Achira News Logo
Achira News

ଭାରତୀୟ ଭୋଟରମାନେ ବିକଳ୍ପ ନେତାମାନଙ୍କୁ ଆଲିଙ୍ଗନ କରୁଛନ୍ତି, ପାରମ୍ପରିକ ରାଜନୀତିରୁ ଦୂରେଇ ଯିବାର ସଙ୍କେତ ଦେଉଛନ୍ତି

Dharitri
ଭାରତୀୟ ଭୋଟରମାନେ ବିକଳ୍ପ ନେତାମାନଙ୍କୁ ଆଲିଙ୍ଗନ କରୁଛନ୍ତି, ପାରମ୍ପରିକ ରାଜନୀତିରୁ ଦୂରେଇ ଯିବାର ସଙ୍କେତ ଦେଉଛନ୍ତି
Full News
Share:

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ ତାହା ଥିଲା ଟିନା ବା ଦ୍ୟାରିଜ୍‌ ନୋ ଅଲ୍ଟରନେଟିଭ୍‌। ଏବେ ସେହିସବୁ ଚିନ୍ତାଧାରାରୁ ଭାରତୀୟ ଭୋଟର ଦୂରେଇଗଲେଣି। ୨୦୨୪ ମସିହା ନିର୍ବାଚନ ବେଳକୁ ଓଡ଼ିଶାରେ ମଧ୍ୟ କୁହାଯାଉଥିଲା ଯେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ। କାରଣ ସାଧାରଣ ଭୋଟର ଭାଜପାକୁ ଦେଖିଲା ବେଳକୁ କୌଣସି ନେତା ଦୃଷ୍ଟିଗୋଚର ହେଉ ନ ଥିଲେ। କିନ୍ତୁ ଏବେ ଅଧିକାଂଶ ଓଡ଼ିଆ ମୋହନ ଚରଣ ମାଝୀଙ୍କୁ ଏକ ସ୍ବାଗତଯୋଗ୍ୟ ବିକଳ୍ପ ଭାବେ ସ୍ବୀକାର କରିନେଲେଣି। ସେହିଭଳି ଭାବେ ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ ଏବଂ ଆସାମରେ ଦ୍ୱିତୀୟ ଥର ପାଇଁ ହିମନ୍ତ ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀ ହେବେ ବୋଲି କେହି ବାଜି ଲଗାଇ ପାରିବେ ନାହିଁ। ନିଷ୍ପତ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେବେ। ପୂର୍ବଭଳି ଗତାନୁଗତିକ ନେତାଙ୍କୁ ଛାଡ଼ି ନୂଆ ଲୋକଙ୍କୁ ଆଣିବା ଫଳରେ ଯେଉଁ ପ୍ରଶାସନିକ ପରିବର୍ତ୍ତନ ଘଟୁଛି, ତାହାକୁ ଜନସାଧାରଣ ସ୍ବାଗତ କରୁଛନ୍ତି ବୋଲି ପ୍ରତ୍ୟେକଟି ନିର୍ବାଚନରୁ ପ୍ରମାଣିତ ହେଉଛି।ମମତା ବାନାର୍ଜୀଙ୍କ ତୃତୀୟ ନିର୍ବାଚନ ବା ୧୫ ବର୍ଷ ଶାସନରେ ଜନସାଧାରଣ ଅତିଷ୍ଠ ହେବା ଏକପ୍ରକାର ବୁଝାପଡୁଥିଲା। ଭାରତୀୟ ଭୋଟରଙ୍କର ପରିବର୍ତ୍ତନ ପାଇଁ ଆକାଂକ୍ଷା ମଧ୍ୟ ସ୍ବାଗତଯୋଗ୍ୟ। ଭାରତୀୟ ସମ୍ବିଧାନରେ ୫ ବର୍ଷର ଜୀବନକାଳ ଦିଆଯାଇଛି ନିର୍ବାଚିତ ଗୃହକୁ। ଏଥିସହିତ ବିଭିନ୍ନ ସମୟରେ ବିଧାନସଭା ନିର୍ବାଚନଗୁଡ଼ିକ ହେଉଥିବାରୁ କ୍ଷମତାସୀନ ଦଳ ପାଇଁ ସବୁବେଳେ ଏକ ପରୀକ୍ଷା ଦେବାକୁ ପଡ଼ୁଛି। ଏହି ବ୍ୟବସ୍ଥା ଗଣତନ୍ତ୍ରକୁ ସୁଦୃଢ଼ କରି ରଖିପାରୁଛି। ଏଭଳି ନିର୍ବାଚନ ଦ୍ୱାରା ପ୍ରତ୍ୟେକ ଦଳକୁ ନିଜର ଆଭ୍ୟନ୍ତରୀଣ ସାଙ୍ଗଠନିକ ଶକ୍ତି ସହ ଜନସାଧାରଣଙ୍କ ଇଚ୍ଛାକୁ ସମ୍ମାନ ଦେବାର ଆବଶ୍ୟକତା ସମ୍ପର୍କରେ ସଚେତନ ରହିବାକୁ ପଡୁଛି।କୁହାଯାଏ ଯେ, ଗଣତନ୍ତ୍ରରେ ଏକ ଦଶନ୍ଧି ପରିବର୍ତ୍ତନ ଆଣିବା ପାଇଁ ଯଥେଷ୍ଟ। ଭାରତର କେତୋଟି ରାଜ୍ୟ ଯଥା-ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ନାଟକ ଏବଂ କେରଳରେ ପ୍ରାୟତଃ ପ୍ରତ୍ୟେକ ୫ରୁ ୧୦ ବର୍ଷରେ ଶାସକ ଦଳ ବଦଳିଯାଏ। ସେଥିପାଇଁ ଅର୍ଥନୈତିକ ଅଗ୍ରଗତି ସହ ଶିଳ୍ପ ଓ ବ୍ୟବସାୟର ଉନ୍ନତିକୁ ଦେଖିଲେ ଦକ୍ଷିଣ ଭାରତ ଯଥେଷ୍ଟ ଆଗୁଆ ରହୁଛି। ଶିକ୍ଷିତ ଓଡ଼ିଆ ଯୁବତୀଯୁବକ ହାଇଦ୍ରାବାଦ, ବାଙ୍ଗାଲୋର କିମ୍ବା ମାଡ୍ରାସ ଯିବାକୁ ଇଚ୍ଛାପ୍ରକାଶ କରିଥାନ୍ତି। ଏପରିକି ଦିଲ୍ଲୀ ବ୍ୟତୀତ ଅଣକୁଶଳୀ ଓଡ଼ିଆ ଉତ୍ତରପ୍ରଦେଶ, ବିହାର କିମ୍ବା ମଧ୍ୟପ୍ରଦେଶ ଯିବାର ଦେଖାଯାଏ ନାହିଁ। କାରଣ ଯେଉଁସବୁ ଜାଗାରେ ଦୀର୍ଘଦିନ ପର୍ଯ୍ୟନ୍ତ ରାଜନୈତିକ ସ୍ଥିରତା ବଜାୟ ରହୁଛି, ସେହିସବୁ ରାଜ୍ୟର ଅଗ୍ରଗତି ଧିମେଇ ଯାଉଛି। ଏହାର ପ୍ରମାଣ ଓଡ଼ିଶାବାସୀ ନିଜେ ୨୪ ବର୍ଷର ବିଜୁ ଜନତା ଦଳର ଶାସନରେ ଦେଖିବାକୁ ପାଇଲେ। ପ୍ରଥମ ଦଶନ୍ଧିରେ ନବୀନ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟଗୁଡ଼ିକୁ ଅସ୍ବୀକାର କରିହେବ ନାହିଁ। ପରବର୍ତ୍ତୀ ସମୟରେ, ବାରମ୍ବାର ଜିତିବା ଫଳରେ ବିଜୁ ଜନତା ଦଳ ମଧ୍ୟ ଓଡ଼ିଆ ଭୋଟରଙ୍କୁ ନିଜ ପୋଷା ଜନ୍ତୁ ଭାବେ ବ୍ୟବହାର କରିବାକୁ ଆରମ୍ଭ କଲେ। ଏହା ଦର୍ଶାଉଛି ଯେ, ୧୦ ବର୍ଷରୁ ଅଧିକ କୌଣସି ଦଳ କ୍ଷମତାସୀନ ହୋଇ ରହିଲେ ସେଥିରେ ଜନସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥ ଜଗିବା ହୋଇଯାଏ ମୂଳ ଲକ୍ଷ୍ୟ।ଭାରତୀୟ ଭୋଟର ଏବେ କଣ୍ଟାକଣ୍ଟି ନିର୍ବାଚନ ହେବାକୁ ଦେଉନାହାନ୍ତି। ଯେତେବେଳେ ସମର୍ଥନ କାହାରିକୁ ମିଳୁଛି, ଯେମିତି ପଶ୍ଚିମବଙ୍ଗରେ ଭାଜପା, ତାମିଲନାଡୁରେ ଟିଭିକେ, କେରଳରେ ୟୁଡିଏଫ୍‌, ଲୋକେ ସ୍ପଷ୍ଟ ବହୁମତ ଦେଉଛନ୍ତି। ଏହାଦ୍ୱାରା ଶାସନ ଗାଦିକୁ ଆସୁଥିବା ଦଳ ଲୋକଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରିବାରେ କିଛି ବାଧା ସୃଷ୍ଟି ହେବ ନାହିଁ। ଏଭଳି ପରିସ୍ଥିତିରେ ରାଜନେତାମାନଙ୍କୁ ଯେଉଁ ଶକ୍ତି ଦିଆଯାଇଛି ତାହା କିଭଳି ସଦୁପଯୋଗ ହେବ, ପ୍ରଥମ ୫ ବର୍ଷରେ ପ୍ରମାଣ କରିପାରିଲେ ଦ୍ୱିତୀୟ ୫ ବର୍ଷ ମିଳିବା ଦରକାର। ନିକଟ ଅତୀତରେ ପ୍ରାୟ ସବୁ ନିର୍ବାଚନ ପ୍ରମାଣ ଦେଉଛି ଯେ ଭାରତରେ ନେତାର ନାହିଁ ପ୍ରୟୋଜନ, ଭାରତର ନେତା ହେବା ଦରକାର ସ୍ବୟଂ ମତଦାତା। ଏହି ମାନସିକତାକୁ ସୁଦୃଢ଼ କରି ଯଦି ଭାରତୀୟ ଭୋଟର ନିଜର କ୍ଷମତାକୁ ଉଚିତ ଭାବେ ବ୍ୟବହାର କରିପାରିବେ, ତେବେ ଦେଶର ପ୍ରଗତି ସୁନିଶ୍ଚିତ।

Disclaimer: This content has not been generated, created or edited by Achira News.
Publisher: Dharitri

Want to join the conversation?

Download our mobile app to comment, share your thoughts, and interact with other readers.

ଭାରତୀୟ ଭୋଟରମାନେ ବିକଳ୍ପ ନେତାମାନଙ୍କୁ ଆଲିଙ୍ଗନ କରୁଛନ୍ତି, ପାରମ୍ପରିକ ରାଜନୀତିରୁ ଦୂରେଇ ଯିବାର ସଙ୍କେତ ଦେଉଛନ୍ତି | Achira News