Achira News Logo
Achira News

ମଧ୍ୟପ୍ରାଚ୍ୟ ବିବାଦ ବୃଦ୍ଧି ପାଇଛି ଇରାନ କତାର ଏବଂ ସାଉଦି ଆରବକୁ ଟାର୍ଗେଟ କରୁଛି

Samaja
ମଧ୍ୟପ୍ରାଚ୍ୟ ବିବାଦ ବୃଦ୍ଧି ପାଇଛି ଇରାନ କତାର ଏବଂ ସାଉଦି ଆରବକୁ ଟାର୍ଗେଟ କରୁଛି
Full News
Share:

ତେହେରାନ, ୧୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଇତିମଧ୍ୟରେ ତୃତୀୟ ସପ୍ତାହରେ ପଦାର୍ପଣ କରିଛି। ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ଆକ୍ରମଣ ସାମାନ୍ୟ ଧିମା ପଡିଥିବାବେଳେ ଇରାନ କିନ୍ତୁ ମଧ୍ୟପ୍ରାଚ୍ୟର ଏକାଧିକ ଆମେରିକା ସମର୍ଥିତ ରାଷ୍ଟ୍ର ଉପରେ ଆକ୍ରମଣକୁ ଜୋରଦାର କରିଛି। ଇରାନ ପକ୍ଷରୁ କାତାରର ରାସ୍‌ ଲାଫାନ୍‌ ସହରରେ ଥିବା ବିଶ୍ବର ବୃହତ୍ତମ ଗ୍ୟାସ୍‌ ଭଣ୍ଡାର ଉପରେ କ୍ଷେପଣାସ୍ତ୍ର ମାଡ କରାଯାଇଛି। ଫଳରେ ଏହି ଗ୍ୟାସ୍‌ ଭଣ୍ଡାର କ୍ଷତିଗ୍ରସ୍ତ ହେବାସହିତ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ଥିବା ଜଣାପଡିଛି। ଏହି ଗ୍ୟାସ୍‌ ଭଣ୍ଡାରରୁ ଉତ୍ପାଦନ ବନ୍ଦ ହୋଇଥିବାରୁ ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି। ଭାରତ କାତାରରୁ ୪୭ ପ୍ରତିଶତ ଗ୍ୟାସ୍‌ ଆମଦାନୀ କରିଥାଏ। ଅପରପକ୍ଷରେ ଇରାନ ପକ୍ଷରୁ ସାଉଦି ଆରବର ରାଜଧାନୀ ରିୟାଦ ଉପରେ ମଧ୍ୟ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ରିୟାଦରେ ଏକାଧିକ ଇସଲାମିକ୍‌ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀ ଚାଲିଥିବାବେଳେ ଇରାନର ଏଭଳି ଆକ୍ରମଣକୁ ସାଉଦି ଆରବ ଗୁରୁତ୍ବର ସହ ଗ୍ରହଣ କରିଛି। ଇରାନକୁ ଧମକ ଦେଇ ସାଉଦି ବିଦେଶ ମନ୍ତ୍ରୀ ପ୍ରିନ୍ସ ଫୈଜଲ ବିନ୍‌ ଫରହାନ ଅଲ୍‌ ସାଉଦ୍‌ କହିଛନ୍ତି ଯେ ଇରାନ ପକ୍ଷରୁ ବାରମ୍ବାର ଆକ୍ରମଣ କରାଯାଉଥିବାରୁ ସାଉଦି ଆରବର ଧୈର୍ଯ୍ୟଚ୍ୟୁତି ଘଟିଲାଣି। ଇରାନ ଯଦି ଏଭଳି ଆକ୍ରମଣ ବନ୍ଦ ନ କରେ ତେବେ ସାଉଦି ଆରବ ଏହି ଯୁଦ୍ଧରେ ସାମିଲ ହେବାକୁ ବାଧ୍ୟ ହେବ ବୋଲି ଫୈଜଲ ଧମକ ଦେଇଛନ୍ତି। ସୂଚନାଯୋଗ୍ୟ ଫେବୃଆରୀ ୨୮ରୁ ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାପରଠାରୁ ଇରାନ ସାଉଦି ଆରବ ଉପରେ ଏକାଧିକ ଥର ଆକ୍ରମଣ କରାଯାଇଛି। ମାର୍ଚ୍ଚ ୧ରେ ରିୟାଦ ବିମାନ ବନ୍ଦର ଓ ପ୍ରିନ୍ସ ସୁଲତାନ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ କରାଯାଇଥିବାବେଳେ ମାର୍ଚ୍ଚ ୨ରେ ରାସ୍‌ ତାନୁରା ତୈଳ ବିଶୋଧନାଗାର ଉପରେ ଡ୍ରୋନ ଆକ୍ରମଣ କରାଯାଇଥିଲା। ମାର୍ଚ୍ଚ ୮ରେ ଅଲ୍‌-ଖାର୍ଜସ୍ଥିତ ଏକ ଜନବସତି ଉପରେ ଡ୍ରୋନ ମାଡ ଯୋଗୁଁ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। ମାର୍ଚ୍ଚ ୧୪ରେ କ୍ଷେପଣାସ୍ତ୍ର ମାଡରେ ପ୍ରିନ୍ସ ସୁଲତାନ ଘାଟିରେ ଥିବା ଆମେରିକାର ପାଞ୍ଚଟି ରିଫ୍ୟୁଏଲିଂ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଥିଲା। ଅପରପକ୍ଷରେ ଇରାନ ବିପକ୍ଷ ଯୁଦ୍ଧ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ ଅଧିକ ୨୦୦ ବିଲିୟନ ଡଲାର ଅର୍ଥ ମଞ୍ଜୁର କରିବାକୁ ଆମେରିକୀୟ କଂଗ୍ରେସକୁ ଅନୁରୋଧ କରାଯାଇଛି। କାତାରର ଗ୍ୟାସ୍‌ ଭଣ୍ଡାର ଉପରେ ଆକ୍ରମଣ ହେବା ପରେ ସେଠାରେ ଥିବା ଇରାନ ଦୂତାବାସର ମିଲିଟାରୀ ଓ ସିକ୍ୟୁରିଟି ପରାମର୍ଶଦାତାଙ୍କୁ ଚବିଶ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦେଶ ଦିଆଯାଇଛି। ଇରାନ ପକ୍ଷରୁ ହର୍ମୁଜ ପ୍ରଣାଳୀ ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲ କାଟିବାକୁ ଧମକ ଦିଆଯାଇଛି। ଇରାନ ଯଦି ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରେ, ତେବେ ବିଶ୍ବରେ ଇଣ୍ଟରନେଟ ସେବା ଗୁରୁତର ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ଉପୁଜିଛି। ଲୋହିତ ସାଗର ଓ ହର୍ମୁଜ ପ୍ରଣାଳୀସ୍ଥିତ ସମୁଦ୍ର ଶଯ୍ୟାରେ ପ୍ରାୟ ୨୦ଟି ଇଣ୍ଟରନେଟ କେବୁଲ ବିଛାଯାଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଗୁରୁବାର ଭାରତୀୟ ଷ୍ଟକ୍‌ ଏକ୍ସଚେଞ୍ଜ​‌ ଉପରେ ପ୍ରତିକୂଳ ପ୍ରଭାବ ପଡିଛି। ସେନସେକ୍ସ ଓ ନିଫ୍‌ଟି ସୂଚକାଙ୍କା ଯଥେଷ୍ଟ ହ୍ରାସ ପାଇଥିବାବେଳେ ନିବେଶକାରୀ ଗୋଟିଏ ଦିନରେ ୧୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ହରାଇଛନ୍ତି।

Disclaimer: This content has not been generated, created or edited by Achira News.
Publisher: Samaja

Want to join the conversation?

Download our mobile app to comment, share your thoughts, and interact with other readers.

ମଧ୍ୟପ୍ରାଚ୍ୟ ବିବାଦ ବୃଦ୍ଧି ପାଇଛି ଇରାନ କତାର ଏବଂ ସାଉଦି ଆରବକୁ ଟାର୍ଗେଟ କରୁଛି | Achira News