Achira News Logo
Achira News

ସି. ଏଚ୍. ଏସ୍. ଇ. ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ଏବଂ ପ୍ରଶ୍ନପତ୍ର ବଣ୍ଟନ ଦ୍ୱାରା ସୁରକ୍ଷିତ ପରୀକ୍ଷା ସୁନିଶ୍ଚିତ କରିଛି

Prameya
ସି. ଏଚ୍. ଏସ୍. ଇ. ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ଏବଂ ପ୍ରଶ୍ନପତ୍ର ବଣ୍ଟନ ଦ୍ୱାରା ସୁରକ୍ଷିତ ପରୀକ୍ଷା ସୁନିଶ୍ଚିତ କରିଛି
Full News
Share:

ଭୁବନେଶ୍ୱର,୦୧/୦୨: ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ଏହାପୂର୍ବରୁ ୨ଟି ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ହବ୍‌କୁ ପ୍ରଶ୍ନପତ୍ର ପଠାଯିବ । ପରୀକ୍ଷାରେ ଯେପରି ତ୍ରୁଟି ନହୁଏ ସେଥିପ୍ରତି କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) । ଆଗରୁ ଏହି ପରୀକ୍ଷା ପରିଚାଳନା ହବ୍‌ରେ ସାଧାରଣ ସିସିଟିଭି କ୍ୟାମେରା ଲାଗୁଥିଲା । ଚଳିତ ବର୍ଷ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ସିସିଟିଭି କ୍ୟାମେରା ଲାଗୁଛି । ଏହି କ୍ୟାମେରା ପ୍ରଶ୍ନପତ୍ର ଜଗିବ । ଯଦି ହବ୍‌ରେ କୌଣସି ଅସଙ୍ଗତି ପରିଲିକ୍ଷିତ ହୁଏ ତେବେ ସାଙ୍ଗେ ସାଙ୍ଗେ ମୁଖ୍ୟାଳୟକୁ ସତର୍କ କରିବ । ଏଥିପାଇଁ ମୁଖ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବ । ଯେଉଁଥିରେ କର୍ମଚାରୀ ଓ ଅଧିକାରୀମାନେ ସିସିଟିଭିକୁ ନିରୀକ୍ଷଣ କରିବେ । ସିଏଚ୍ଏସ୍ଇର ସୂଚନା ଅନୁଯାୟୀ, ପ୍ରଶ୍ନପତ୍ର ରଖିବା ପାଇଁ ୨୧୧ଟି ପରୀକ୍ଷା ପରିଚାଳନା ହବ୍ (ଇଏମ୍ଏଚ୍) କରାଯାଇଛି । ଆସନ୍ତା ୧୨ ତାରିଖରୁ ୧୪ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୪ ତାରିଖରୁ ୬ ତାରିଖ ମଧ୍ୟରେ ପ୍ରଶ୍ନପତ୍ର ହବ୍ରେ ପହଞ୍ଚିବ । ହବ୍ ସୁପରଭାଇଜର ଓ ଡେପୁଟି ସୁପରଭାଇଜରଙ୍କୁ ସବୁବେଳେ ସତର୍କ ରହିବାକୁ କୁହାଯାଇଛି । ଅନ୍ୟପଟେ ପରୀକ୍ଷା ପରିଚାଳନାରେ ଯେପରି କୌଣସି ତ୍ରୁଟି ନହୁଏ ସେଥିଲାଗି ସଜାଗ ହୋଇଛି ସିଏଚ୍ଏସ୍ଇ । ପ୍ରଶ୍ନପତ୍ର ହବ୍ର ଷ୍ଟ୍ରଙ୍ଗ ରୁମ୍ରେ ସବୁ ଦିଗରୁ ଏଆଇ କ୍ୟାମେରା ଲାଗିବ । ଷ୍ଟ୍ରଙ୍ଗରୁମ୍‌କୁ ଗୋଟିଏ ହିଁ ପ୍ରବେଶ ପଥ ରହିବ ଯେଉଁଠି ଗ୍ରିଲ୍ ସହ କବାଟ ବ୍ୟବସ୍ଥା କରାଯିବ । ଏହି ପ୍ରଶ୍ନପତ୍ର ରହିବା ପରେ ଭଲ ତାଲା ପକାଇ ଏହାକୁ ସିଲ୍ କରାଯିବ । ହବ୍ ଓ ହବ୍ ବାହାରେ ପୁଲିସ ଓ ସୁରକ୍ଷା କର୍ମୀ ଜଗି ରହିବେ । ଅଣସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ଏହି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିପାରିବେ ନାହିଁ । ସ୍ଥାନୀୟ ଥାନାର ଆଇଆଇସି ପୁଲିସ ସୁରକ୍ଷା ଯୋଗାଇ ଦେବେ । ୨୪ ଘଣ୍ଟିଆ ଏଆଇ କ୍ୟାମେରାର ଲାଇଭ ଷ୍ଟ୍ରିମ୍ ଚାଲିବ । ଯଦି କୌଣସି କାରଣରୁ ସିସିଟିଭି କାର୍ଯ୍ୟ ନକରେ ସେଥିଲାଗି ହବ୍ର କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରଶ୍ନପତ୍ର ସିଏଚ୍ଏସ୍ଇ ଅଧିକାରୀମାନେ ହବ୍‌ର ଅଧିକାରୀଙ୍କୁ ସିସିଟିଭି ସମ୍ମୁଖରେ ହିଁ ହସ୍ତାନ୍ତର କରିବେ । ହବ୍‌କୁ କିଏ ଆସୁଛନ୍ତି ଯାଉଛନ୍ତି ତାର ସବିଶେଷ ତଥ୍ୟ ରେଜିଷ୍ଟରରେ ରହିବ । ପ୍ରଶ୍ନପତ୍ର ବଣ୍ଟନ ବିଭ୍ରାଟ ରୋକିବା ଲାଗି ଗତ ୨୯ ତାରିଖରେ ସିଏଚ୍ଏସ୍ଇ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ କେତେ ସଂଖ୍ୟାରେ ପ୍ରଶ୍ନପତ୍ର ଆବଶ୍ୟକ ତାର ତଥ୍ୟ ପ୍ରଦାନ କରିବାକୁ ଚିଠି ଲେଖାଯାଇଥିଲା । ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଯଦି କର୍ତ୍ତୃପକ୍ଷ ତଥ୍ୟ ଦେବାରେ କୌଣସି ଭୁଲ୍ କରନ୍ତି ଓ ପ୍ରଶ୍ନପତ୍ର ଅଭାବ ରହେ ସେଥିଲାଗି ସିଏଚ୍ଏସ୍ଇ ଦାୟୀ ରହିବ ନାହିଁ । ବରଂ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

Disclaimer: This content has not been generated, created or edited by Achira News.
Publisher: Prameya

Want to join the conversation?

Download our mobile app to comment, share your thoughts, and interact with other readers.

ସି. ଏଚ୍. ଏସ୍. ଇ. ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ଏବଂ ପ୍ରଶ୍ନପତ୍ର ବଣ୍ଟନ ଦ୍ୱାରା ସୁରକ୍ଷିତ ପରୀକ୍ଷା ସୁନିଶ୍ଚିତ କରିଛି | Achira News