ସମ୍ଭାବନା ବିଶିଷ୍ଟ କ୍ଷେତ୍ରକୁ ଚିହ୍ନଟ କରିବ । କେଉଁ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ଏବଂ ତାହାକୁ କିପରି ବଢ଼ାଯିବ ତାହା କମିଟି ବିଚାର କରିବ । ସେହିପରି ଆଇଆଇଟି ଏବଂ ଆଇଆଇଏସ୍ସିଗୁଡ଼ିକରେ ୧୦,୦୦୦ ନୂଆ ଟେକ୍ ଫେଲୋସିପ୍ ଆରମ୍ଭ କରାଯିବ, ଯେଉଁଥିରେ ଏଆଇ ଏବଂ ଡିପ୍-ଟେକ୍ ରିସର୍ଚ୍ଚ ଉପରେ ଫୋକସ୍ ରହିବ । ନ୍ୟାସନାଲ ଡେଷ୍ଟିନେସନ ଡିଜିଟାଲ ନଲେଜ୍ ଗ୍ରୀଡ୍ ସ୍ଥାପନ କରାଯିବ । ଏଥିରେ ସ୍ଥାନୀୟ ଗବେଷକ, ଇତିହାସକାର ଏବଂ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ରୋଜଗାରର ସୁଯୋଗ ବଢ଼ିବ । ୪ ଟେଲିସ୍କୋପ୍ ଭିତ୍ତିଭୂମି ବିଜ୍ଞାନ ଏବଂ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ଦେଶରେ ୪ ବଡ଼ ଟେଲିସ୍କୋପ୍ ଭିତ୍ତିଭୂମି କେନ୍ଦ୍ର ବନାଯିବ ବା ଅପ୍ଗ୍ରେଡ୍ କରାଯିବ । ଇମର୍ସିଭ୍ ଏକ୍ସପେରିଏନ୍ସ ଜରିଆରେ ଆଷ୍ଟ୍ରୋନୋମି ଏବଂ ଆଷ୍ଟ୍ରୋଫିଜିକ୍ସକୁ ତ୍ୱରାନ୍ୱିତ କରିବା ଲାଗି ଏହି ଭିତ୍ତିଭୂମି ସ୍ଥାପନ କରାଯିବ । ଏହା ଦ୍ୱାରା ଯୁବ ବୈଜ୍ଞାନିକ ଏବଂ ଗବେଷକ ମହାକାଶ ବିଜ୍ଞାନ ଆଡ଼କୁ ଅଧିକ ଆକର୍ଷିତ ହୋଇପାରିବେ । ଡିଜିଟାଲ ଯୁଗର ଆବଶ୍ୟକତାକୁ ଧ୍ୟାନରେ ରଖି ବଜେଟରେ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯାଇଛି ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ଭାରତର ବଜେଟ୍ 2023: ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଶିକ୍ଷା କ୍ଷେତ୍ର ପାଇଁ ରେକର୍ଡ ଆବଣ୍ଟନ | Achira News