ଭୁବନେଶ୍ବର: ନୂଆପଡ଼ା ଉପ ନିର୍ବାଚନ, ରାଜ୍ୟସଭା ନିର୍ବାଚନ ସରିଲା, ରାଜ୍ୟ ଓ ଜିଲା ସଙ୍ଗଠନ ବି ସଜଡ଼ା ହୋଇଗଲା। କିନ୍ତୁ ଶାସକ ବିଜେପି ନେତାଙ୍କ ନିଗମ, ବୋର୍ଡରେ ଥଇଥାନ ହେବା ଆଶା ଅଧୁରା ରହିଗଲା। ତାଲିକା ଚୂଡ଼ାନ୍ତ ହୋଇଛି, ଦିଲ୍ଲୀର ମୋହର ବି ବାଜିଛି ବୋଲି କୁହାଯାଉଛି। କିନ୍ତୁ ସତେ ଯେପରି କୌଣସି ଅଦୃଶ୍ୟ କାରଣ ପାଇଁ ନିଗମ, ବୋର୍ଡ ପାଇଁ ପଦାଧିକାରୀଙ୍କ ନାମ ଘୋଷଣା ହୋଇପାରୁ ନାହିଁ। ୨୦ ମାସ ଧରି ଲଡ଼ୁ ଆଶାରେ ଥିବା ନେତାଙ୍କ ଧୈର୍ଯ୍ୟଚ୍ୟୁତ ହେଲାଣି। ବହୁ ପରିଶ୍ରମ କରି ବିଜେଡିର ୨୪ ବର୍ଷ ଶାସନର ଅନ୍ତ ଘଟାଇବା ସହିତ ବିଜେପିକୁ କ୍ଷମତାସୀନ କରାଇଥିବା ନେତା ଓ କର୍ମୀ ବିଭିନ୍ନ ପଦପଦବୀ ପାଇବା ପାଇଁ ଆଶା ରଖିଥିଲେ। ପୁରସ୍କାର ସ୍ବରୂପ ସେମାନଙ୍କୁ ୪୦ରୁ ଅଧିକ ନିଗମ, ବୋର୍ଡରେ ମନଲୋଭା ପଦ ମିଳିବ ବୋଲି କୁହାଗଲା। ରାଜ୍ୟ ବିଜେପି ସଭାପତିଙ୍କଠାରୁ ଆରମ୍ଭ କରି ରାଜ୍ୟ ପ୍ରଭାରୀ ସମସ୍ତେ ଶୀଘ୍ର ଘୋଷଣା ହୋଇଯିବ ବୋଲି ବାରମ୍ବାର କହିଥିଲେ। ଦିଲ୍ଲୀରେ ବି ଏକାଧିକ ଥର ଏ ବିଷୟରେ ଆଲୋଚନା ହେଲା, ରାଜ୍ୟରୁ ଯାଇଥିବା ନେତାଙ୍କ ତାଲିକାକୁ ସବୁଜ ସଙ୍କେତ ମିଳିଲା। ନୂଆ ବର୍ଷରେ ବହୁତ କିଛି ନୂଆ ଘଟିବାକୁ ଯାଉଛି ବୋଲି ନିକଟରେ ରାଜ୍ୟ ସଭାପତି ଗଣମାଧ୍ୟମରେ କହି ଶିଥିଳ ହୋଇ ପଡ଼ିଥିବା ଆଶାୟୀଙ୍କ ଉତ୍ସାହ ବଢ଼ାଇ ଥିଲେ। ନେତାମାନଙ୍କ ମନରେ ବିଶ୍ବାସ ଜନ୍ମିଲା, ବିଳମ୍ବରେ ହେଲେ ମଧ୍ୟ ପଦଟିଏ ମିଳିବ, କିନ୍ତୁ ରାଜ୍ୟ ସଭାପତି ରାଜ୍ୟସଭାକୁ ନିର୍ବାଚିତ ହୋଇ ଚାଲିଗଲେ, ଅନୁଗତଙ୍କ ହାତ ଖାଲି ରହିଗଲା। ନେତାଙ୍କୁ ପଦ ମିଳିବ କ’ଣ ଗତ ଫେବୃଆରୀରେ କିଛି ପ୍ରଶାସନିକ ଅଧିକାରୀଙ୍କୁ ଏକାଧିକ ନିଗମ, ବୋର୍ଡରେ ନିଯୁକ୍ତି ଦେଇଦେଲେ। ଏବେ ରାଜ୍ୟସଭା ନିର୍ବାଚନ ସରିବା ପରେ ପରେ ଛାମୁଆ ସଙ୍ଗଠନରେ ପାର୍ଟିର ରାଜ୍ୟ ଓ ଜିଲାସ୍ତରୀୟ ନେତାଙ୍କୁ ନିଯୁକ୍ତି ଦିଆଯାଇଛି। ନିଗମ, ବୋର୍ଡ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥିବାରୁ ପାର୍ଟି ମଧ୍ୟରେ ଅନ୍ତଃକନ୍ଦଳ ବଢ଼ିବାରେ ଲାଗିଛି। କେବେ ନିଯୁକ୍ତି ମିଳିବ ତାହାର ଉତ୍ତର ସେମାନେ କାହା ପାଖରୁ ପାଉ ନାହାନ୍ତି। ଏହା ଭିତରେ ଦୁଇ ବର୍ଷ ଗଡ଼ି ଯାଇଥିବାରୁ ୨୦୨୯ ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ନେତା ନିଗମ, ବୋର୍ଡରୁ ଆଖି ଫେରାଇ ନେଲେଣି। ଆଉ ଯେଉଁମାନେ ଆଶା ବାନ୍ଧି ଥିଲେ ସେମାନେ ଏବେ ପ୍ରଶ୍ନ କରିବା ଆରମ୍ଭ କଲେଣି। ସେବା ଓ ଅନୁଶାସନର ଫଳ ପାଇଁ ଆଉ କେତେ ଦିନ ଅପେକ୍ଷା କରିବାକୁ ହେବ ବୋଲି ସେମାନେ ପଚାରୁଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ନେତା, କର୍ମୀଙ୍କୁ ପାର୍ଟି ପୁରସ୍କୃତ କରି ସେମାନଙ୍କ ମନବଳ ବଢ଼ାଇବା ପରିବର୍ତ୍ତେ ଅବହେଳା କରି ଚାଲିଛି ବୋଲି ସେମାନେ ଖୋଲାଖୋଲି କହିବାକୁ ପଛାଉ ନାହାନ୍ତି।
ରାଜ୍ୟ ଏବଂ ଜିଲ୍ଲା ସଂସ୍ଥାଗୁଡ଼ିକର ପୁନର୍ଗଠନ ମଧ୍ୟରେ ବିଜେପି ନେତାମାନେ ନିର୍ବାଚନ ପରବର୍ତ୍ତୀ ପୁରସ୍କାରକୁ ଅପେକ୍ଷା କରିଛନ୍ତି।
Samaja•

Full News
Share:
Disclaimer: This content has not been generated, created or edited by Achira News.
Publisher: Samaja
Want to join the conversation?
Download our mobile app to comment, share your thoughts, and interact with other readers.