Achira News Logo
Achira News

ମେ ମାସ ପ୍ରାରମ୍ଭରେ ଓଡ଼ିଶା ଉପକୂଳରେ ଭୟଙ୍କର ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା

Prameya
ମେ ମାସ ପ୍ରାରମ୍ଭରେ ଓଡ଼ିଶା ଉପକୂଳରେ ଭୟଙ୍କର ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା
Full News
Share:

ଭୁବନେଶ୍ୱର,୦୩/୦୪: ମେ’ ମାସକୁ ନେଇ ଡରାଇଲାଣି ବାତ୍ୟା ଆଶଙ୍କା । ଆମେରିକାସ୍ଥିତ ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଜିଏଫଏସ୍ ପୂର୍ବାନୁମାନ ଦେଖାଉଛି, ବଙ୍ଗୋପସାଗରରେ ବାତ୍ୟା ଆସୁଛି । ସମ୍ଭବତଃ ମେ’ ୧୪-୧୬ ତାରିଖ ଭିତରେ ଏହା ଉପକୂଳରେ ମାଡ଼ ହୋଇପାରେ । ଏମିତିକି ଏହା ଓଡ଼ିଶା ଉପକୂଳରେ ପଶିବା ସମ୍ଭାବନା ଥିବା ନେଇ ଏହି ପ୍ରାକ୍ ଆକଳନ ଚିତ୍ରରେ ଦର୍ଶାଯାଇଛି । ସମ୍ଭାବ୍ୟ ବାୟୁର ଚାପ ଯାହା ଦେଖାଉଛି, ଏହା ଅତି ଶକ୍ତିଶାଳୀ ରୂପ ନେଇପାରେ । ମାତ୍ର ଅନ୍ୟ କୌଣସି ପାଣିପାଗ ମଡେଲ୍ ସମ୍ଭାବ୍ୟ ବାତ୍ୟା ନେଇ ଏବେ କିଛି ବି ପୂର୍ବାନୁମାନ କରିନାହାନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମଧ୍ୟ ଏ ନେଇ କୌଣସି ସୂଚନା ଦେଇନାହିଁ । ତେବେ ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ ବାତ୍ୟା ଦାନା ବାନ୍ଧିବାକୁ ପାଗ ଅନୁକୂଳ ରହିଛି । ଲଘୁଚାପ ହୋଇପାରେ ।ମାତ୍ର ଏହା ବାତ୍ୟା ହେବ କି ନାହିଁ, ଏତେ ଆଗରୁ କିଛି କହିହେବନି । ଏଠାରେ ମନେ ପକାଇ ଦେଉ ଯେ, ଗତ କିଛିବର୍ଷ ଭିତରେ ଖରାଦିନିଆ ବାତ୍ୟା ବଢ଼ିଛି । ୨୦୧୯ ମେ’ ୩ରେ ଓଡ଼ିଶାରେ ପ୍ରଳୟ କରିଥିଲା ଫୋନି ବାତ୍ୟା । ଜିଏଫଏସ୍ ଦେଖାଇଥିବା ସମ୍ଭାବ୍ୟ ଚିତ୍ର ଅନୁସାରେ ମେ’ ୯-୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଆଗକୁ ବଢ଼ିବା ସହ ୧୪ ତାରିଖ ବେଳକୁ ଓଡ଼ିଶା ଉପକୂଳ ପାଖରେ ଥାଇପାରେ । ୧୪-୧୫ ତାରିଖ ବେଳକୁ ଓଡ଼ିଶାରେ ମାଡ଼ ହୋଇପାରେ । ଯଦିଓ ଏହା ଭିନ୍ନ ଦିଗରେ ଯିବା ନେଇ ସକାଳେ ଜିଏଫଏସ୍ ପୂର୍ବାନୁମାନ କରୁଥିଲା, ତେଣୁ ଏବେଠାରୁ କିଛି ସ୍ପଷ୍ଟ ଆକଳନ କରି ହେବନି । କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ ବଙ୍ଗୋପସାଗରରେ ଏକ ସକ୍ରିୟ ପରିବେଶ ସୃଷ୍ଟି ହେଉଛି । ସମୁଦ୍ର ଜଳପତ୍ତନର ତାପମାତ୍ରା ୩୦-୩୧ ଡିଗ୍ରୀ ସେଲସିୟସ୍ ରହୁଛି । ଏହା ବାତ୍ୟା ସୃଷ୍ଟି ପାଇଁ ଅତ୍ୟନ୍ତ ଅନୁକୂଳ । ବର୍ତ୍ତମାନ ମଡେଲ୍ ଅନୁସାରେ ମେ’ ୧୧ରୁ ୧୫ ଭିତରେ ଲଘୁଚାପ ସୃଷ୍ଟି ହୋଇପାରେ । ଜିଏଫଏସ୍ ଶକ୍ତିଶାଳୀ ବାତ୍ୟାର ଚିତ୍ର ଦେଖାଉଛି । ଏହାର କାରଣ ଏମ୍ଜେଓର ପ୍ରଭାବ ଫେଜ୍-୩ରେ ଭାରତ ମହାସାଗରରେ ଅଧିକ ସକ୍ରିୟ ରହିବ, ଯାହାକି ବାୟୁମଣ୍ଡଳକୁ ଅଧିକ ଶକ୍ତି ଦେବ । ବାୟୁମଣ୍ଡଳର ନିମ୍ନଭାଗରେ ଘୂର୍ଣ୍ଣନ ଶକ୍ତି ବୃଦ୍ଧି ପାଇବା ସହ ଊଦ୍ଧ୍ୱର୍ ଭାଗରେ ପବନର ଗତି ପାର୍ଥକ୍ୟ କମିବ । ମଧ୍ୟଭାଗରେ ଆପେକ୍ଷିକ ଆର୍ଦ୍ରତା ୮୦%ରୁ ଅଧିକ ରହିବ । ଫଳରେ ସମୁଦ୍ର ଉପରିଭାଗରେ ତାପମାତ୍ରା ୩୦-୩୧ ଡିଗ୍ରୀ ରହିବ । ଯଦି ପବନର ଗତି ଅନୁକୂଳ ରହିବ, ତେବେ ଏହି ତାପମାତ୍ରା ଲଘୁଚାପକୁ ଶୀଘ୍ର ବାତ୍ୟାରେ ପରିଣତ କରିବ । ଇସିଏମଡବ୍ଲ୍ୟୁଏଫ ମଡେଲରେ ଦର୍ଶାଯାଇଛି, ଭାରତୀୟ ସ୍ଥଳଭାଗରୁ ଆସୁଥିବା ଶୁଷ୍କ ପବନ ବାତ୍ୟାର ଗତିରୋଧ କରିବ । ଫଳରେ କେବଳ ସମ୍ଭାବ୍ୟ ଲଘୁଚାପ କେବଳ ବର୍ଷାରେ ସୀମିତ ରହିପାରେ । ଏ ସମ୍ପର୍କରେ ଅଧିକ ତଥ୍ୟ ୬ ତାରିଖ ବେଳକୁ ସ୍ପଷ୍ଟ ହୋଇପାରେ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ସମୁଦ୍ର ଜଳପତ୍ତନ ତାପମାତ୍ରା ଅଧିକ ରହୁଛି । ଏହା ବାତ୍ୟା ପାଇଁ ଅନୁକୂଳ ପରିବେଶ । ମାତ୍ର ବାତ୍ୟା ହେବ କି ନାହିଁ, କେଉଁଠି ହେବ, କୁଆଡ଼େ ଯିବ, ଏବେଠାରୁ କିଛି କହିହେବନି । ବାତ୍ୟା ସମ୍ପର୍କରେ ଏତେ ଆଗୁଆ ଆକଳନରେ ସ୍ପଷ୍ଟତା ନଥାଏ । ତେଣୁ କିଛିଦିନ ଅପେକ୍ଷା କରିବାକୁ ହେବ । ବରିଷ୍ଠ ପାଣିପାଗ ବୈଜ୍ଞାନିକ ବିଶ୍ୱଜିତ ସାହୁ କହିଛନ୍ତି, ଆଗକୁ ଲଘୁଚାପ ସମ୍ଭାବନା ଅଛି । କିନ୍ତୁ, ବଙ୍ଗୋପସାଗର କିମ୍ବା ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବ, ଏବେ ସ୍ପଷ୍ଟ କହି ହେବନି । ଚଳିତବର୍ଷ ମୌସୁମୀ ଆଗମନ ସାମାନ୍ୟ ଶୀଘ୍ର ହୋଇପାରେ । ଆଣ୍ଡାମାନ ସାଗରରେ ମେ’ ୨୦ ପରିବର୍ତ୍ତେ ୧୭ ବେଳକୁ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ । ପଶ୍ଚିମା ତରଙ୍ଗାୟିତ ବାୟୁ ପ୍ରବାହ ଯୋଗୁ ସହଳ ମୌସୁମୀ ଆଗମନ ସହ ବଙ୍ଗୋପସାଗର କିମ୍ବା ଆରବ ସାଗରରେ ଏକ ଲଘୁଚାପ ହୋଇପାରେ । ଆସନ୍ତା ୭/୮ ତାରିଖ ବେଳକୁ କିଛି ଅଧିକ ତଥ୍ୟ ମିଳିପାରେ । ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଆସନ୍ତା ୧୦/୧୧ ତାରିଖ ପର୍ଯ୍ୟନ୍ତ ପ୍ରାୟତଃ ତାତି କମ୍ ରହିପାରେ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବାଧିକ ୪୦ ଡିଗ୍ରୀ ଭିତରେ ଓ ଉପକୂଳରେ ୩୫ ଡିଗ୍ରୀ ପାଖାପାଖି ପାରଦ ରହିପାରେ । ୮ରୁ ୧୦ ତାରିଖ କାଳବୈଶାଖୀ ପ୍ରଭାବ ଅଧିକ ରହିପାରେ । ପ୍ରଫେସର ପଶୁପାଳକ କହିଛନ୍ତି, ଉପକୂଳ ସହ ଅନ୍ତରୀଣ ଓଡ଼ିଶାରେ ୮ରୁ ୧୫ ତାରିଖ ଭିତରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ । ବଙ୍ଗୋପସାଗରରୁ ଆସୁଥିବା ଆଦ୍ର ପବନ ଯୋଗୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବଢ଼ିବା ସହ ବ୍ୟାପକ ଅଞ୍ଚଳରେ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଆକଳନ କରିଛି, ତାପମାତ୍ରା ଏବେ ୨-୩ ଡିଗ୍ରୀ କମିବ । ସମୁଦ୍ର ଅଶାନ୍ତ ରହିବା କାରଣରୁ ୫ ଯାଏଁ ଉତ୍ତର ଉପକୂଳରେ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ପ୍ରତିଦିନ ୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ରହିବ । ରବିବାର ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଏବଂ ୪୦ରୁ ୬୦ କିମି ପର୍ଯ୍ୟନ୍ତ ପବନ ହୋଇପାରେ । ଶନିବାର ୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିବାବେଳେ ବୌଦ୍ଧ ୪୧.୬ ଓ ଝାରସୁଗୁଡ଼ା ୪୧.୧ ଡିଗ୍ରୀ ଥିଲା । ଉପକୂଳରେ ୩୫-୩୬ ଡିଗ୍ରୀ ଭିତରେ ରହିଥିଲା ତାପମାତ୍ରା । ପାରାଦୀପ, କଟକ, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର, ଚାନ୍ଦବାଲି, ବାରିପଦା ଓ ବଲାଙ୍ଗିର ସମେତ ବିଭିନ୍ନ ଜାଗାରେ କାଳବୈଶାଖୀ ବର୍ଷା ହୋଇଥିଲା ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ମେ ମାସ ପ୍ରାରମ୍ଭରେ ଓଡ଼ିଶା ଉପକୂଳରେ ଭୟଙ୍କର ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା | Achira News