ଲୋଇସିଂହା,୪।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ଲୋଇସିଂହା ଅଟଳ ବସଷ୍ଟାଣ୍ଡର ଶୃଙ୍ଖଳିତ ପରିଚାଳନା ପାଇଁ ଏକ ସମୀକ୍ଷା ବୈଠକ ବିଡିଓ ଅକ୍ଷୟପାଣି ଉଦ୍ଦୁଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ସ୍ଥାନୀୟ ସରପଞ୍ଚ ନବକିଶୋର ନାଏକ, ତହସିଲଦାର, ବଲାଙ୍ଗୀର ଆଞ୍ଚଳିକ ପରିବହନ ଅଧିକାରୀ, ଥାନା ଅଧିକାରୀ, ମିଶନ ଶକ୍ତି ବିପିସି, ବିଏଲଏଫ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବୈଠକରେ ଯୋଗ ଦେଇଥିଲେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉକ୍ତ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇଛି। କିନ୍ତୁ ବ୍ଲକରେ ଚାଲିଥିବା ମାତ୍ର ୩ରୁ ୪ଟି ମୁଖ୍ୟମନ୍ତ୍ରୀ ବସ୍ ଛାଡି ଦେଲେ ଆଉ କୌଣସି ସରକାରୀ କିମ୍ବା ବେସରକାରୀ ବସ୍ ଉକ୍ତ ବସଷ୍ଟାଣ୍ଡକୁ ପ୍ରବେଶ କରୁନାହିଁି ା ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥରେ ସିଧାସଳଖ ସରକାରୀ ଓ ବେସରକାରୀ ବସଗୁଡିକ ଗନ୍ତବ୍ୟ ଅଭିମୁଖେ ଚାଲି ଯାଉଛି। ଉକ୍ତ ବସଷ୍ଟାଣ୍ଡକୁ ବସ୍ଗୁଡିକ ପଶୁ ନ ଥିବାରୁ ସରକାର ରାଜସ୍ବ ହରାଉଛନ୍ତି। ଅପରପକ୍ଷେ ବସଷ୍ଟାଣ୍ଡ କ୍ୟାମ୍ପସରେ ଦୋକାନ ଗୃହଗୁଡିକ ନିର୍ମାଣ ହୋଇ ବ୍ଲକ ପ୍ରଶାସନ ପକ୍ଷରୁ ତାହା ଭଡ଼ା ସୂତ୍ରରେ ଦିଆଯାଇଛି। ହେଲେ ଯାତ୍ରୀ ଅଭାବରୁ ଦୋକାନ ଭଡା ନେଇଥିବା ବ୍ୟକ୍ତି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲି ନ ପାରି ମାସକୁ ମାସ ଭଡା ଟଙ୍କା ଗଣି କ୍ଷତି ସହୁଛନ୍ତି ା ଅପରପକ୍ଷରେ ଅଟଳ ବସଷ୍ଟାଣ୍ଡ ସ୍ଥାନୀୟ କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ଏକରକମ ଖୋଲା ପାର୍କ ସାଜିଛି। ଏସବୁ ଅବ୍ୟବସ୍ଥା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ନିକଟରେ ଥାନା ପରିସରରେ ଅନୁଷ୍ଠିତ ଆମ ପୋଲିସ ସମିତି ବୈଠକରେ ମଧ୍ୟ ଏନେଇ ଆଲୋଚନା କରାଯାଇଥିଲା। ସୋମବାର ଅନୁଷ୍ଠିତ ଏହି ବୈଠକରେ ରାଜପଥ ପାର୍ଶ୍ୱରୁ ୧ ଶହ ମିଟର ଦୂରରେ ସଂକୀର୍ଣ୍ଣ ରାସ୍ତାରେ ଉକ୍ତ ବସଷ୍ଟାଣ୍ଡ ଥିବାରୁ ରାଜପଥରେ ଚଳାଚଳ କରୁଥିବା ବସଗୁଡିକ ବସଷ୍ଟାଣ୍ଡକୁ ନେବାକୁ ବସ କର୍ମଚାରୀ ନାରାଜ ହେଉଛନ୍ତି ବୋଲି ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରିଥିଲେ। ଏହାକୁ ନେଇ ବୈଠକରେ ଚିନ୍ତା ପ୍ରକଟ କରାଯାଇଥିଲା ା ବସଷ୍ଟାଣ୍ଡ ରାସ୍ତାରେ ଥିବା ଟ୍ରାନ୍ସଫର୍ମରକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବିଦ୍ୟୁତ୍ ବିଭାଗକୁ ଜଣାଇବା ସହିତ ବସଷ୍ଟାଣ୍ଡ ରାସ୍ତା ପ୍ରଶସ୍ତି କରଣ ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତପ୍ରକାଶ ପାଇଥିଲା। ଏହାଛଡା ଲୋଇସିଂହାରୁ ଝାରମୁଣ୍ଡା ଆଦର୍ଶ ବିଦ୍ୟାଳୟର ଦୂରତା ୧୫ କିମି ହୋଇଥିବାରୁ ଅନେକ ଗରିବ ପରିବାରର ଛାତ୍ରୀଛାତ୍ରମାନେ ମୋଟା ଅଙ୍କର ଫି ଦେଇ ଘରୋଇ ଗାଡିରେ ସ୍କୁଲ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଛାତ୍ରୀଛାତ୍ରମାନେ ସୁବିଧାରେ ଆଦର୍ଶ ସ୍କୁଲକୁ ପାଠ ପଢିଯିବା ଏବଂ ଛୁଟି ସମୟରେ ଫେରିବା ପାଇଁ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ପାଇଁ ଉକ୍ତ ବୈଠକରେ ପ୍ରସ୍ତାବ ଆଗତ କରାଯାଇଛି। ବିଗତ ୨ ବର୍ଷ ହେବ ଉକ୍ତ ବସଷ୍ଟାଣ୍ଡ ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ଷମ ପାଇଁ ବାରମ୍ବାର ବୈଠକ ବସୁଥିଲେ ସୁଦ୍ଧା ଫଳପ୍ରଦ ହୋଇପାରୁନାହିଁ। ଏହାକୁ ନେଇ ବୈଠକରେ ଲୋଇସିଂହା ଅଞ୍ଚଳର ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିଗଣ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଲୋଇସିଂହାର ଅଟଳ ବସ୍ ଷ୍ଟାଣ୍ଡ ସଂଘର୍ଷ ପରିଚାଳନା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.