ଭୁବନେଶ୍ୱର,୫ା୫(ଅନୁରାଧା ମହାରଣା):ହାଇଦ୍ରାବାଦ ଓ କୋଲକାତା ପରେ ମଙ୍ଗଳବାର ଗୁଜରାଟରେ ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଷକଙ୍କୁ ଆହ୍ବାନ କରିବେ। ଏଥିପାଇଁ ମଙ୍ଗଳବାରଠାରୁ ୭ ତାରିଖ ପର୍ଯ୍ୟନ୍ତ ୩ଦିନିଆ ଗୁଜରାଟ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ତାଙ୍କ ସହ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ପ୍ରତିନିଧି ଦଳ ଗୁଜରାଟ ଗସ୍ତ କରିବ। ପୂର୍ବ ଓ ପଶ୍ଚିମ ଭାରତ ମଧ୍ୟରେ ଶିଳ୍ପ ସେତୁ ନିର୍ମାଣ ଲକ୍ଷ୍ୟରେ ଏହି ଗସ୍ତ ଓଡ଼ିଶାରେ ପୁଞ୍ଜି ବିନିଯୋଗ ଆକର୍ଷଣ ଅଭିଯାନକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି। ଏହି ଗସ୍ତ ସମୟରେ ବସ୍ତ୍ର, ରାସାୟନିକ ଓ ପେଟ୍ରୋକେମିକାଲ, ଧାତୁ ଓ ଡାଉନଷ୍ଟ୍ରିମ୍ ଶିଳ୍ପ, ଔଷଧ ଓ ମେଡିକାଲ୍ ଡିଭାଇସ୍ କ୍ଷେତ୍ରରେ ଗୁଜରାଟର ଶିଳ୍ପପତିଙ୍କ ସହ ଆଲୋଚନା ହେବ। ଅନ୍ୟ ଶିଳ୍ପ ନେତୃତ୍ୱଙ୍କ ସହ ରାଉଣ୍ଡଟେବଲ୍ ଆଲୋଚନା ଓ ସ୍ବତନ୍ତ୍ର ବୈଠକ ହେବ। ଏଥିସହ ଏମ୍ଓୟୁଏଚ ଏବଂ ଇନଭେଷ୍ଟମେଣ୍ଟ ଇଣ୍ଟେନ୍ଶନ୍ ଫର୍ମ (ଆଇଆଇଏଫ୍) ସ୍ବାକ୍ଷରିତ ହେବାର ଯୋଜନା ରହିଛି। ୬ ତାରିଖରେ ପ୍ରତିନିଧି ଦଳ ମୁନ୍ଦ୍ରା ବନ୍ଦର ପରିଦର୍ଶନ କରିବେ ଏବଂ ଲଜିଷ୍ଟିକ୍ସ ଓ ପୋର୍ଟ ଆଧାରିତ ଶିଳ୍ପ ସୁଯୋଗ ବିଷୟରେ ଆଲୋଚନା କରିବେ। ୭ ତାରିଖରେ ବଡୋଦରାରେ ନିବେଶକଙ୍କ ସହ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ମଧ୍ୟ କେବଡିଆ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ଉନ୍ନତ ଅବସ୍ଥାପନା ଓ ଦକ୍ଷ ମାନବ ସମ୍ପଦ ସହ ଓଡ଼ିଶା ଏବେ ବିନିଯୋଗକାରୀଙ୍କ ପ୍ରଥମ ପସନ୍ଦ ହେବାରେ ଲାଗିଛି। ଗୁଜରାଟ ଗସ୍ତ ଆମ ଲୋକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ଏବଂ ରାଜ୍ୟରେ ବିରାଟ ରୋଜଗାର ଆଣି ଦେବ। ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନରେ ଏହା ଏକ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶିଳ୍ପ ସେତୁ ନିର୍ମାଣ ପାଇଁ ଗୁଜରାଟକୁ ନିବେଶକଙ୍କୁ ଆମନ୍ତ୍ରଣ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ
Dharitri•

Full News
Share:
Disclaimer: This content has not been generated, created or edited by Achira News.
Publisher: Dharitri
Want to join the conversation?
Download our mobile app to comment, share your thoughts, and interact with other readers.